ନୂଆଦିଲ୍ଲୀ,୬।୮: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜ ଦେଶରେ ମଧ୍ୟ ବିରୋଧର ସମ୍ମୁଖୀନ ହେଉଛନ୍ତି। ଗାଜା ଷ୍ଟ୍ରିପରେ ଆକ୍ରମଣ ଏବଂ ହମାସ ସହିତ ଲଢ଼େଇ ଜାରି ରଖିବା ନେଇ ଇସ୍ରାଏଲୀ ସେନା ଏବଂ ଦେଶର ନେତୃତ୍ୱ ମଧ୍ୟରେ ମତଭେଦ ଦେଖାଯାଉଛି। ଏହି ସମୟରେ, ନେତାନ୍ୟାହୁଙ୍କ ପୁଅ ୟାଇର ନେତାନ୍ୟାହୁଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ଦେଶର ସେନା ଏକ ବିଦ୍ରୋହ ନେଇ ଷଡ଼ଯନ୍ତ୍ର କରୁଛି।

ହିବ୍ରୁ ମିଡିଆ ରିପୋର୍ଟ ଅନୁସାରେ, ଜୁନିଅରଙ୍କ ନେତନ୍ୟାହୁ ପୋଷ୍ଟକୁ ନେଇ ବିବାଦ ଆରମ୍ଭ ହୋଇଛି। ୟାଇର ନେତନ୍ୟାହୁଙ୍କ ପାଖରେ କୌଣସି ସରକାର ପଦବୀ ନାହିଁ। ଏଭଳି ସ୍ଥିତିରେ ତାଙ୍କ ପକ୍ଷରୁ ସେନା ମୁଖ୍ୟଙ୍କ ଉପରେ କ୍ଷମତା ପରିବର୍ତ୍ତନର ଷଡଯନ୍ତ୍ର ରଚିବାର ଅଭିଯୋଗ ଗମ୍ଭୀର ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି, ଜାମିର ଚାହୁଁଥିଲେ ବିଦ୍ରୋହ କରାଯାଉ ଓ ଇସ୍ରାଏଲରେ ସେନା  କ୍ଷମତା ଦଖଲ କରୁ। ସେଭଳି ସେନା ମୁଖ୍ୟ ଏୟାଲ ଜାମିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଭଳି କିଭଳି ଆପଣ କହିପାରିବେ। ଆପଣଙ୍କୁ ଏଥିରୁ କ’ଣ ମିଳିବ ? କାହିଁକି ଆପଣ ମୋତେ ଟାର୍ଗେଟ କରୁଛନ୍ତି ? ଯୁଦ୍ଧ ଭିତରେ ଏଭଳି କରିବାର ଉଦେଶ୍ୟ କ’ଣ। ଏଭଳି ମାମଲାରେ ବେଞ୍ଜାମିନ ନେତନ୍ୟାହୁଙ୍କ ମଧ୍ୟ ଜବାବ ମିଳିଛି। ସେ  କହିଛନ୍ତି,  ମୋ ପୁଅ ୩୩ ବର୍ଷର ଓ  ଏବେ ସେ ବଡ଼ ହୋଇଗଲାଣି।  ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଏହି ପୋଷ୍ଟ ପରେ ଖୋଲାଖୋଲି ଭାବରେ ସେନା ମୁଖ୍ୟ ଇୟାଲ ଜମିରଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ସେନା ମୁଖ୍ୟଙ୍କର ନିଜର ମତାମତ ପ୍ରକାଶ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି।

ଉଲ୍ଳେଖନୀୟ ଯେ, ଜାମିରଙ୍କ ଇସ୍ରାଏଲ କ୍ୟାବିନେଟ୍‌ର ବହୁ ମନ୍ତ୍ରୀଙ୍କ ସହ ଅସହମତି ରହିଛି। ଗାଜା ଉପରେ ସମ୍ପୂର୍ଣ୍ଣ ଦଖଲ କରିବାର ଯୋଜନାକୁ ସେ ବିରୋଧ କରୁଛନ୍ତି।   ମଙ୍ଗଳବାର ସେ କହିଥିଲେ ଯଦି ଆମେ ଗାଜା ଉପରେ ସମ୍ପୂର୍ଣ୍ଣ ଦଖଲ କରୁ ତେବେ ହମାସ ବନ୍ଦୀ ରଖିଥିବା ୨୦ ବନ୍ଧକଙ୍କ ପାଇଁ ବିପଦ ହୋଇପାରେ। ସେମାନେ ଏବେ ଜୀବିତ ଅଛନ୍ତି, ତାଙ୍କ ମୁକ୍ତିର ଅପେକ୍ଷାରେ ଅଛନ୍ତି। ମଙ୍ଗଳବାର ବେଞ୍ଜାମିନ ନେତନ୍ୟାହୁଙ୍କ କ୍ୟାବିନେଟ୍‌ର ମିଟିଂ ଥିଲା। ତିନି ଘଣ୍ଟାର ଏହି ମିଟିଂରେ ସେନାର ରାୟ ଓ କବଜା କରିବାର ପ୍ଲାନ୍ ଉପରେ ଚର୍ଚ୍ଚା ହୋଇଥିଲା। ଏବେ ଏହାକୁ ନେଇ ଭୋଟିଂ କରିବାର ପ୍ରସ୍ତୁତି ରହିଛି। ନେତନ୍ୟାହୁ କବଜା କରିବାର ପ୍ଲାନକୁ ଆଗକୁ ବଢାଇବା କଥା କହୁଛନ୍ତି। ଏହି ଦାବି ଇସ୍ରାଏଲରେ ମଧ୍ୟ ଦୀର୍ଘ ଦିନ ଧରି ଚାଲିଛି। ଏହା ଉପରେ ଜାମିରଙ୍କ କହିବା ଅନୁସାରେ, ଏହାଦ୍ବାରା ବନ୍ଧକଙ୍କ ଜୀବନ ଉପରେ ବିପଦ ରହିବ। ସେନାକୁ ଏହାଠାରୁ ବଡ଼ କ୍ଷତି ହେବାର ଆଶଙ୍କା ରହିଛି।