ଭଞ୍ଜନଗର; ୭/୧ : ହାତୀ ଆକ୍ରମଣରେ ଚାଳିଗଲା ବୃଦ୍ଧାଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରୁ ଆସିଛି ଏଭଳି ଦୁଃଖଦ ଖବର । ଜଗନ୍ନାଥ ପ୍ରସାଦ ରେଞ୍ଜ ଅନ୍ତର୍ଗତ ଲୁଣିଗୁଣ୍ଡି ଗ୍ରାମର ଶିଶୁଳା ମଲ୍ଲିକଙ୍କ ହାତୀ ଆକ୍ରମଣରେ ପ୍ରାଣହାନୀ ଘଟିଛି । ସେ ଗାଁ ପାଖରେ ଥିବା ନିଜ ଜମିରେ କାମ ସାରି ଗାଁକୁ ଫେରୁଥିବା ବେଳେ ହାତୀପଲ ହାବୁଡରେ ପଡିଯାଇଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିବା ଡିଏଫଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।

ବୁଧବାର ଜଗନ୍ନାଥ ପ୍ରସାଦଠାରୁ ମାତ୍ର ୧୨ କିମି ଦୂର ଲୁଣିଗୁଣ୍ଡି ଗାଁର ଶୁଶିଳା ମଲ୍ଲିକ ବିଲକୁ ଯାଇଥିଲେ । ସେଠାରେ କୃଷି କାମ ସାରି ଗାଁକୁ ଫେରୁଥିବା ବେଳେ ରାସ୍ତାରେ ୧୬ ଜଣିଆ ହାତୀ ପଲ ହାବୁଡରେ ପଡିଯାଇଥିଲେ। ତେବେ ଶୁଶିଳାଙ୍କ ସହ ଯାଇଥିବା ମହିଳା ଜଣକ ଦୌଡ଼ି ପଳାଇଥିଲେ । ମାତ୍ର ଶୁଶିଳା ହାତୀଙ୍କ ପଲଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ଶୁଶିଳାଙ୍କୁ ହାତୀ କଚାଡ଼ି ଦେଇଥିବାବେଳେ ଅନ୍ୟଜଣେ ମହିଳା କିଛି ଦୂରରେ ବେହୋସ ହୋଇ ପଡ଼ିଥିଲେ । ପରେ କବର ପାଇ ବନବିଭାଗ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ଏସଂପର୍କରେ ସୂଚନା ପାଇ ଜଗନ୍ନାଥ ପ୍ରସାଦ ରେଞ୍ଜ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ମହିଳାଙ୍କୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ଶୁଶିଳା ମଲ୍ଲିକଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ମହିଳା ଜଣକ ଉକ୍ତ ଘଟଣାକୁ ଆଖି ଆଗରେ ଦେଖି ଭୟ ପାଇଯାଇଥାବାରୁ ବାରମ୍ବାର ବେହୋସ୍ ହୋଇ ପଡୁଥିବା ଦେଖିବାକୁ ମିଳିଛି। ଗୁରୁବାର ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡିଏଫଓ ମହାନ୍ତି ସୂଚନା ଦେଇଛନ୍ତି ।