କଟକ,୦୫/୦୧: ଏସ୍ସିବି ଦାନ୍ତ(ଡେଣ୍ଟାଲ୍) ମେଡିକାଲ କଲେଜ୍ର ଜଣେ ଛାତ୍ରୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ମୃତ ଛାତ୍ରୀଙ୍କ ନାଁ ପ୍ରଜ୍ଞାପରମିତା ଜେନା(୨୪) । ତାଙ୍କ ଘର ଜଗତପୁର ଅଞ୍ଚଳରେ । ବିଡିଏସ୍ ଡାକ୍ତରୀ ଛାତ୍ରୀଙ୍କର ମୃତ୍ୟୁର କାରଣ ସଠିକ୍ ଭାବେ ଜଣାପଡ଼ିନାହିଁ । ଏସ୍ସିବି ଆଶୁଚିକିତ୍ସା କେନ୍ଦ୍ରରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହକୁ ପୁଲିସ୍ ଜବତ କରିଛି । ରବିବାର ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ଜିମା ଦିଆଯିବ ବୋଲି ସୂଚନା ମିଳିଛି ।
ଖବରରୁ ପ୍ରକାଶ, ଏସ୍ସିବି ଡେଣ୍ଟାଲ୍ ମେଡିକାଲ କଲେଜ୍ର ବିଡିଏସ୍ ଛାତ୍ରୀ ପ୍ରଜ୍ଞାପରମିତା ଆଜି କଲେଜ୍ରେ ଅନୁପସ୍ଥିତ ଥିଲେ । ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଚିକିତ୍ସିତ ହେବା ମଧ୍ୟରେ ହାଇ ବ୍ଲଡ୍ ପ୍ରେସର ଥିବା ଜଣାପଡ଼ିଥିଲା । ପ୍ରାଥମିକ ଚିକିତ୍ସା ପାଇ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ଅନୁଭବ କରିଥିଲେ । ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ଏସ୍ସିବି ମେଡିକାଲର ନନ୍ ଟ୍ରମା କାଜୁଆଲଟିକୁ ଆଣିଥିଲେ । ତେବେ ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଏସ୍ସିବି ପରିସରରେ ଅନ୍ୟ ଛାତ୍ରଛାତ୍ରୀଙ୍କ ମହଲରେ ଶୋକ ପ୍ରକାଶ ପାଇଛି । ଖବର ପାଇ ସହପାଠୀ ଓ ସହପାଠିନୀଙ୍କ ସମେତ ଅନ୍ୟ ଦନ୍ତ ରୋଗ ବିଶେଷଜ୍ଞମାନେ ଆଶୁଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ ।