​​​​​​​ପୁରୀ, ୧୬।୪ : ଗୁରୁବାର ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା। ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମାର୍ଚ୍ଚ ୨୫ ରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ପରେ ଏପ୍ରିଲ ୮ ରୁ ୧୧ ଚାରିଦିନ ଧରି ବାହାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯାଇ ଶେଷ ହୋଇଥିଲା‌। ଗତ ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ପରେ ଆଜି ସପ୍ତମ ଦିବସରେ ଏହା ପହଞ୍ଚିଛି। ଭିତର ରତ୍ନଭଣ୍ଡାର ଗଣତି ମଣତିର ଦ୍ୱିତୀୟ ଦିବସରେ ଦୀର୍ଘ ୭ ଘଣ୍ଟା ଧରି ଗଣତି ମଣତି କରାଯାଇଛି। ୧୨ ଟା ୨୫ ରେ ଭିତର ରତ୍ନଭଣ୍ଡାରର ତାଲା ଖୋଲି ଗଣତି ମଣତି ଆରମ୍ଭ କରାଯାଇଥିବା ବେଳେ ସନ୍ଧ ୭ ଟା ୧୫ ରେ ଏହା ଶେଷ ହୋଇଥିଲା।‌

୧୯୭୮ ତାଲିକା ଅନୁସାରେ ସମସ୍ତ ଅଳଙ୍କାରର ଗଣତି ଓ ମେଳକ କରାଯାଇଛି। ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଏବଂ ନିର୍ଭୁଲ ଭାବରେ ସମସ୍ତ କାର୍ଯ୍ୟ କରାଯାଉଛି।  ଗଣତି ମଣତି ସରିବା ପରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ ପରେ ସ୍ପଷ୍ଟ ସୂଚନା ଦିଆଯିବ। ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା। କେତେ ପ୍ରତିଶତ ସରିଛି ତାହା କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।  ଚଳନ୍ତି ଭଣ୍ଡାର ଏବଂ ବାହାର ଭଣ୍ଡାର ଗଣତି ମଣତି ବେଳେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସମସ୍ତ କାର୍ଯ୍ୟ କରାଯାଇଛି। ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି ସହିତ ଓଜନ ମାପ, ଫଟୋଗ୍ରାଫି, ଭିଡିଓଗ୍ରାଫି କରାଯାଉଛି। ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ ମଧ୍ୟ କରାଯାଉଛି। ଶତ ପ୍ରତିଶତ ସଠିକ୍ ଭାବେ ଗଣତି ମଣତି କରାଯାଉଛି। ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।