କୋଲକାତା, ୨୯।୦୪ : ସକାଳ ୭ଟାରୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ମତଦାନ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ। ହାୱଡା, ଛପରା, ଶାନ୍ତିପୁର, ନିମତଲା ଏବଂ ଭାଙ୍ଗରା ସହିତ ବିଭିନ୍ନ ସ୍ଥାନରେ ହିଂସା ସହ ଭଙ୍ଗାରୁଜା ଖବର ସାମ୍ନାକୁ ଆସୁଛି। ହାୱଡାର ବଲ୍ଲି ଉପନଗରରେ ଇଭିଏମ୍ ଖରାପ ହେବାରୁ ଗୋଷ୍ଠୀ ସଙ୍ଘର୍ଷ ହୋଇଛି। ଯାହାଫଳରେ ସିଆରପିଏଫ୍ ଯବାନମାନେ ଦୁଇ ଜଣ ଲୋକଙ୍କୁ ଉଠାଇ ନେଇଛନ୍ତି।
ସେହିପରି ନଦିଆ ଜିଲ୍ଲାର ଛପରାରେ ୫୩ ନଂ ବୁଥରେ ବିଜେପିର ଜଣେ ବୁଥ୍ ଏଜେଣ୍ଟଙ୍କୁ ଟିଏମସିର ୧୫ ରୁ ୧୬ ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ତେବେ ଟିଏମସି ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିଛି। ପୀଡ଼ିତଙ୍କ ବୟାନ ଅନୁଯାୟୀ, ଟିଏମସିର ଗୁଣ୍ଡାମାନେ ବନ୍ଧୁକ ଧରି ଆସିଥିଲେ। ତାଙ୍କୁ ଏକ ରଡରେ ଆକ୍ରମଣ କରିଥିଲେ।
ଶାନ୍ତିପୁର ୧୬ ନମ୍ଵର ୱାର୍ଡରେ ଥିବା ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଖବର ସାମ୍ନାକୁ ଆସିଛି। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଦକ୍ଷିଣ ୨୪ ପ୍ରାଗଣା ଜିଲ୍ଲାର ଭାଙ୍ଗରାରେ ଜଣେ ଆଇଏସଏଫ ଏଜେଣ୍ଟଙ୍କୁ ମତଦାନ କେନ୍ଦ୍ରରେ ଏଣ୍ଟ୍ରି କରିବାକୁ ରୋକା ଯାଇଥିଲା। ଯେଉଁଥିପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିମତାଲର ୧୪୦ ନମ୍ଵର ବୁଥରେ ମତଦାନ ବିଳମ୍ଵରେ ଆରମ୍ଭ ହୋଇଛି। ସକାଳ ସାଢେ ୭ଟା ସୁଦ୍ଧା ଏଠାରେ ଭୋଟିଂ ହୋଇନଥିଲା। ଯେଉଁଥିପାଇଁ ମତଦାତାଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା।
ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା କ୍ଷେତ୍ରର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। ଏହି ଆସନରେ ମମତାଙ୍କ ସହ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ଵନ୍ଦିତା କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- West Bengal Election: ଭବାନୀପୁରରେ ଜୋରଦାର୍ ଲଢେଇ, ଦିଦିଙ୍କୁ ପୁଣି ମାତ୍ ଦେବେ କି ଶୁଭେନ୍ଦୁ ?