ନ୍ୟୁୟର୍କ, ୧୯/୦୭: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ୨୩ତମ ବିଶ୍ୱକପ୍‌ର ବହୁ ଚର୍ଚ୍ଚିତ ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତ ସ୍ପେନ୍ ଓ ଆର୍ଜେଣ୍ଟିନା । ଗୋଟିଏ ପଟେ ସମଗ୍ର ୟୁରୋପ ଓ ଅନ୍ୟ ପଟରେ କେବଳ ମେସି ଓ ତାଙ୍କ ଆର୍ଜେଣ୍ଟିନା ଦଳ । ସବୁଠି ଆର୍ଜେଣ୍ଟିନାକୁ ସମାଲୋଚନା ଓ ସ୍ପେନଙ୍କୁ ପ୍ରଶଂସା । ୨ଟି ମହାଦେଶର ଲଢ଼େଇ ମଧ୍ୟରେ ସାରା ବିଶ୍ୱ ମେସି ମ୍ୟାଜିକ୍କୁ ଅପେକ୍ଷା କରି ରହିଛି । ଫାଇନାଲ୍ ଜିତି ଦ୍ୱିତୀୟ ଥର ବିଶ୍ୱକପ ସହ ସ୍ୱଦେଶ ଫେରିବା ପାଇଁ ସ୍ପେନ୍ ସ୍ୱପ୍ନ ଦେଖୁଛି । ଅନ୍ୟ ପଟରେ ସମଗ୍ର ଆର୍ଜେଣ୍ଟିନା ଦଳ ସେମାନଙ୍କ ଅଧିନାୟକଙ୍କୁ ଆଉ ଏକ ଟ୍ରଫି ଭେଟିଦେବା ପାଇଁ ଆଶାବାଦୀ ରହିଛି ।

୧୦ବର୍ଷର ଜୟ ଯାତ୍ରା

୨୦୧୬ ମସିହା, କୋପା ଆମେରିକା କପ୍ ଫାଇନାଲ୍ ମୁକାବିଲା । ସେହି ମେଟ୍ ଲାଇଫ ଷ୍ଟାଡ଼ିୟମ୍ । ଆର୍ଜେଣ୍ଟିନାର ପରାଜୟରେ ଭାଙ୍ଗିପଡ଼ି ଗ୍ରାଉଣ୍ଡ ଭିତରେ କିଛି କ୍ଷଣ ବସି ରହିଥିଲେ ଲିଓନେଲ ମେସି । ଆଖିରୁ ଲୁହ ବୋହି ଯାଉଥିଲା । କାରଣ ସେ କ୍ରମାନ୍ୱୟରେ ୩ଟି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ହାରି ସାରିଥିଲେ । ଗ୍ରାଉଣ୍ଡରୁ ବିଦାୟ ନେବା ସମୟରେ ସେ ଅବସର ଘୋଷଣା କରି ଅଗଣିତ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲେ ।

ଅଧିକ ପଢ଼ନ୍ତୁ :- FIFA World Cup 2026: ଦମଦାର ୧୦ ଗୋଲ୍... ଫ୍ରାନ୍ସକୁ ହରାଇ ତୃତୀୟ ସ୍ଥାନରେ ରହିଲା ଇଂଲଣ୍ଡ, ଜିତିଲା ବ୍ରୋଞ୍ଜ

ଠିକ ଦଶ ବର୍ଷ ପରେ ମେସି ପୁଣି ଥରେ ମେଟ ଲାଇଫ ଷ୍ଟାଡ଼ିୟମ୍‌କୁ ଓହ୍ଲାଇବେ । ଖେଳିବେ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ । ଏଥର ପରାଜିତ ଖେଳାଳି ଭାବେ ନୁହେଁ, ବିଜୟୀ ଯୋଦ୍ଧା ଭାବେ ସେ ଗ୍ରାଉଣ୍ଡ୍‌ରେ ବିଜୟ ବାନା ଉଡ଼ାଇବାକୁ ପ୍ରସ୍ତୁତ । ଗତ ୧୦ ବର୍ଷ ମଧ୍ୟରେ ସେ ଗୋଟିଏ ବିଶ୍ୱକପ୍, ୨ଟି କୋପା ଆମେରିକା କପ୍ ଓ ଗୋଟିଏ ଫିନାଲେସିମା ଟାଇଟଲ ଜିତି ସାରିଛନ୍ତି ।

ଏହି ଟାଇଟଲ ଲଢ଼େଇରେ ତାଙ୍କ ସମ୍ମଖରେ ରହିଛି ଏଭଳି ଏକ ଦେଶ, ଯାହାକୁ ମେସି ନିଜ ଜୀବନଠୁ ମଧ୍ୟ ଅଧିକ ପସନ୍ଦ କରନ୍ତି । ସ୍ପେନ ତାଙ୍କ ଦ୍ୱିତୀୟ ଘର । ସେଠାରେ ସେ ଦ୍ୱିତୀୟ ଜୀବନ ପାଇଥିଲେ । ମାତ୍ର ୧୩ ବର୍ଷ ବୟସରେ ଫୁଟବଲ୍ ସ୍ୱପ୍ନ ପୂରଣ କରିବା ସହ ଚିକିତ୍ସିତ ହେବା ପାଇଁ ସେ ବାର୍ସେଲୋନାରେ ପହଞ୍ଚିଥିଲେ । ସ୍ପେନ୍‌ରେ ବଢ଼ିଥିଲେ ଓ ବାର୍ସେଲୋନା ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ । ଆଜି ସେ ବିଶ୍ୱର ଶ୍ରେଷ୍ଠ ଖେଳାଳି ।

ଆର୍ଜେଣ୍ଟିନା ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଥିଲେ ହେଁ ପ୍ରତିଭାସମ୍ପନ୍ନ ସ୍ପେନ୍ ଦଳକୁ ହରାଇବା ଏକ ପ୍ରକାର ଅସମ୍ଭବ ମନେ ହେଉଛି । ସମ୍ପୂର୍ଣ୍ଣ ବିଶ୍ୱକପ୍‌ରେ କେବଳ ବେଲ୍‌ଜିୟମ୍‌କୁ ଛାଡ଼ିଦେଲେ ଅନ୍ୟ କୌଣସି ଦଳ ସ୍ପେନ୍ ବିପକ୍ଷରେ ଗୋଲ୍ କରିପାରି ନାହାନ୍ତି ।୬ଟି ମ୍ୟାଚରେ ସ୍ପେନ୍ କ୍ଲିନ ସିଟ୍ ପାଇଛି । ଗୋଲ୍ କିପିଂ ଠାରୁ ଆରମ୍ଭ କରି ଫରୱାର୍ଡ ପର୍ଯ୍ୟନ୍ତ ସବୁ ବିଭାଗରେ ଶ୍ରେଷ୍ଠ ବିକଳ୍ପ ସ୍ପେନ ନିକଟରେ ରହିଛି । ଦଳର ରକ୍ଷଣ ଭାଗ ସବୁ ଷ୍ଟାର ଖେଳାଳିମାନଙ୍କୁ ଅଟକାଇ ସାରିଛି । କେବଳ ବାକି ରହିଛନ୍ତି ମେସି ଓ ତାଙ୍କ ଦଳ । ଆର୍ଜେଣ୍ଟିନା ସର୍ବାଧିକ ୧୯ଟି ଗୋଲ ସ୍କୋର କରି ସାରିଛି । ତେଣୁ ସ୍ପେନ୍‌ର ଡିଫେନ୍ସ ପ୍ରାଚୀର ଭାଙ୍ଗିବା ପାଇଁ ଉପଯୁକ୍ତ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଏକତାର ସହ ଖେଳୁଥିବାରୁ ଆର୍ଜେଣ୍ଟିନା ସର୍ବଦା ପ୍ରତିପକ୍ଷ ଦଳ ପାଇଁ ଚିନ୍ତାର କାରଣ ହେବ ।

ରେକର୍ଡ ବିପକ୍ଷରେ ଲଢ଼େଇ

ସ୍ପେନ୍ ସହ ଟାଇଟଲ ମୁକାବିଲା ରହିଥିଲେ ହେଁ ଅସଲରେ ଆର୍ଜେଣ୍ଟିନା କିଛି ରେକର୍ଡ ବିପକ୍ଷରେ ଲଢ଼େଇ କରିବ । ଆଜି ପର୍ଯ୍ୟନ୍ତ କୌଣସି ଶୀର୍ଷ ମାନ୍ୟତା ପ୍ରାପ୍ତ ଦଳ ବିଶ୍ୱକପ୍ ଚାମ୍ପିଅନ୍ ହୋଇ ନାହାନ୍ତି । ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇବା ପରେ ଆର୍ଜେଣ୍ଟିନା ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଆର୍ଜେଣ୍ଟିନାକୁ ଏହି ରେକର୍ଡରେ ବ୍ରେକ୍ ଲଗାଇବାକୁ ପଡ଼ିବ ।

-ଫାଇନାଲ ମ୍ୟାଚର ପରିଚାଳନା କରୁଥିବା ମୁଖ୍ୟ ରେଫରୀ ସ୍ଲାଭକୋ ଭିନସିସି ପୂର୍ବରୁ ଥରେ ମାତ୍ର ଆର୍ଜେଣ୍ଟିନା ଖେଳୁଥିବା ଏକ ମ୍ୟାଚ ପରିଚାଳନା କରିଥିଲେ । ଆର୍ଜେଣ୍ଟିନା ଏହି ମ୍ୟାଚ ପରାଜିତ ହୋଇଥିଲା । ୨୦୨୨ କତାର ବିଶ୍ୱକପ୍ର ଏହି ମ୍ୟାଚରେ ଦଳ ୧-୨ ଗୋଲ୍‌ରେ ସାଉଦି ଆରବ ଠାରୁ ପରାଜିତ ହୋଇଥିଲା । ଅପର ପକ୍ଷରେ ଦେଖିବାକୁ ଗଲେ ଭିନସିସ ଆଜି ପର୍ଯ୍ୟନ୍ତ ପରିଚାଳନା କରିଥିବା ସମସ୍ତ ମ୍ୟାଚରେ ସ୍ପେନ ବିଜୟୀ ହୋଇଛି ।

- ଶେଷ ଥର ପାଇଁ ବ୍ରାଜିଲ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ୧୯୬୨ ବିଶ୍ୱକପ ଟାଇଟଲ ବଜାୟ ରଖିଥିଲା । ଏହା ପରଠୁ ଦୀର୍ଘ ୬୪ ବର୍ଷ ଓ ୧୫ଟି ସଂସ୍କରଣ ଧରି କୌଣସି ଦଳ କ୍ରମାନ୍ୱୟରେ ୨ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇ ନାହାନ୍ତି । ୨୦୨୨ ବିଶ୍ୱକପ୍ ଜିତିଥିବା ଆର୍ଜେଣ୍ଟିନା ୪ ବର୍ଷ ପରେ ପୁଣି ଥରେ ଫାଇନାଲ୍ ମ୍ୟାଚ ଖେଳିବାକୁ ଯାଉଛି । ସ୍ପେନ୍‌କ ହରାଇ ପେଲେଙ୍କ ବ୍ରାଜିଲ୍ ଦଳ ସହ ସମକକ୍ଷ ହେବାକୁ ଆର୍ଜେଣ୍ଟିନା ପ୍ରୟାସ କରିବ