ପୁରୀ,୧୯/୧୧: ବଡ଼ଦେଉଳ ରତ୍ନଭଣ୍ଡାରକୁ  ଜଗି ରହିଥିବା ପ୍ରଭୁ ଶ୍ରୀଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ୱାରରେ ରୁପା ଛାଉଣି କରାଯିବ । ଏହି ଦ୍ୱାର ସମେତ ଭିତର ଖିଲଣ ଓ ପ୍ରଭା ମଧ୍ୟ ରୁପା ଛାଉଣି ହେବ ।  ଏନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଆରମ୍ଭ  କରିଛି । ଆସନ୍ତା ୨ ମାସ ଭିତରେ କାମ ସାରିବାକୁ  ଲକ୍ଷ୍ୟ ରହିଛି । ଭଲ ରୁପା ଛାଉଣି କାମ ଜାଣିଥିବା  ଅନୁଷ୍ଠାନକୁ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ  କାମ ଧରିବାକୁ ଆହ୍ୱାନ କରିଛି । ଦାତାଙ୍କ ରୁପାକୁ  ବ୍ୟବହାର କରି ଏହି ଛାଉଣି କାମ କରାଯିବ ।  

ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ୱାର ରୁପା  ଛାଉଣି ନେଇ କୌଣସି ସୂଚନା ନଥିବା ଶ୍ରୀଜଗନ୍ନାଥ  ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମାଧବଚନ୍ଦ୍ର  ପୂଜାପଣ୍ଡା କହିଛନ୍ତି । ରତ୍ନଭଣ୍ଡାର ଘରକୁ ଲାଗି  ଭଣ୍ଡାର ଲୋକନାଥଙ୍କ ମନ୍ଦିର ରହିଛି । ଏହି ମନ୍ଦିର  ଦ୍ୱାରର ଉଚ୍ଚତା ପ୍ରାୟ ୬ ଫୁଟ ଓ ପ୍ରସ୍ଥ ସାଢ଼େ ୩ଫୁଟ  ହେବ । ରତ୍ନଭଣ୍ଡାର ପ୍ରବେଶ ପୂର୍ବରୁ ଏଠାରେ  ଲୋକନାଥଙ୍କ ପୂଜା କରାଯାଏ ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି। ବରିଷ୍ଠ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଡ.  ଭାସ୍କର ମିଶ୍ର କହିଛନ୍ତି, ଏହି ଭଣ୍ଡାର ଲୋକନାଥଙ୍କ  ମନ୍ଦିରରେ ଭଣ୍ଡାର ମେକାପଙ୍କ ମାର୍ଫତରେ ମହାପ୍ରଭୁଙ୍କ  ଅନେକ ନିତ୍ୟ ବ୍ୟବହୃତ ଜିନିଷ ଓ ଅଳଙ୍କାର  ରହିଥାଏ । ଯେପରି ପ୍ରତିଦିନ ବ୍ୟବହାର ହେଉଥିବା  ସୁନା ପଦକ ଓ ସୁନା ଜିଭଛେଲା ପ୍ରଭୃତି । ଏହାର  ସୌନ୍ଦର୍ଯୀକରଣ ପ୍ରତି ପ୍ରଶାସନ ପଦକ୍ଷେପ ନେବା  ଆନନ୍ଦର ବିଷୟ ବୋଲି ମତ ପ୍ରକାଶ ପାଇଛି ।