ନୂଆଦିଲ୍ଲୀ : ବାଂଲାଦେଶରେ ପ୍ରଧାନମନ୍ତ୍ରୀ ତାରିକ ରେହମାନ ଓ ୨୦୨୪ ଆନ୍ଦୋଳନର ଛାତ୍ର ନେତାଙ୍କ ଦ୍ୱାରା ଗଠିତ ନ୍ୟାସନାଲ ସିଟିଜେନ ପାର୍ଟି ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ପାର୍ଟିର ନେତା ଓ ମହମ୍ମଦ ୟୁନୁସ ସରକାରରେ ପରାମର୍ଶଦାତା ରହି ଥିବା ଆସିଫ୍ ମହମ୍ମଦ ସୋଜିବ ଭୁୟାଁ , ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଖୋଲା ଧମକ ଦେଇଛନ୍ତି। କହିଛନ୍ତି, ହିଂସା ମାମଲାରେ ତାଙ୍କର ( ଛାତ୍ର ନେତାଙ୍କ) କୌଣସି ମୁକାବିଲା କରି ପାରିବ ନାହିଁ। ଉଲ୍ଲେଖନୀୟ ଯେ, ଛାତ୍ର ନେତାଙ୍କ ପକ୍ଷରୁ ଏହି ମନ୍ତବ୍ୟ ସେହି ବିବାଦ ପରେ ଆସିଛି, ଯେଉଁଥିରେ କ୍ଷମତାସୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ( ବିଏନପି) ଓ ନ୍ୟାସନାଲ ସିଟିଜେନ ପାର୍ଟି ( ଏନସିପି)ର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସା ଖବର ସାମ୍ନାକୁ ଆସିଥିଲା।
ନ୍ୟାସନାଲ ପାର୍ଟିର ନେତା ଭୁୟାଁ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ସିଧା ସଳଖ ମୁକାବିଲା ଏଡାଇବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି , ଯଦି ଆପଣ ଆମ ଉପରେ ହିଂସା ଲାଗୁ କରିବାକୁ ଚାହାଁନ୍ତି , ତ ଏହି ଲଢ଼େଇ କୌଣସି ଗୋଟିଏ ରାଜନୈତିକ ଦଳ, ବିଚାରଧାରା କିମ୍ବା ନୀତି ବିରୁଦ୍ଧରେ ହେବ ନାହିଁ। ଏହି ଲଢ଼େଇ ସମ୍ପୂର୍ଣ୍ଣ ରୂପେ ଏକ ପିଢି ବିରୁଦ୍ଧରେ ହେବ। ବାଂଲାଦେଶର ପୂର୍ବର ହସିନା ସରକାର ଏହି ଭୁଲ କରି ସାରିଛନ୍ତି। ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି। ଆଶା କରୁଛୁ , ତାରିକ ରହମାନ ସେହି ଭୁଲକୁ ଦୋହରାଇବେ ନାହିଁ।
ଅଗଷ୍ଟ ୨୦୨୪ରେ ଏକ ସଂରକ୍ଷଣକୁ ନେଇ ହେଉଥିବା ଏକ ଆନ୍ଦୋଳନ ପରେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜର କ୍ଷମତା ହରାଇବାକୁ ପଡ଼ି ଥିଲା। ସେହି ସମୟରେ ସେ ଫେରାର ହୋଇ ଭାରତ ଆସି ଥିଲେ ଏବଂ ସେବେ ଠାରୁ ଏପର୍ଯ୍ୟନ୍ତ ସେ ଭାରତରେ ହିଁ ଅଛନ୍ତି। ଏହି ଆନ୍ଦୋଳନରେ ବଡ଼ ସ୍ତରରେ ହିଂସା ଦେଖିବାକୁ ମିଳି ଥିଲା। ଶେଖ ହସିନାଙ୍କ କାର୍ଯ୍ୟକାଳ ସମୟରେ ଅନେକ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଇ ଥିଲା, ହେଲେ ଯେମିତି ହସିନା ଦେଶ ଛାଡ଼ି ଭାରତ ଫେରାର ହୋଇ ଥିଲେ, ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତା ଓ ନେତାଙ୍କ ଉପରେ କ୍ରୋଧ ଜାଗ୍ରତ ହୋଇଥିଲା। ଆୱାମୀ ଲିଗର ଶହ ଶହ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରି ଦିଆ ଯାଇ ଥିଲା। ଏହି ହିଂସାକାଣ୍ଡ ପରେ ମହମ୍ମଦ ୟୁନୁସଙ୍କ ଦ୍ୱାରା କ୍ଷମତାକୁ ସମ୍ଭାଳିବା ଓ ପୁଣି ଅନେକ ମାସର ଶାସନ ପରେ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା।
ନିଜ କଥାକୁ ଆଗକୁ ନେଇ ଭୁୟାଁ କହିଛନ୍ତି , ଯଦି ଢାକାର କ୍ଷମତାରେ ବସି ଥିବା ପାର୍ଟି ହିଂସା ଚାହେଁ ଏବଂ ଏହାକୁ ନିଜର ରାଜନୀତିକ ଅସ୍ତ୍ର କରିବାକୁ ଚାହୁଁଛି , ତ ତାଙ୍କୁ ୨୦୨୪ର ଆନ୍ଦୋଳନ ମନେରଖିବା ଉଚିତ୍ ଥିଲା। ଏହି ଆନ୍ଦୋଳନରେ ଆମେ ଏହା ସାବ୍ୟସ୍ତ କରିଥିଲୁ ଯେ, ହିଂସାକାଣ୍ଡ ମାମଲାରେ ଆମର ମୁକାବିଲା କେହି କରିପାରିବେ ନାହିଁ।
ଉଲ୍ଲେଖନୀୟ ଯେ, ଏହି ପୂରା ମାମଲା ବିଏନପି ଓ ଏନସିପିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଘଟିଛି। ବାଂଲାଦେଶର ଝେନଦାହ ସହରରେ ରାଜନୀତିକ କାର୍ଯ୍ୟକ୍ରମରେ ଆସି ଥିବା ଏନସିପିର ଅଧ୍ୟକ୍ଷ ନସିରୁଦ୍ଦିନ ପଟବରୀଙ୍କ ଉପରେ ଅଣ୍ଡା ଫିଙ୍ଗା ଯାଇଥିଲା। ଏହା ପରେ ବିଏନପି ଓ ଏନସିପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇ ଗଲେ । ବର୍ତ୍ତମାନରେ ଝେନେହାହରେ ପୁଲିସ ବାହିନୀ ମୁତୟନ କରାଯାଇଛି।
ଏହା ପୂର୍ବରୁ , ୨୦୨୪ ଆନ୍ଦୋଳନ ପରେ ଛାତ୍ର ନେତାଙ୍କ ଦ୍ୱାରା ଗଠିତ ନ୍ୟାସନାଲ ସିଟିଜେନ ପାର୍ଟି ବାଂଲାଦେଶରେ ନିଜର ପ୍ରଭୁତ୍ୱ ଜାରି ରଖିବାକୁ ଚେଷ୍ଟା କରିଥିଲେ। ମହମ୍ମଦ ୟୁନୁସଙ୍କ ସରକାରର ସମୟରେ ଏହି ଛାତ୍ର ନେତାମାନେ ପରାମର୍ଶଦାତାର ଭୂମିକାରେ ମଧ୍ୟ କାମ କରିଥିଲେ। କିନ୍ତୁ ଏହି ଛାତ୍ର ନେତା ଜନତାଙ୍କ ହୃଦୟ ଜିତିବାରେ ଅସଫଳ ହୋଇଛନ୍ତି। ଶେଖ ହସିନାଙ୍କ କ୍ଷମତାରୁ ଯିବାପରେ ବାଂଲାଦେଶ ରେ ବିଏନପି ନିଜ ସରକାର ଗଠନ କରିଥିଲା ଏବଂ ଅନେକ ଦଶନ୍ଧି ପରେ ଦେଶକୁ ଫେରିଥିବା ରହମାନ ପ୍ରଧାନମନ୍ତ୍ରୀ ହେଲେ। ଛାତ୍ର ନେତାଙ୍କ ଦଳ ନିର୍ବାଚନ ମୈଦାନରେ ହାରି ଗଲେ, କିନ୍ତୁ ବିରୋଧୀଙ୍କ କହିବାନୁସାରେ , ସେ ଏହି ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି କାରଣରୁ ବିଏନପିର କ୍ଷମତାରେ ଆସିବା ପରେ ଉଭୟ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅନେକ ଥର ହିଂସାକାଣ୍ଡ ଦେଖିବାକୁ ମିଳିଛି।
ଆହୁରି ମଧ୍ୟ ପଢନ୍ତୁ : ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ; ସାମ୍ନାକୁ ଆସିଲା ଇରାନ୍ କନେକ୍ସନ୍, ବ୍ଲୁ ପ୍ରିଣ୍ଟ କରିଥିଲା ସନ୍ଦିଗ୍ଧ