ଭୁବନେଶ୍ୱର, ୦୧/୦୪ : ଭୁବନେଶ୍ୱର ମହିଳା ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ଅନ୍ୟ ପୁଲିସ୍‌ ଜିାଲ୍ଲା ଅପେକ୍ଷା ରାଜଧାନୀରେ ମହିଳାଙ୍କ ପ୍ରତି ଅପରାଧ ବଢ଼ି ଚାଲିଛି । ୨୦୨୫ରେ ଭୁବନେଶ୍ୱରରେ ଗଣବଳାତ୍କାର ଦୁଇ ଗୁଣା ବଢ଼ି ତୃତୀୟ ସ୍ଥାନ ନେଇଛି । ପ୍ରଥମ ସ୍ଥାନରେ ରହିଛି ମୟୂରଭଞ୍ଜ, ଦ୍ୱିତୀୟ ସ୍ଥାନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା । ରାଜ୍ୟରେ ୫ଟି ଜିଲ୍ଲାରେ ଗୋଟିଏ ବି ଗଣବଳାତ୍କାର ମାମଲା ରୁଜୁ ହୋଇ ନାହିଁ ।

ଏସ୍‌ସିଆରବି ରିପୋର୍ଟ କହୁଛି, ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ୧୨.୫% ଗଣବଳାତ୍କାର ବଢ଼ିଛି । ୨୦୨୪ରେ ରାଜ୍ୟରେ ୮୨ଟି ଗଣବଳାତ୍କାର ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ୨୦୨୫ରେ ଏହି ସଂଖ୍ୟା ପହଞ୍ଚିଛି ୯୨ରେ । ୨୦୨୪ରେ ସର୍ବାଧିକ ୭ଟି ଗଣବଳାତ୍କାର ରାଉରକେଲା ପୁଲିସ ଜିଲ୍ଲାରେ ହୋଇଥିଲା । ଦ୍ୱିତୀୟରେ ଥିଲା କଟକ ଗ୍ରାମାଞ୍ଚଳ ପୁଲିସ୍‌ ଜିଲ୍ଲା, ଜଗତସିଂହପୁର ଓ ମୟୂରଭଞ୍ଜ । ଏହି ୩ଟି ଜିଲ୍ଳାରେ ୬ଟି ଲେଖାଏଁ ଗଣବଳାତ୍କାର ଘଟିଥିଲା । ୫ଟି ଲେଖାଁଏ ଗଣବଳାତ୍କାରରେ ତୃତୀୟ ସ୍ଥାନରେ ରହିଥିଲା ସୁନ୍ଦରଗଡ଼ ପୁଲିସ୍‌ ଜିଲ୍ଲା, କେନ୍ଦୁଝର, କନ୍ଧମାଳ, ବାଲେଶ୍ୱର । କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱର ନବମ ସ୍ଥାନରେ ଥିଲା । ଭୁବନେଶ୍ୱର ୟୁପିଡିରେ ୨୦୨୪ରେ ମାତ୍ର ୩ଟି ଓ କଟକ ୟୁପିଡିରେ ଗୋଟିଏ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା । ୨୦୨୫ରେ ୯ଟି ଲେଖାଏଁ ଗଣବଳାତ୍କାରରେ ପ୍ରଥମ ସ୍ଥାନରେ ରହିଛି ମୟୂରଭଞ୍ଜ ଓ ବାଲେଶ୍ୱର । ୭ଟି ଲେଖାଏଁ ଗଣବଳାତ୍କାରରେ ଦ୍ୱିତୀୟ ସ୍ଥାନରେ ରହିଛି କେନ୍ଦୁଝର ଓ ଭଦ୍ରକ ପୁଲିସ୍‌ ଜିଲ୍ଲା ।

ତୃତୀୟ ସ୍ଥାନରେ ରହିଛି ଭୁବନେଶ୍ୱର ୟୁପିଡି । ୨୦୨୫ରେ ଭୁବନେଶ୍ୱରରେ ୬ଟି ଗଣବଳାତ୍କାର ହୋଇଥିବା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା । କଟକ ୟୁପିଡିରେ ମାତ୍ର ଗୋଟିଏ ଗଣବଳାତ୍କାର ଘଟିଥିଲା । ୨୦୨୪ ତୁଳନାରେ ୨୦୨୫ରେ ସର୍ବସାଧାରଣ ସ୍ଥାନରେ ମହିଳା ଓ ଯୁବତୀଙ୍କୁ ଅସଦାଚରଣ କରିବା ଭୁବନେଶ୍ୱର ୟୁପିଡିରେ ଦୁଇ ଗୁଣା ବଢ଼ିଥିବା ବେଳେ କଟକ ୟୁପିଡିରେ ୩ ଗୁଣା କମିଛି । ୨୦୨୪ରେ ଭୁବନେଶ୍ୱରରେ ମାତ୍ର ୬ଟି ଓ କଟକରେ ୫୭ଟି ଘଟଣା ଘଟିଥିଲା । ୨୦୨୫ ମସିହାରେ ଭୁବନେଶ୍ୱରରେ ୧୧ଟି ଓ କଟକ ୟୁପିଡିରେ ମାତ୍ର ୧୮ଟି ଘଟଣା ଘଟିଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ଭଳି ଶିକ୍ଷିତ ପୁଲିସ୍‌ ଜିଲ୍ଲାରେ ଯୌତୁକ ଜନିତ ନିର୍ଯାତନା ବି ବଢ଼ିବାରେ ଲାଗିଛି । ପୁଲିସ୍‌ ରିପୋର୍ଟ କହୁଛି, ୨୦୨୫ରେ ଯୌତୁକ ପାଇଁ ସର୍ବାଧିକ ୧୩ ଜଣ ଗଞ୍ଜାମ ଜିଲ୍ଳାରେ ଆତ୍ମହତ୍ୟା କରିଥିଲେ । ଦ୍ୱିତୀୟ ସ୍ଥାନରେ ଥିଲା ଭୁବନେଶ୍ୱର ୟୁପିଡି । ଏହି ୟୁପିଡିରେ ଯୌତୁକ ପାଇଁ ୧୧ ଜଣ ଆତ୍ମହତ୍ୟା କରିଛନ୍ତି । ୯ ଟି ଆତ୍ମହତ୍ୟା ମାମଲାରେ ତୃତୀୟ ସ୍ଥାନରେ ଭଦ୍ରକ ଜିଲ୍ଲା ରହିଛି । ୨୦୨୫ରେ ୧୭ ଟି ପୁଲିସ୍‌ ଜିଲ୍ଲାରେ ଯୌତୁକ ପାଇଁ ଜଣେ ହେଲେ ମହିଳା ଜୀବନ ହାରି ନାହାନ୍ତି । ୨୦୨୪ରେ ଯୌତୁକ ଜନିତ ଆତ୍ମହତ୍ୟାରେ ଭୁବନେଶ୍ୱର ପ୍ରଥମ ସ୍ଥାନରେ ଥିଲା । ଗଞ୍ଜମ ଥିଲା ଦ୍ୱିତୀୟ ସ୍ଥାନରେ ।

ସେହିଭଳି ୨୦୨୪ ଅପେକ୍ଷା ୨୦୨୫ରେ ନାବାଳିକା ବଳାତ୍କାର ମଧ୍ୟ ଭୁବନେଶ୍ୱରରେ ବଢ଼ିଥିଲା । ୨୦୨୪ରେ ୭୭ ଜଣ ନାବାଳିକା ବଳାତ୍କାର ଶିକାର ହୋଇଥିଲେ । ୨୦୨୫ରେ ଏହି ସଂଖ୍ୟା ପହଞ୍ଚିଛି ୮୩ରେ । ପାଖାପାଖି ୭.୭% ନାବାଳିକା ବଳାତ୍କାର ବଢ଼ିଛି । କଟକ ୟୁପିଡିରେ ନାବାଳିକା ବଳାତ୍କାର କମିଛି । ୨୦୨୪ରେ କଟକରେ ୭୬ ଜଣ ନାବାଳିକା ବଳାତ୍କାର ଶିକାର ହୋଇଥିଲେ । ୨୦୨୫ରେ ଏହି ସଂଖ୍ୟା ପହଞ୍ଚିଛି ୬୦ରେ । ସର୍ବାଧିକ ନାବାଳିକା ବଳାତ୍କାର ଶିକାର ହୋଇଛନ୍ତି ବାଲେଶ୍ୱର ପୁଲିସ୍‌ ଜିଲ୍ଲାରେ । ଏହି ଜିଲ୍ଲାରେ ସର୍ବାଧିକ ୧୨୭ ଜଣ ବଳାତ୍କାର ଶିକାର ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ରହିଛି ମୟୂରଭଞ୍ଜ । ଏହି ଜିଲ୍ଳାରେ ୧୦୯ ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ । ୯୮ଟି ମାମଲାରେ ତୃତୀୟ ସ୍ଥାନରେ ରାୟଗଡ଼ା ଜିଲ୍ଳା ରହିଛି । 

ଏହି ଖବରଟିକୁ ପଢନ୍ତୁ- ଦ୍ୱୈତନଗରୀରେ ବଢୁଛି ଅପରାଧ : ଦୁଇ ମାସରେ ୪୩ ବଳାତ୍କାର, ୧୫ ହତ୍ୟା ମାମଲା