ନୂଆଦିଲ୍ଲୀ,୧୯/୦୭: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜି ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ତୃତୀୟ ମ୍ୟାଚ ଜିତି ସିରିଜ କବ୍ଜା କରିବା ପାଇଁ ଉଭୟ ଦଳ ପ୍ରସ୍ତୁତ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ସବୁ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ରୋହିତ ଶର୍ମା । ଲର୍ଡ୍ସରେ ସେ ଅନ୍ତିମ ଦିନିକିଆ ଖେଳିବାକୁ ଯାଉଥିବା ଗତ ୨ ଦିନ ଧରି ଆଲୋଚନା ଚାଲିଛି । ବିସିସିଆଇ ପକ୍ଷରୁ ମଧ୍ୟ ରୋହିତଙ୍କ ଅବସର ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ । ତେଣୁ ସବୁ ଦର୍ଶକ ରୋହିତଙ୍କ ବ୍ୟାଟ୍ରୁ ଚମକ ଦେଖିବା ପାଇଁ ତତ୍ପରତାର ସହ ଅପେକ୍ଷା କରିଛନ୍ତି । ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଥିବାରୁ ଏଥର ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।
ଭାରତକୁ ବିଜୟ ହାସଲ କରିବାକୁ ହେଲେ ସବୁ ବିଭାଗରେ ଉନ୍ନତି ଆଣିବାକୁ ହେବ । ସମ୍ପୂର୍ଣ୍ଣ ୫୦ ଓଭର ଖେଳିବା ଭଳି ଧୈର୍ଯ୍ୟ ଭାରତୀୟ ଦଳ ନିକଟରେ ଥିବା ଭଳି ମନେ ହେଉନାହିଁ । ପ୍ରତ୍ୟେକ ଖେଳାଳି ବଡ଼ ସଟ୍ ଖେଳିବାକୁ ପ୍ରୟାସ କରି ଆଉଟ୍ ହେଉଛନ୍ତି । ହୁଏତ ଦିନିକିଆ ସିରିଜ ଖେଳାଯାଉଥିବା ଭାରତୀୟ ଦଳ ଓ ଟିମ ମ୍ୟାନେଜମେଣ୍ଟ ଭୁଲି ସାରିଛି । ବୋଲିଂ ବିଭାଗ ମଧ୍ୟ ଲୟହୀନ ଓ ବିଶୃଙ୍ଖଳିତ ମନେ ହେଉଛି । କେବଳ ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବୋଲରଙ୍କ ପ୍ରଦର୍ଶନ ଅସ୍ଥିର ରହିଛି । ଇଂଲଣ୍ଡକୁ ହରାଇବାକୁ ହେଲେ ଭାରତକୁ ଏସବୁ ଦିଗରେ ଉନ୍ନତି ଆଣିବାକୁ ହେବ । ଇଂଲଣ୍ଡ ଦଳ ପ୍ରଥମ ମ୍ୟାଚରେ ବିଫଳ ହେବା ପରେ ଦ୍ୱିତୀୟ ମ୍ୟାଚରେ ସବୁ ତ୍ରୁଟି ସୁଧାରି ନେଇଥିଲା । ଉଭୟ ମ୍ୟାଚରେ ଜୋ ରୁଟ୍ ଭାରତୀୟ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ । ଆଜି ମଧ୍ୟ ଘରୋଇ ଦଳ ସେଭଳି ଆଧିପତ୍ୟ ଜାରି ରଖିବାକୁ ପ୍ରୟାସ କରିବ । ଦୁଇଟି ମ୍ୟାଚରେ ସେ ୧୭୫ ରନ ସଂଗ୍ରହ କରିଛନ୍ତି ଓ ଥରେ ହେଲେ ଆଉଟ୍ ହୋଇ ନାହାନ୍ତି ।
ଆଜି ଭାରତୀୟ ଦଳରେ ପରିବର୍ତ୍ତନ ହେବା ନିଶ୍ଚିତ । ୱାସିଂଟନ ସୁନ୍ଦର ଆହତ ହୋଇ ବାଦ ପଡ଼ିଛନ୍ତି । ଫଳରେ ତାଙ୍କ ସ୍ଥାନରେ ହର୍ଷ ଦୁବେ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିବ । କେଏଲ ରାହୁଲ ମଧ୍ୟ ସୁସ୍ଥ ହୋଇ ସାରିଛନ୍ତି । ସେ ମଧ୍ୟ ଏକାଦଶକୁ ଫେରିବାର ସମ୍ଭାବନା ରହିଛି । ଲର୍ଡ୍ସ ଗ୍ରାଉଣ୍ଡର ପିଚ୍ ପାରମ୍ପରିକ ଭାବେ ପେସ୍ ବୋଲରଙ୍କୁ ସହାୟତା କରିବାର ରେକର୍ଡ ରହିଛି । ମାତ୍ର ଟସ ବିଜୟୀ ଦଳ ବ୍ୟାଟିଂ ନେବା ଏକ ପ୍ରକାର ନିଶ୍ଚିତ । କ୍ରିଜରେ ଜମି ରହିଲେ ବଡ଼ ସ୍କୋର ସମ୍ଭବ ହୋଇ ପାରିବ । ଭାରତ ୨୦୦୪ରେ ଶେଷ ଥର ପାଇଁ ଲର୍ଡ୍ସ ଗ୍ରାଉଣ୍ଡରେ ଦିନିକିଆ ଜିତିଥିଲା । ଦିନେଶ କାର୍ତ୍ତିକ ଉକ୍ତ ମ୍ୟାଚରେ ପଦାର୍ପଣ କରିଥିଲେ । ବର୍ତ୍ତମାନ ସେ ଭାଷ୍ୟକାର ଭାବେ କାର୍ଯ୍ୟ କରୁଛନ୍ତି ।
ଏହା ବି ପଢନ୍ତୁ...FIFA World Cup 2026: ସୁପର ସନ୍ଡେ'ରେ ଫିଫା ବିଶ୍ୱକପ୍ ଫାଇନାଲ, ଆର୍ଜେଣ୍ଟିନା - ସ୍ପେନ୍ ମଧ୍ୟରେ ଟାଇଟଲ ଟକ୍କର, ମେସି ମ୍ୟାଜିକ୍ ଦେଖିବାକୁ ଅପେକ୍ଷା..
ସମ୍ଭାବ୍ୟ ଦଳ ଭାରତ: ରୋହିତ ଶର୍ମା, ଶୁଭମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ଶିବମ ଦୁବେ, କୁଲଦୀପ ଯାଦବ/ ହର୍ଷ ଦୁବେ, ଯଶପ୍ରୀତ ବୁମରା, ଗୁରନୂର ବ୍ରାର, ପ୍ରସିଦ୍ଧ କ୍ରିଷ୍ଣା ।
ଇଂଲଣ୍ଡ: ବେନ ଡକେଟ, ଜାକବ ବେଥେଲ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍ (ଅଧିନାୟକ), ଜୋସ ବଟଲର, ସାମ କୁରାନ, ୱିଲ ଜ୍ୟାକ୍ସ, ଗସ ଆଟକିନସନ, ଜୋଫ୍ରା ଆର୍ଚର, ସାକିବ ମହମ୍ମଦ, ଆଦିଲ ରସିଦ ।