କୋଲକାତା ; ୧୨/୧ : ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ସରଗରମ ହେବାରେ ଲାଗିଛି ରାଜନୀତି । ଲଗାତାର ବିଜେପି ଟିଏମସି ସରକାରକୁ ସମାଲୋଚନା କରୁଥିବାବେଳେ ଟିଏମସି ନେତାମାନେ ବିଜେପିକୁ ଟାର୍ଗେଟ କରୁଛି । ନିକଟରେ ଘଟିଥିବା ଦିଦି-ଇଡି ଲଢ଼େଇ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ପଶ୍ଚିମବଙ୍ଗରେ ଟିଏମସିକୁ ହରାଇ କ୍ଷମତାକୁ ଆସିବା ପାଇଁ ପ୍ରୟାସ କରୁଛି ବିଜେପି । ଅନ୍ୟପଟେ କ୍ଷମତା ବଜାୟ ରଖିବାକୁ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରୟାସ ଆରମ୍ଭ କଲାଣି ଟିଏମସି । ଏହାରି ଭିତରେ ଟିଏମସି ବିଧାୟକ ଏକ ସଭାରେ କହିଛନ୍ତି କି, ଦିଦି ମୋତେ କ୍ଷମା କର ମୁଁ ତୁମ କଥା ଶୁଣିବି ନାହିଁ ।

 ଟିଏମସି ବିଧାୟକ ଅରୁଣାଭ ସେନ୍ ଏକ ମଞ୍ଚରେ ନିଜର ଅଭିଭାଷଣରେ କହିଛନ୍ତି କି ଆଗକୁ ନିର୍ବାଚନ ଆସୁଛି । ଅନେକ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଆମ ଲୋକଙ୍କୁ ବାଂଲାଦେଶୀ ଟ୍ୟାଗ୍ ଦେଇ ନିର୍ଯାତନା ଦିଆଯାଉଛି । ଏପରିକି ମାଡ଼ ମଧ୍ୟ ମରା ଯାଉଛି । ଏଣୁ ନିର୍ବାଚନ ସମୟରେ ଯଦି ସେହି ରାଜ୍ୟର ନେତାମାନେ ପ୍ରଚାର ପାଇଁ ଆସନ୍ତି ସେମାନଙ୍କୁ ମାଡ଼ ମାରିବୁ । ଯିଏ କହିଲେ ମଧ୍ୟ ଶୁଣିବୁନି । ଏଣୁ ଆଗୁଆ ଆପଣଙ୍କ କ୍ଷମା ମାଗୁଛି ଦିଦି ଆପଣ କହିଲେ ମଧ୍ୟ ଶୁଣିବୁନି । ଏହି ଦୁଇମାସ କାହା କଥା ଶୁଣିବୁନି । କଲ୍ୟାଣପୁର ଅଞ୍ଚଳରେ ଅନୁଷ୍ଠିତ ଏକ ସଭାରେ ସେ ଏଭଳି କହିଥିଲେ । ବିଭିନ୍ନ ରାଜ୍ୟରେ ଆମର ଶ୍ରମିକ ଭାଇମାନଙ୍କୁ ଯେଭଳି ବାଂଲାଦେଶୀ ଟ୍ୟାଗ ଦେଇ ଭାଷା ପାଇଁ ମାଡ଼ ମରାଯାଉଛି ଆମେ ମଧ୍ୟ ମାରିବୁ । ମୁଁ ଜାଣିଛି ଏଠାରେ ଗଣମାଧ୍ୟମ ପ୍ରତିନିଧି ଅଛନ୍ତି । ସେମାନେ କ୍ୟାମେରାରେ ଏହାକୁ କଏଦ କରୁଛନ୍ତି । ତଥାପି ମୋର କାହାକୁ ଭୟ କରିବାର ନାହିଁ ।

 ​​​​​​​