ଭବାନୀପାଟଣା,୮।୭: ବନ୍ଧୁତ୍ୱର ପବିତ୍ର ସମ୍ପର୍କରେ କଳଙ୍କ । ଏକାଠି ବସି ହସଖୁସିରେ ଭୋଜି କରୁଥିବା ବେଳେ ସାମାନ୍ୟ ବଚସାରୁ ରକ୍ତମୁଖା ସାଜିଲା ସାଙ୍ଗ । ନିଶା ଏବଂ ଆକ୍ରୋଶର ଚରମ ସୀମା ପାର କରି ନିଜ ବନ୍ଧୁଙ୍କ ମୁଣ୍ଡକୁ ବିୟର ବୋତଲରେ ଆଘାତ କରିବା ସହ ଭଙ୍ଗା ବୋତଲରେ ପେଟକୁ ନିର୍ମମ ଭାବେ ଭୁଷିଦେବା ଭଳି ଏକ ଶିହରଣକାରୀ ଘଟଣା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ଗତ ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସ୍ଥାନୀୟ ଭବାନୀପାଟଣାର ତିନି ବନ୍ଧୁ ମିଶି ସଦର ଥାନା ଅଞ୍ଚଳ ଛେଦାପଡ଼ା ନିକଟ ଏକ ସ୍ଥାନକୁ ଏକାଠି ଭୋଜି କରିବାକୁ ଯାଇଥିଲେ । ଖିଆପିଆ ଚାଲିଥିବା ସମୟରେ କୌଣସି ଏକ ବ୍ୟକ୍ତିଗତ ବିଷୟକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । କଥା କଟାକଟି ଉଗ୍ର ରୂପ ନେବାରୁ ଛେଦାପଡ଼ାର ସୁମନ ନାଏକ ନାମକ ଯୁବକ ଜଣକ ଉତକ୍ଷିପ୍ତ ହୋଇ ପ୍ରଥମେ ଅଂଶୁମାନ ରାଉତଙ୍କ ମୁଣ୍ଡରେ ଏକ ବିୟର ବୋତଲ ମାଡ଼ କରିଥିଲେ । ଅଂଶୁମାନ କିଛି ବୁଝିବା ପୂର୍ବରୁ ସୁମନ ସେହି ଭଙ୍ଗା ବୋତଲକୁ ତାଙ୍କ ପେଟରେ ନିର୍ମମ ଭାବେ ଭୁଷି ଦେଇଥିଲେ, ଯାହା ଫଳରେ ଅଂଶୁମାନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ । ରକ୍ତାକ୍ତ ସ୍ଥିତିରେ ଅଂଶୁମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅତ୍ୟଧିକ ରକ୍ତସ୍ରାବ ଏବଂ ପେଟର ଭିତର ଅଂଶ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ସ୍ଥିତି ଜଟିଳ ହୋଇପଡ଼ିଥିଲା ଏବଂ ଚିକିତ୍ସା ସମ୍ଭବ ହୋଇନଥିଲା । ଯୁବକ ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ସହର ସ୍ଥିତ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତରିତ କରାଯାଇଥିଲା ।

ପୁଲିସ ମାମଲା ଉପରେ ଭାରୀ ପଡ଼ିଲା ମାନବିକତା:

ସାଧାରଣତଃ ଏଭଳି ଗୁରୁତର ଅପରାଧିକ ମାମଲାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଆଇନଗତ ପ୍ରକ୍ରିୟା ପାଇଁ ଆଡମିଶନ କରିବାକୁ ଦ୍ୱିଧା ପ୍ରକାଶ କରନ୍ତି । କିନ୍ତୁ, ଏହି ସଙ୍କଟପୂର୍ଣ୍ଣ ସମୟରେ ନର୍ସିଂହୋମ୍ କର୍ତ୍ତୃପକ୍ଷ କୌଣସି ଦ୍ୱିଧା ନ ରଖି ଆଇନଗତ କାଗଜପତ୍ର ପୂର୍ବରୁ ମାନବିକତାକୁ ପ୍ରାଥମିକତା ଦେଇ ରୋଗୀଙ୍କୁ ତୁରନ୍ତ ଭର୍ତ୍ତି କରିଥିଲେ । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଅଂଶୁମାନଙ୍କ ଜୀବନ ପ୍ରତି ବିପଦ ଘନେଇ ଆସୁଥିବା ବେଳେ ନର୍ସିଂ ହୋମର ଅଭିଜ୍ଞ ଡାକ୍ତରୀ ଦଳ ବିନା ସମୟ ନଷ୍ଟ କରି ଜରୁରୀକାଳୀନ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ଦୀର୍ଘ ସମୟର ଚେଷ୍ଟା ଓ ସଫଳ ଅସ୍ତ୍ରୋପଚାର ପରେ ଯୁବକଙ୍କ ଜୀବନ ରକ୍ଷା ହୋଇପାରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ଭବାନୀପାଟଣା ସଦର ଥାନା ପୁଲିସ୍ ନର୍ସିଂହୋମରେ ପହଞ୍ଚିବା ସହ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଆହତ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଅଭିଯୁକ୍ତ ସୁମନ ନାଏକ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇ ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି ।