ମୁମ୍ବାଇ ୨୬/୧୧: ଅପ୍‌କମିଙ୍ଗ ଆକ୍ସନ୍‌-ଥ୍ରିଲର ‘ବେବି ଜନ୍‌’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଫିଲ୍ମରେ ଦିଲଜିତ ଦୋସାଂଝ ଗାଇଥିବା ଗୀତ ‘ନୈନ୍‌ ମଟକ୍କା’ ସୋସିଆଲ ମିଡିଆ ସେନ୍‌ସେସନ୍‌ ହୋଇଛି । ତେବେ, ଏହା ଜରିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ସାଉଥ୍‌ ସୁପରଷ୍ଟାର୍‌ କୀର୍ତ୍ତି ସୁରେଶ ଓ ବଲିଉଡ୍‌ ଷ୍ଟାର୍‌ ବରୁଣ ଧୱନଙ୍କ କେମିଷ୍ଟ୍ରି । ପଞ୍ଜାବୀ ଅନ୍ଦାଜ୍‌ରେ ଦିଲଜିତଙ୍କ ନୈନ୍‌ ମଟକ୍କାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ଗୀତରେ ବରୁଣଙ୍କ ଏନର୍ଜିକୁ କୀର୍ତ୍ତି ପୂରାପୂରି ମ୍ୟାଚ୍‌ କରୁଛନ୍ତି । 

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କାଲିସ୍‌ । ଗୀତରେ ପଞ୍ଜାବୀ ବିଟ୍‌ ଓ ତେଲୁଗୁ ମ୍ୟୁଜିକ୍‌ର ଫେଣ୍ଟାଫେଣ୍ଟି ସ୍ୱାଦ ରହିଛି । ଏଥିରେ କୀର୍ତ୍ତି ଓ ବରୁଣଙ୍କ ଏନର୍ଜି ଇଣ୍ଟର୍‌ନେଟ୍‌ରେ ଚହଳ ପକାଇଛି । ଏଥିସହ ଦିଲଜିତଙ୍କ ଏଣ୍ଟ୍ରି ମାହୋଲକୁ ଆହୁରି ଦମ୍‌ଦାର କରିଛି । ବରୁଣ, ଦିଲଜିତ ଓ କୀର୍ତ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଦାର ରିଲ୍‌ ଜରିଆରେ ଗୀତ ରିଲିଜ୍‌ ବିଷୟରେ ଘୋଷଣା କରିଛନ୍ତି । ବରୁଣ-କୀର୍ତ୍ତିଙ୍କ କେମିଷ୍ଟ୍ରିକୁ ସୋସିଆଲ ମିଡିଆ ୟୁଜର୍‌ଙ୍କ ପ୍ରତିକ୍ରିୟା ଆହୁରି ଖାସ୍‌ କରିଛି । ଫିଲ୍ମରେ ବରୁଣ ଜଣେ ପୁଲିସ ଅଫିସର ଏବଂ ଏକାକୀ ପ୍ରତିପାଳନ କରୁଥିବା ଜଣେ ସନ୍ତାନର ବାପା ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ସହ ଜ୍ୟାକି ଶ୍ରଫ୍‌, ୱାମିକା ଗାବି ଓ ରାଜପାଲ ଯାଦବ ଅଭିନୟ କରିଛନ୍ତି । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆଟ୍‌ଲି । ଆସନ୍ତା ବର୍ଷ କ୍ରିସ୍‌ମାସ ଅବସରରେ ଏହା ସିନେମାଘରକୁ ଆସିବ ।