କୋଲକାତା, ୨୯/୦୪ : ପଶ୍ଚିମବଙ୍ଗରେ ଭବାନୀପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର । ଏଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହେଉଛି ମହା ମୁକାବିଲା । ୨୦୨୧ ଭଳି ଶୁଭେନ୍ଦୁ ପୁଣି ମମତାଙ୍କୁ ମାତ୍‌ ଦେବେ ନା ମମତା ଜିତିବେ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଆଜି ଭବାନୀପୁର ସମେତ ମୋଟ ୧୪୨ ଆସନରେ ମତଦାନ ଚାଲିଛି। ଏହା ପୂର୍ବରୁ ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନରେ ଭୋଟିଂ ହୋଇଥିଲା । ମେ ୪ରେ ଭୋଟ ଗଣତି ହୋଇ ଫଳାଫଳ ସାମ୍ନାକୁ ଆସିବ।

୨୦୨୧ ନିର୍ବାଚନରେ ଶୁଭେନ୍ଦୁ ଓ ମମତା ପରସ୍ପର ବିରୋଧରେ ଲଢ଼ିଥିଲେ । ମଇଦାନ ଥିଲା ନନ୍ଦିଗ୍ରାମ । ଏଥର ଶୁଭେନ୍ଦୁ ଉଭୟ ନନ୍ଦିଗ୍ରାମ ଏବଂ ଭବାନୀପୁରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ମମତା କେବଳ ଭବାନୀପୁରରୁ ଲଢ଼ୁଛନ୍ତି । ୨୦୨୧ରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ମମତାଙ୍କୁ ୨ ହଜାରରୁ କମ୍‌ ଭୋଟରେ ହରାଇଥିଲେ । ପରେ ଭବାନୀପୁରରୁ ଉପନିର୍ବାଚନ ଲଢ଼ି ବିଧାନସଭା ପହଞ୍ଚିଥିଲେ ଦିଦି । ଏଥର ଟିଏମ୍‌ସି ପୂର୍ବରୁ ବିଜେପି ଶୁଭେନ୍ଦୁଙ୍କୁ ଭବାନୀପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ମମତାଙ୍କ ପାଇଁ ଏହା ଚ୍ୟାଲେଞ୍ଜ ଥିଲା । ତଥାପି ସେ ଆସନ ବଦଳାଇ ନ ଥିଲେ । ମମତା କେବଳ ଭବାନୀପୁରରୁ ପ୍ରାର୍ଥୀ ହୋଇ ଶୁଭେନ୍ଦୁଙ୍କୁ ଟକ୍କର ଦେଉଛନ୍ତି । ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ସୁପ୍ରିମୋ କିମ୍ବା ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ନିଜକୁ ଦିଦି ଭାବେ ଉପସ୍ଥାପନ କରି ନିର୍ବାଚନ ଲଢ଼ୁଛନ୍ତି। ବିଜେପି ରାଜ୍ୟରେ ଦୁର୍ନୀତି, ଗୁଣ୍ଡାଗିରି ଏବଂ ସିଣ୍ଡିକେଟ ନାମରେ ଟିଏମ୍‌ସି ସରକାରକୁ ଘେରୁଛି । ଟିଏମ୍‌ସି ଲକ୍ଷ୍ମୀ ଭଣ୍ଡାର, କନ୍ୟାଶ୍ରୀ ଯୋଜନା ଏବଂ ମହିଳାଙ୍କ ନିମନ୍ତେ ସାମାଜିକ ସୁରକ୍ଷା ଭଳି କଲ୍ୟାଣକାରୀ ଯୋଜନାକୁ ସାମ୍ନାରେ ରଖି ଜବାବ ଦେଉଛି । 

ପ୍ରଚାର ବେଳେ ଭବାନୀପୁରର ପ୍ରତି ଗଳିକନ୍ଦି ଯୁଦ୍ଧର ମଇଦାନ ଭଳି ହୋଇଥିଲା । ପାଦେ ପାଦେ ବିବାଦ, ମୁହାଁମୁହିଁ ଭଳି ସ୍ଥିତି ଉପୁଜିଥିଲା । ନିର୍ବାଚନ ପ୍ରଚାର ଶେଷ ହେବାର ଦିନକ ପୂର୍ବରୁ ଏଠାରେ ମାତ୍ର ୧୦୦ ମିଟର ଦୂରତାରେ ମମତା ଓ ଶୁଭେନ୍ଦୁଙ୍କ ରାଲି ଆୟୋଜନ କରାଯାଇଥିଲା। ପ୍ରଶାସନର ତମାମ ସୁରକ୍ଷା ବ୍ୟବସ୍ଥା ସତ୍ତ୍ଵେ ବିଜେପି ଓ ଟିଏମ୍‌ସି ସମର୍ଥକଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଟିଏମ୍‌ସିର ମଞ୍ଚରେ ମମତାଙ୍କ ଭାଷଣ ଚାଲୁଥିଲା ବେଳେ ବିଜେପି ମଞ୍ଚରେ ଶୁଭେନ୍ଦୁଙ୍କ ପ୍ରତୀକ୍ଷାରେ ଜୋରରେ ଗୀତ ବାଜୁଥିଲା । ଏଥିରେ ନିରାଶ ହୋଇ ମମତା ଲୋକଙ୍କୁ କ୍ଷମା ମାଗିଥିଲେ ଏବଂ ଜନସଭାକୁ ଆଗୁଆ ଶେଷ କରି ମଞ୍ଚ ଛାଡ଼ି ପଳାଇଥିଲେ । ବିଜେପି ଜାଣିଶୁଣି ଅଶାନ୍ତି ସୃଷ୍ଟି ଲାଗି ଉଦ୍ୟମ କରୁଥିବା ସେ ଅଭିଯୋଗ କରିଥିଲେ । ମମତା ମଞ୍ଚ ଛାଡ଼ିବା କ୍ଷଣି ଟିଏମ୍‌ସିର ସମର୍ଥକମାନେ ବିଜେପିର ରାଲି ଆଡ଼କୁ ଦୌଡ଼ିଥିଲେ। ଏବଂ ଚାହୁଁ ଚାହୁଁ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡ଼ା ହିଂସା ରୂପ ନେଇଥିଲା । ସୁରକ୍ଷା କର୍ମୀଙ୍କ ହସ୍ତକ୍ଷେପ ଯୋଗୁ ସ୍ଥିତି ଅଧିକ ବିଗିଡ଼ି ନଥିଲା । ମମତା ମଞ୍ଚ ଛାଡ଼ିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ରାଲି ହୋଇଥିଲା । ହିଂସା ପାଇଁ ସେ ମମତାଙ୍କୁ ଦାୟୀ କରିଥିଲେ । ମମତା ନିଜ ଅଞ୍ଚଳରେ ପଦଯାତ୍ରା କରିଥିଲେ । ‘ଜୋତୋଈ କୋରୋ ହମଲା ଆବାର ଜୀତବେ ବାଂଲା (ଯେତେ ଆକ୍ରମଣ କଲେ ବି ବେଙ୍ଗଲର ବିଜୟ ହେବ)’ ଗୀତର ଧୁନରେ ମମତା ବାନାର୍ଜୀ ପାୟ ୧ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । 

ସାମାଜିକ ବିବିଧତା ଦୃଷ୍ଟିରୁ ଭବାନୀପୁରକୁ ‘ମିନି ଇଣ୍ଡିଆ’ ଭାବେ ଦେଖାଯାଏ । କୋଲକାତା ନଗର ନିଗମର ୮ଟି ୱାର୍ଡରେ ବ୍ୟାପିଥିବା ଭବାନୀପୁରରେ ବଙ୍ଗାଳୀ, ଗୁଜରାଟୀ ବ୍ୟବସାୟୀ ଏବଂ ଶିଖ ପରିବାର, ମାରୱାଡି ଏବଂ ଜୈନ ପରିବାର ବ୍ୟତୀତ ବୃହତ ସଂଖ୍ୟାରେ ମୁସଲିମ ଲୋକ ବି ଅଛନ୍ତି। ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡରୁ ମଧ୍ୟ ଲୋକମାନେ ଆସି ଏଠାରେ ସ୍ଥାୟୀ ଭାବରେ ରହୁଛନ୍ତି। ଭବାନୀପୁରରେ ବଙ୍ଗାଳୀ ହିନ୍ଦୁ ୪୨%, ଅଣବଙ୍ଗାଳୀ ହିନ୍ଦୁ ୩୪% ଏବଂ ମୁସଲିମ ପାଖାପାଖି ୨୪% ଅଛନ୍ତି। ଏହି ସାମାଜିକ ସମୀକରଣ ହିଁ ସୁଭେନ୍ଦୁଙ୍କୁ ମମତାଙ୍କ ଗଡ଼କୁ ଯାଇ ଚ୍ୟାଲେଞ୍ଜ ଦେବା ଲାଗି ବଳ ପ୍ରଦାନ କରିଛି। ଏହି ଆସନରେ କାହାର ବିଜୟ ହେବ, ତାହା ଉପରେ ସାରା ଦେଶର ନଜର ରହିଛି। .

ଏହି ଖବରଟିକୁ ପଢନ୍ତୁପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୧୪୨ ଆସନରେ ମତଦାନ, ଭୋଟ୍ ଦେବେ ୩.୨ କୋଟି ଭୋଟର୍