ପୁରୀ,୧୯/୦୫: ପୁରୀରେ ଭଉଁରି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗ ହେବେ । ଭଉଁରି ଯାତ୍ରାକୁ ସୁରକ୍ଷିତ  ଓ ଶୃଙ୍ଖଳିତ କରିବା ଲାଗି ଅଧିକ ଫୋର୍ସ ସମେତ  ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଏବେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଜଣେ ଅତିରିକ୍ତ  ଏସ୍‌ପିଙ୍କ ତତ୍ତ୍ୱାବଧାନରେ ୫ଜଣ ଡିଏସ୍‌ପି ତଥା ଆସିଷ୍ଟାଣ୍ଟ୍‌  କମାଣ୍ଡାଣ୍ଟ୍‌, ୮ ଜଣ ଇନ୍ସପେକ୍ଟର୍‌,ଏଏସ୍‌ଆଇ,୩୭ ଜଣ  କନେଷ୍ଟବଳ, ମହିଳା କନେଷ୍ଟବଳ ଓ ଏପିଆର୍‌ଙ୍କ ସହ  ୫୮ ଜଣ ହୋମ୍‌ଗାର୍ଡଙ୍କୁ ଯାତ୍ରାରେ ନିୟୋଜିତ କରାଯାଇଛି ।  

ଭଉଁରି ଯାତ୍ରା ଲାଗି ଅଧିକ ୩ ଜଣ ଡିଏସ୍‌ପି ବା ଆସିଷ୍ଟାଣ୍ଟ  କମାଣ୍ଡାଣ୍ଟ୍‌ ନିୟୋଜିତ ହେବେ । ପୂର୍ବରୁ ଏସ୍‌ଆଇ ଓ  ଏଏସ୍‌ଆଇ ୨୦ଜଣ ମୁତୟନ ହୋଇଥିବାବେଳ ଆହୁରି  ୮ଜଣ ଏଏସ୍‌ଆଇ ଓ ହାବିଲଦାର ୪ଜଣ ଥିବାବେଳେ  ତାହାକୁ ବୃଦ୍ଧି କରାଯାଇ ୬୦ କରାଯାଇଛି ସୋମବାର ୧୧ ପ୍ଲାଟୁନ୍‌ ଫୋର୍ସ  ମୁତୟନ ହେବେ । କଡା ସୁରକ୍ଷା ବଳୟରେ ନରେନ୍ଦ୍ର  ପୁଷ୍କରିଣୀ ରହିବ ବୋଲି ଏସ୍‌ପି ବିନୀତ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି।

ବାଣ ଫୁଟାକୁ ସମ୍ପୂର୍ଣ୍ଣ ବାରଣ  

ଭଉଁରି ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟା ହେବନି । ଏନେଇ  ପୁଲିସ ପକ୍ଷରୁ କଟକଣା ଲାଗୁ କରାଯାଇଥିବା କହିଛନ୍ତି କୁମ୍ଭାରପଡ଼ା  ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ । କୌଣସି ବ୍ୟକ୍ତି କଟକଣାକୁ ନ  ମାନି ବାଣ ଆଣିଲେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  

ଯାନବାହନ କଟକଣା

ଭଉଁରି ଯାତ୍ରା ଲାଗି ପୁଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ  କରାଯାଇଛି । ଏପରିକି ମାର୍କେଟ ଛକଠୁ ନରେନ୍ଦ୍ରକୋଣ ଦେଇ ରାୟବାହାଦୂର  ଲେନ, ନରେନ୍ଦ୍ରକୋଣଠୁ ଶୌଚାଳୟ ଛକ, ଶୌଚାଳୟ ଛକଠୁ ଦେବୀଘାଟ  ଛକ ଓ ମାଜଣାଲେନ ଗଳି ଏବଂ ଅକ୍ଷୟପାତ୍ର ଗଳିକୁ ସମ୍ପୂର୍ଣ୍ଣ ଭାବେ ନୋ-ଭେଇକିଲ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସେହିଭଳି ମାର୍କେଟ ଛକରୁ  ଆସୁଥିବା ଗାଡିଗୁଡିକ ଜେବିପିସି ଓ ପୌରପାଳିକା ପାର୍କିଂରେ ପାର୍କିଂ କରିବେ ।  ସେହିପରି ମଙ୍ଗଳାଘାଟ ପାଶ୍ୱର୍ରୁ ଆସୁଥିବା ଗାଡ଼ି ଶ୍ରୀସେତୁ ତଳେ ପାର୍କିଂ  କରିବେ । ମଙ୍ଗଳଘାଟ ପଟୁ ଆସୁଥିବା ଗାଡ଼ିଗୁଡିକ ଦେବୀଘାଟ ଛକଠାରୁ  ଜଟିଆବାବାଜୀ ଛକ ଦେଇ କୁମ୍ଭାରପଡ଼ା ଛକ ପର୍ଯ୍ୟନ୍ତ ଚଳାଚଳ କରିପାରିବେ।

ଶ୍ରୀକ୍ଷେତ୍ରେ ଭଉଁରି ମହୋତ୍ସବ, ୨୧ ଘେରା ନାବ କ୍ରୀଡ଼ା କରିବେ ଠାକୁରେ