ଭଞ୍ଜନଗର,୨୧/୧୦: ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମହୁମାଛି ଆତଙ୍କ। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ବିନ୍ଧିଲେ ମହୁମାଛି। ଭୟରେ ରାସ୍ତାରେ ଦୌଡିଲେ ଲୋକେ। ଯିଏ ଯେଉଁଠି ପାଇଲା ଲୁଚିବାକୁ ଲାଗିଥିଲେ। ତେବେ ମହୁମାଛି ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। 

ମଙ୍ଗଳବାର ଭଞ୍ଜନଗର ସହରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଏଲ୍ଆଇସି ଅଫିସ କଡ଼  ଥିବା ଏକ ମୋବାଇଲ ଦୋକାନରେ ଦୀପାବଳୀ ଉପଲକ୍ଷେ ହୋମା ସହ ପୂଜାକର୍ମ ଚାଲିଥିଲା। ଏହି ହୋମ ଧୂଆଁ ମହୁମାଛି ବସା ବାନ୍ଧିଥିବା ଏକ ଗଛ ବାଜିଥିଲା । ଆଉ ହୋମ ଧୂଆଁ ବାଜିବା ପରେ ମହୁମାଛିମାନେ ଗଛରୁ ବାହାରି ସଂପୃକ୍ତ ରାସ୍ତାରେ ଯାହାକୁ ପାଇଲେ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଗଛ ତଳେ ଥିବା ଏକ ପରିବା ଦୋକାନୀକୁ ଆକ୍ରମଣ କରି ପୂରା ଘାଇଲା କରିଥିଲେ। ସେ ଦୋକାନ ଛାଡି ଜୀବନ ବିକଳରେ ପ୍ରାୟ ୨୦୦ ମିଟର ରାସ୍ତା ଚିତ୍କାର କରି ଦୌଡୁଥିବା ଦେଖିବାକୁ ମିଳିଥିଲା। ୩ ଜଣ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି। ହୋମ ଧୂଆଁରୁ ଏଭଳି ଘଟଣା ଘଟିଥିବା ବେଳେ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।