ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରି ରାଜ୍ୟର ସମସ୍ତ ସରକାରୀ ଏବଂ ସହାୟତାପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ସକାଳ ପ୍ରାର୍ଥନାସଭା ସମୟରେ ଜାତୀୟ ଗୀତ 'ବନ୍ଦେ ମାତରମ୍' ଗାନ କରିବାକୁ ଅନିବାର୍ଯ୍ୟ କରିଛନ୍ତି। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ ଆରମ୍ଭ ସମୟରେ ଆୟୋଜିତ ହେଉଥିବା ପ୍ରାର୍ଥନା ସଭାରେ ପ୍ରତ୍ୟେକ ଛାତ୍ରଙ୍କୁ 'ବନ୍ଦେ ମାତରମ୍' ଗାନ କରିବାରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଅନୁଷ୍ଠାନ ଗୁଡ଼ିକର ପ୍ରଧାନଶିକ୍ଷକ ଏବଂ ମୁଖ୍ୟମାନଙ୍କୁ ଏହି ଆଦେଶର ଦୃଢ ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏହି ସୂଚନା ଦେଇ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ପୂର୍ବର ସମସ୍ତ ଆଦେଶ ଏବଂ ପ୍ରଥାକୁ ରଦ୍ଦ କରି ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟାଳୟରେ ଶ୍ରେଣୀ ଆରମ୍ଭ ପୂର୍ବରୁ ସ୍କୁଲ ସଭା-ପ୍ରାର୍ଥନା ସମୟରେ ଭାରତର ଜାତୀୟ ଗୀତ 'ବନ୍ଦେ ମାତରମ୍' ଗାଇବା ବାଧ୍ୟତାମୂଳକ କରିଛନ୍ତି। ଏହା ତତ୍କାଳ ପ୍ରଭାବରୁ ଲାଗୁ ହେବ।

ଶିକ୍ଷା ନିର୍ଦ୍ଦେଶକ ମେ’ ୧୩ ତାରିଖରେ ସମସ୍ତ ସରକାରୀ ଏବଂ ସହାୟତା ପ୍ରାପ୍ତ ସ୍କୁଲର ମୁଖ୍ୟ ମାନଙ୍କୁ ପତ୍ର ଲେଖି ସ୍ପଷ୍ଟ କରିଛନ୍ତି ଯେ, ସକାଳ ପ୍ରାର୍ଥନା ସଭାରେ ' ବନ୍ଦେ ମାତରମ୍ ' ଗାନ କରିବା ଅନିବାର୍ଯ୍ୟ ହେବ , ଯାହା ଫଳରେ ରାଜ୍ୟର ପ୍ରତିଟି ସ୍କୁଲରେ ସମସ୍ତ ପିଲା ଏହାକୁ ଗାଇ ପାରିବେ। ଅନ୍ୟପଟେ, ସ୍କୁଲ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜାତୀୟ ଗୀତର ଗାନ ପ୍ରାରମ୍ଭିକ ସଭାରେ ହେବ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏହାର କାର୍ଯ୍ୟକାରିତାର ସମ୍ପୂର୍ଣ୍ଣ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ହେବ, ଯେଉଁଥିରେ ଭିଡିଓ ରେକର୍ଡିଂ ମଧ୍ୟ ସାମିଲ ରହିଛି।

  • କେନ୍ଦ୍ରର ପଦକ୍ଷେପ ପରେ ନିଆଗଲା ଏହି ନିଷ୍ପତ୍ତି -

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ପ୍ରତୀକ ଗୁଡ଼ିକ ପ୍ରତି ସମ୍ମାନ ବଢ଼ାଇବା ଦିଗରେ ନିଆଯାଇଥିବା ପଦକ୍ଷେପର କିଛି ସମୟ ପରେ ଏହି ନିଷ୍ପତ୍ତି ଆସିଛି। କେନ୍ଦ୍ର ସରକାର 'ରାଷ୍ଟ୍ରୀୟ ସମ୍ମାନର ଅପମାନ ପ୍ରତିରୋଧ ଅଧିନିୟମ, ୧୯୭୧' ରେ ସଂଶୋଧନ ପାଇଁ ପ୍ରସ୍ତାବ ରଖିଛନ୍ତି, ଯେଉଁଥିରେ ' ବନ୍ଦେ ମାତରମ୍ ' ଗାନରେ ବାଧା ସୃଷ୍ଟି କରିବା ଏକ ଦଣ୍ଡନୀୟ ଅପରାଧ ଶ୍ରେଣୀରେ ଆସିବ।

  • ପୂର୍ବରୁ କେବଳ 'ଜନ ଗଣ ମନ' ଗାନ କରାଯାଉ ଥିଲା

ରାଜ୍ୟର ସ୍କୁଲ ଗୁଡ଼ିକରେ ଏବେ ପର୍ଯ୍ୟନ୍ତ ମୁଖ୍ୟତଃ ଜାତୀୟ ସଙ୍ଗୀତ ' ଜନ ଗଣ ମନ ' (ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ) ହିଁ ଗାନ କରାଯାଉ ଥିଲା। ପୂର୍ବତନ ତୃଣମୂଳ କଂଗ୍ରେସ ସରକାର ନିକଟ ଅତୀତରେ 'ବାଂଲାର ମାଟି ବାଂଲାର ଜଲ୍' (ଟାଗୋରଙ୍କ ରଚିତ) କୁ ରାଜ୍ୟ ଗୀତ ଭାବେ ଘୋଷଣା କରି ଥିଲେ। ଏବେ ' ବନ୍ଦେ ମାତରମ୍ ' (ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ) ସାମିଲ ହେବା ଦ୍ୱାରା ସକାଳ ସଭାରେ ଗୀତ ସଂଖ୍ୟା ବୃଦ୍ଧି ପାଇଛି।

  • ଶିକ୍ଷକଙ୍କ ମଧ୍ୟରେ ସମୟ ପରିଚାଳନାକୁ ନେଇ ଚିନ୍ତା -

ବାମପନ୍ଥୀ ବିଚାରଧାରାର ଏକ ପ୍ରମୁଖ ଶିକ୍ଷକ ସଂଗଠନର ମୁଖପାତ୍ର କହିଛନ୍ତି ଯେ, ଏହି ସମ୍ବନ୍ଧରେ ଏବେ ମଧ୍ୟ ଅଧିକ ସ୍ପଷ୍ଟତା ଆବଶ୍ୟକ ଯେ, ତିନୋଟି ଯାକ ଗୀତ କ’ଣ ପ୍ରତିଦିନ ଗାନ କରାଯିବ ଏବଂ ସେଗୁଡ଼ିକୁ ବର୍ତ୍ତମାନର ସମୟ-ସାରଣୀରେ କିଭଳି ସମନ୍ୱିତ କରାଯିବ। ସେ ସୀମିତ ସମୟ ମଧ୍ୟରେ ସମସ୍ତ ଗୀତ ଗାନ କରିବାର ବ୍ୟାବହାରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।