ଭୁବନେଶ୍ୱର, ୩୦/୦୩ : କମିଶରେଟ୍ ପୁଲିସ୍ରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଗତ ଦୁଇ ମାସ ମଧ୍ୟରେ ଟୁଇନ୍ ସିଟରେ ୪୩ ଜଣ ବଳାତ୍କାରର ଶିକାର ହୋଇଥିବା ବେଳେ ୧୫ ହତ୍ୟା ଅଭିଯୋଗ ହୋଇଥିବା ପୁଲିସ୍ ରିପୋର୍ଟ କହୁଛି । କଟକ ଅପେକ୍ଷା ଭୁବନେଶ୍ୱରରେ ଅଧିକ ମହିଳା, ଯୁବତୀ ଓ ନାବାଳିକା ବଳାତ୍କାର ଶିକାର ହୋଇଛନ୍ତି । ଗତ ଜାନୁଆରୀରେ କଟକରେ ୬ ଜଣ ମହିଳା ବଳାତ୍କାରର ଶିକାର ହୋଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ । ଭୁବନେଶ୍ୱରରେ ଏହି ସଂଖ୍ୟା ୧୦ ଥିଲା । ଫେବ୍ରୁଆରୀରେ କଟକରେ ୯ ଜଣ ଓ ଭୁବନେଶ୍ୱରରେ ୧୮ ଜଣ ବଳାତ୍କାରର ଶିକାର ହୋଇଥିଲେ । ଦୁଇ ମାସରେ ୪୩ ଜଣ ବଳାତ୍କାର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ନାବାଳିକା ଥିବା ଜଣାପଡିଛି । ଏ ସବୁ ମାମଲା ମଧ୍ୟରୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲା ଅଧିକ ।
ଚୋରିରେ ରେକର୍ଡ ଭାଙ୍ଗୁଛି ଭୁବନେଶ୍ଵର
ଦୁଇ ମାସରେ କଟକ ଓ ଭୁବନେଶ୍ୱରେ ୧୫ଟି ହତ୍ୟା ମାମଲା ରୁଜୁ ହୋଇଛି । ଜାନୁଆରୀ ଅପେକ୍ଷା ଫେବ୍ରୁଆରୀରେ ଅଧିକ ହତ୍ୟାକାଣ୍ଡ ଘଟିଛି । ଏହି ଦୁଇ ମାସ ଭିତରେ ମାତ୍ର ଗୋଟିଏ ଡକାୟତି ହୋଇଛି । ତା’ପୁଣି ଭୁବନେଶ୍ୱରରେ । ଚୋରିରେ ଦିନକୁ ଦିନ ନୂଆ ରେକର୍ଡ କରୁଛି କମିଶନରେଟ୍ ପୁଲିସ୍ । ଦୁଇ ମାସରେ ୪୧୮ଟି ଚୋରି ହୋଇଛି । ଜାନୁଆରୀରେ ଭୁବନେଶ୍ୱରରେ ୧୬୦ଟି ଓ କଟକରେ ୫୫ଟି ଚୋରି ହୋଇଥିଲା । ଫେବ୍ରୁଆରୀରେ ଭୁବନେଶ୍ୱର ୧୫୦ଟି ଓ କଟକରେ ୫୩ଟି ଚୋରି ହୋଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଏହି ଦୁଇ ମାସରେ ୫୩ ଟି ଲୁଟ୍ ଅଭିଯୋଗ ହୋଇଛି । ୧୭ ସୁନାଚେନ୍ ଲୁଟ ହୋଇଥିବା ବେଳେ ବାକି ମୋବାଇଲ୍ ଓ ଭ୍ୟାନିଟି ଲୁଟ ହୋଇଛି । ବଢ଼ିବାରେ ଲାଗିଛି ଠକେଇ ମାମଲା ।
ଜାନୁଆରୀରେ ଟୁଇନ୍ ସିଟିରେ ୩୨୦ଟି ଠକେଇ ମାମଲା ରୁଜୁ ହୋଇଥିଲା । କଟକରେ ୯୪ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ୱରରେ ଥିଲା ୨୨୬ । ଦୁର୍ଘଟଣା ମଧ୍ୟ ଉପର ମୁହାଁ ହୋଇଛି । ଜାନୁଆରୀରେ କଟକ ୟୁପିଡିରେ ୪୧ଟି ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲ । ଫେବ୍ରୁଆରରେ କଟକରେ ୩୭ଟି ଦୁର୍ଘଟଣା ଘଟିଥିଲା । ଏଥିରେ ୯ ଜଣଙ୍କ ଜୀବନ ଯାଇଛି । ଜାନୁଆରୀରେ ଭୁବନେଶ୍ୱର ୟୁପିଡିରେ ୮୦ ଦୁର୍ଘଟଣାରେ ୧୨ ଜୀବନ ଯାଇଥିଲା । ଫେବ୍ରୁଆରୀରେ ଭୁବନେଶ୍ୱରରେ ୭୧ଟି ଦୁର୍ଘଟଣା ଘଟିଥିଲା । ଏଥିରେ ୧୦ ଜଣଙ୍କ ଜୀବନ ଯାଇଛି ।
ଏହି ଖବରଟିକୁ ପଢନ୍ତୁ- ଡାକ୍ତରଙ୍କ ବିରୋଧରେ ନର୍ସ ଆଣିଲେ ସାଙ୍ଘାତିକ ଅଭିଯୋଗ