ପୁରୀ,୧୯/୦୫: ସୋମବାର ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଉଁରି ମହୋତ୍ସବ । ପାରମ୍ପରିକ ପଟୁଆରରେ ବଡ଼ଦାଣ୍ଡରେ ଉଭାହେବେ ଚନ୍ଦନ ଦଶ ଠାକୁରେ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ନ ୨ଟାରେ ଚନ୍ଦନ ଠାକୁର ବିମାନକୁ ବିଜେ  କରିବେ । ସାଢ଼େ ୨ଟାରେ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଠାକୁରଙ୍କ ବିମାନ ଉଠିବ । ସହସ୍ରାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଗହଣରେ ନରେନ୍ଦ୍ର ଚକଡ଼ାରେ  ପହଞ୍ଚିବେ ଚନ୍ଦନ ଠାକୁର । ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ, ଶ୍ରୀରାମକୃଷ୍ଣଙ୍କ ସହ ପଞ୍ଚମହାଦେବ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ନରେନ୍ଦ୍ର ଜଳରେ ୨୧ ବାର ଚାପ କ୍ରୀଡ଼ା କରିବେ ।  

ଠାକୁରଙ୍କ ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ନିର୍ଘଣ୍ଟ ଧାର୍ଯ୍ୟ  ହୋଇଛି । ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ଯାତ ଭୋଗ ସରିବ । ସାଢ଼େ୧ଟାରେ  ନକ୍ଷେତ୍ର ବନ୍ଦାପନା । ୧ଟା୪୫ମିନିଟ୍‌ରେ ଜୟବିଜୟ ଦ୍ୱାର ନିକଟରେ ଭୋଗ ବନ୍ଦାପନା  ଅନୁଷ୍ଠିତ ହେବ । ଏହାପରେ ଚନ୍ଦନକୁ ଠାକୁରେ ବିଜେ ହେବେ । ବିମାନ ଉଠିବା  ସମୟ ରହିଛି ଅପରାହ୍ନ ସାଢ଼େ ୨ଟା । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ  ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ  ଭୋଗ, ବିଡ଼ିଆ ମଣୋହୀ, ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହେବ । ଏହାପରେ  ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଯିବେ । ଏହି ଧାର୍ମିକ ସମାବେଶରେ  ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁ ବୃନ୍ଦ ଠାକୁରଙ୍କ ସାନ୍ନିଧ୍ୟ ଲଭିବେ । ତେବେ ଏହି ଧାର୍ଯ୍ୟ  ସମୟ କେବଳ ସୂଚନା ପାଇଁ ଉଦ୍ଦିଷ୍ଟ । ଅସଲ ନୀତି ସମୟ ଭଉଁରି ଦିନ ଠାକୁରଙ୍କ  ନୀତି ଉପରେ ନିର୍ଭରଶୀଳ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।