ନୂଆଦିଲ୍ଲୀ,୧୯/୦୭: ବର୍ଷକୁ ବର୍ଷ ବିସିସିଆଇର ରୋଜଗାର ବଢ଼ି ବଢ଼ି ଚାଲିଛି । ୨୦୨୩-୨୪ ଆର୍ଥିକ ବର୍ଷରେ  ବୋର୍ଡ ସମୁଦାର ୯୭୪୧.୭ କୋଟି ଟଙ୍କା ରୋଜଗାର କରିଛି ।  ଏଥିରେ ଆଇପିଏଲର ୫୯ ପ୍ରତିଶତ ଅବଦାନ ରହିଛି । 

ରେଡିଫଫ୍ୟୁଜନର ରିପୋର୍ଟ ଅନୁସାରେ, ‘ଗତ ଆର୍ଥିକ  ବର୍ଷରେ ବିସିସିଆଇର ରୋଜଗାରରେ ଆଇପିଏଲରୁ ସିଂହ ଭାଗ  ରହିଛି । ଅର୍ଥାତ କେବଳ ୫୭୬୧ କୋଟି ଟଙ୍କା ଆଇପିଏଲରୁ  ମିଳିଛି । ୩୬୧ କୋଟି ଟଙ୍କା ଆଇପିଏଲକୁ ଛାଡ଼ି ଅନ୍ୟ ପ୍ରସାରଣ  ଅଧିକାରରୁ ପ୍ରାପ୍ତ ହୋଇଛି ।’ 

୨୦୦୭ରୁ ଆଇପିଏଲ ବିସିସିଆଇ ପ୍ରମୁଖ ରୋଜଗାରର ମାଧ୍ୟମ  ପାଲଟିଛି । ଏହା ରଣଜୀ ଏବଂ  ଅନ୍ୟାନ୍ୟ ଘରୋଇ କ୍ରିକେଟ୍‌  ଖେଳୁଥିବା ଖେଳାଳିଙ୍କୁ ମଧ୍ୟ  ରୋଜଗାରକ୍ଷମ କରାଇଛି । ରେଡିଫଫ୍ୟୁଜନର ମୁଖ୍ୟ ସନ୍ଦୀପ  ଗୋଏଲ କହିଛନ୍ତି, ‘ବିସିସିଆଇର ଏବେ ମୂଳ ପୁଞ୍ଜି ୩୦ ହଜାର  କୋଟି ନିକଟତର ହେଲାଣି । ବୋର୍ଡର ବାର୍ଷିକ ସୁଧ ୧ ହଜାର  କୋଟିରୁ ଊଦ୍ଧ୍ୱର୍ ରହିଛି । ବର୍ଷକୁ ବର୍ଷ ବୋର୍ଡର ଆୟ ୧୦ରୁ ୧୨  ପ୍ରତିଶତ ବୃଦ୍ଧି ପାଉଛି । ଯାହା ଏକ ଉତ୍ସାହଜନକ ବିଷୟ ।’ ଆଇସିସି  ଅର୍ଥ ଉପାର୍ଜନ ପାଇଁ ବିସିସିଆଇ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ।  ଗତ ଅପରେସନ ସିନ୍ଦୂର ସମୟରେ ଆଇପିଏଲ୍‌ କିଛି ମାତ୍ରାରେ  ପ୍ରଭାବିତ ହୋଇଥିଲା । କିନ୍ତୁ ଏଥିରେ କୌଣସି କ୍ଷତି ହୋଇନଥିଲା ।