ବର୍ଷ ୨୦୨୫ ଭାରତୀୟଙ୍କୁ ଦେଇଛି ମିଶ୍ରିତ ଅନୁଭୂତି । ଗୋଟିଏ ପଟେ ଜିଏସ୍‌ଟି  ଏବଂ ଆୟକର ରିହାତି ମାଧ୍ୟମରେ ମଧ୍ୟବିତ୍ତଙ୍କ ହାତକୁ ଆସିଛି ଟଙ୍କା । ଅନ୍ୟପଟେ ସୁନା ଓ ରୁପାର ବର୍ଦ୍ଧିତ ଦର ଦେଇଛି ମୁଣ୍ଡବ୍ୟଥା । ଅର୍ଥବ୍ୟବସ୍ଥାକୁ ଚିନ୍ତା ମଧ୍ୟକୁ ଆଣିଛି ଦୁର୍ବଳ ଟଙ୍କା । ବର୍ଷ ଶେଷରେ ଇଣ୍ଡିଗୋରେ ମହାବିଭ୍ରାଟ ଯୋଗୁ ଯାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ହଇଚଇ । ଏଆଇରେ ବିଶ୍ୱର ନାମୀଦାମୀ କମ୍ପାନିଙ୍କ ନିବେଶ ଯୋଜନା ବଜାରରେ ଭରିଦେଇଛି ଉତ୍ସାହ । ପ୍ରଥମ ସ୍ୱଦେଶୀ ଚିପ୍ ‘ବିକ୍ରମ’ ମାଧ୍ୟମରେ ଆରମ୍ଭ ହୋଇଛି ନବସୃଜନର ନୂଆ ଅଧ୍ୟାୟ...

ଉତ୍ସାହ ଆଣିଲା ଜିଏସ୍‌ଟି :୨.୦

ବର୍ଷ ୨୦୨୫ ପାର୍ବଣରେ ଦେଶବାସୀଙ୍କୁ ମିଳିଥିଲା ବିଶେଷ ଭେଟି । ଟ୍ରମ୍ପଙ୍କ ଟାରିଫ୍ ଯନ୍ତ୍ରଣାର ମଲମ ସାଜିଥିଲା ଜିଏସ୍‌ଟି :୨.୦ । ଜିଏସ୍‌ଟି  ମହାସଞ୍ଚୟ ଉତ୍ସବ ବଜାରରେ ଆଣିଥିଲା ଉତ୍ସାହ । ଶସ୍ତା ହେଲା ଅନେକ ସାମଗ୍ରୀ । ଏହି ସଂଶୋଧିତ ଟିକସ ବ୍ୟବସ୍ଥା ଦ୍ୱାରା ଚାଷୀ, ମହିଳା, ଯୁବପିଢ଼ି, ଗରିବ, ମଧ୍ୟମବର୍ଗ, ବ୍ୟବସାୟୀ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ସବୁ ବର୍ଗଙ୍କୁ ମିଳିଲା ଅପାର ଲାଭ । ଏ ଉତ୍ସବ ଅଭିବୃଦ୍ଧି ଓ ନିବେଶକୁ ଦେଲା ବଳ । ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ର ଶୁଭାରମ୍ଭ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖି କହିଲେ ଯେ, ସମସ୍ତ ରାଜ୍ୟ ଏବଂ ପ୍ରାନ୍ତରେ ତ୍ୱରାନ୍ୱିତ ହେବ ବିକାଶ । ଓଡ଼ିଶା ଭଳି ଉପଭୋକ୍ତା ରାଜ୍ୟ ଏହି ସଂସ୍କାରର ବିଶେଷ ଲାଭ ପାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ, ନିମ୍ନ ଜିଏସ୍‌ଟି  ହାର ଅର୍ଥାତ୍ ପରିବାରଗୁଡ଼ିକ ପାଇଁ ଅଧିକ ସଞ୍ଚୟ । ବ୍ୟବସାୟଗୁଡ଼ିକ ପାଇଁ ସୁଗମତା । ପ୍ରଧାନମନ୍ତ୍ରୀ କହିଲେ, ଏ ବର୍ଷ ପାର୍ବଣ ଖୁସିର ଏକ ଅତିରିକ୍ତ କାରଣ ଆଣିଛି । ଦେଶବାସୀ ଜିଏସ୍‌ଟି ସଞ୍ଚୟ ଉତ୍ସବର ଭରପୁର ଆନନ୍ଦ ନେବେ । ଜିଏସ୍‌ଟି :୨.୦ ସହିତ ପରିବାର, ବ୍ୟବସାୟ ଏବଂ ଚାଷୀମାନଙ୍କ ଆର୍ଥିକ ବୋଝ କମିବ । ସରଳ ହେବ ଟିକସ ବ୍ୟବସ୍ଥା । ଜିଏସ୍ଟିରେ ମୁଖ୍ୟତଃ ଦୁଇଟି ସ୍ଲାବ୍ ରହିଲା, ଯାହାକି ପୂର୍ବରୁ ୪ ଥିଲା । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯେପରି ଖାଦ୍ୟ, ଔଷଧ, ସାବୁନ, ଟୁଥ୍‌ପେଷ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ହେଲା ଟିକସମୁକ୍ତ । ୧୨% ସ୍ଲାବ୍‌ରେ ରହି ଆସିଥିବା ବୃହତ୍ ଭାଗ ସାମଗ୍ରୀ ୫% ଟିକସ ଥାକକୁ ଏବଂ ୨୮% ସ୍ଲାବ୍‌ରେ ରହି ଆସିଥିବା ୯୦% ସାମଗ୍ରୀ ୧୮%କୁ ଖସିଆସିଲା । ଘର ତିଆରି କରିବା, ଗାଡ଼ି କିଣିବା, ବାହାରେ ଖାଇବା କିମ୍ବା ପରିବାର ସହ ଛୁଟି କାଟିବା ଭଳି ସ୍ୱପ୍ନ ପୂରଣ କରିବା ହେଲା ସହଜ । ସ୍ୱାସ୍ଥ୍ୟ ବୀମା ଉପରେ ବି ଜିଏସ୍‌ଟି ଶୂନ କରି ଦିଆଗଲା । ଯଦି ଆୟକର ରିହାତି ଏବଂ ଜିଏସ୍‌ଟି ସଂସ୍କାରକୁ ମିଶାଇ ଦିଆଯାଏ, ତେବେ ବର୍ଷକୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବେ ଦେଶବାସୀ।

ପ୍ରଥମ ସ୍ୱଦେଶୀ ଚିପ୍ ‘ବିକ୍ରମ’

ବିଦାୟୀ ବର୍ଷ ୨୦୨୫ରେ ପ୍ରଯୁକ୍ତି ଏବଂ ନବସୃଜନର ନୂଆ ଧାରା ଦେଖିବାକୁ ମିଳିଛି । ଏକବିଂଶ ଶତାବ୍ଦୀର ଡିଜିଟାଲ ହୀରା ସେମିକଣ୍ଡକ୍ଟର କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି ଭାରତ । ଏହି ବର୍ଷ ଦେଶ ପାଇଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହାର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ୩୨-ବିଟ୍ ମାଇକ୍ରୋପ୍ରୋସେସର ଚିପ୍ ‘ବିକ୍ରମ’ । ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୫ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହାର ଉନ୍ମୋଚନ କରାଯାଇଥିଲା । ଚିପ୍‌କୁ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ର ସେମିକଣ୍ଡକ୍ଟର ଲାବୋରେଟୋରୀ । ଏହାକୁ ବିଶେଷ କରି ମହାକାଶ ମେଶିନ ଗୁଡ଼ିକ ପାଇଁ ପ୍ରସ୍ତୁତ କରାଯାଇଛି । ‘ବିକ୍ରମ’ ଭାରତର ପ୍ରଥମ ୩୨-ବିଟ୍ ମାଇକ୍ରୋପ୍ରୋସେସର, ଯାହାକୁ ସମ୍ପୂର୍ଣ୍ଣ ରୂପେ ଦେଶରେ ଡିଜାଇନ୍ ଏବଂ ପ୍ରସ୍ତୁତ କରାଯାଇଛି । ଏହି ଚିପ୍ ଏତେ ମଜଭୁତ ଯେ, ଏହା ମହାକାଶରେ ରକେଟ୍ ଲଞ୍ଚ୍ କରିବାର କଠିନ ପରିସ୍ଥିତିକୁ ବି ସହ୍ୟ କରିପାରିବ । ଏହାର ଅର୍ଥ ଏହା -୫୫ ଡିଗ୍ରୀ ସେଲ୍ସିୟସ୍‌ରୁ ନେଇ +୧୨୫ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ତାପମାତ୍ରାରେ କାର୍ଯ୍ୟ କରିପାରିବ । ଏହି ଚିପ୍‌କୁ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର (ଭିଏସ୍ଏସ୍‌ସି) ଏବଂ ସେମିକଣ୍ଡକ୍ଟର ଲ୍ୟାବ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହା ୧୮୦ ନାନୋମିଟର ସିଏମ୍ଓଏସ୍ ଟେକ୍ନୋଲୋଜି ଉପରେ ଆଧାରିତ । ଏହି ଚିପ୍‌ର ପ୍ରଥମ ବ୍ୟାଚ୍ ପିଏସ୍ଏଲ୍‌ଭି -ସି୬୦ ମିଶନ୍ ଅବସରରେ ପିଏସ୍ଏଲ୍‌ଭି  ଅର୍ବିଟାଲ୍ ଏକ୍ସପେରିମେଣ୍ଟାଲ ମଡ୍ୟୁଲ୍‌ରେ ପରୀକ୍ଷଣ କରାଯାଇଛି, ଯେଉଁଠି ଏହା ମିଶନ୍ ମ୍ୟାନେଜମେଣ୍ଟ କମ୍ପ୍ୟୁଟରକୁ ଶକ୍ତି ପ୍ରଦାନ କରିଥିଲା ।

ଆୟକର ଆଇନ ସରଳ

ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ଅନୁପାଳନ ବୋଝ କମାଇବା ପାଇଁ ଏ ବର୍ଷ ଏକ ନୂଆ ଆୟକର ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ଆଇନ ସରଳ ଏବଂ ଟିକସ ବିବାଦକୁ କମାଇବାରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଅଭିଭାଷଣରେ ପ୍ରକାଶ କରିଥିଲେ । ନୂଆ ଆଇନ ମାଧ୍ୟମରେ ବକେୟା ଟିକସକୁ ହିସାବ କରିବା ଏବଂ ରିଟର୍ଣ୍ଣ ଫାଇଲ୍ କରିବା ସହଜ ହେବ । ଏ ବିଲ୍କୁ ମଞ୍ଜୁରି ମିଳିସାରିଛି । ଏହା ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ । ବର୍ତ୍ତମାନ୍ର ଆୟକର ଆଇନକୁ ସରଳ କରିବା ନୂଆ ଆୟକର କୋଡ୍ର ଉଦ୍ଦେଶ୍ୟ । ଟିକସଦାତାଙ୍କ ପାଇଁ ଏହାକୁ ବୁଝିବା ସହଜ ହେବ । ଏହା ମାଧ୍ୟମରେ ଆୟକର ଆଇନ- ୧୯୬୧ର ପୃଷ୍ଠା ସଂଖ୍ୟା କମିଯିବ ।

ଅଭିବୃଦ୍ଧି ପାଇଁ ସଂସ୍କାରକୁ ଜୋର

ଦେଶର ବିଭିନ୍ନ କ୍ଷେତ୍ରକୁ ବଳ ଦେବା ଲାଗି ସରକାର ସରକାର ସଂସ୍କାର ପ୍ରକ୍ରିୟା ଉପରେ ପ୍ରାଥମିକତା ଜାରି ରଖିଥିଲେ । ଚଳିତ ବର୍ଷ ରେୟାରଆର୍ଥ ମ୍ୟାଗ୍ନେଟ ବିନିର୍ମାଣ ସ୍କିମ୍‌କୁ ମଞ୍ଜୁରି ମିଳିଛି । ରେୟାରଆର୍ଥ ମ୍ୟାଗ୍ନେଟ ଲାଗି ୭ ହଜାର କୋଟିର ପ୍ରୋତ୍ସାହନ ଘୋଷଣା କରାଯାଇଛି । ଚୀନ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟ । ବାର୍ଷିକ ୭ ହଜାର ମେଟ୍ରିକ ଟନ୍ ଉତ୍ପାଦନ ଯୋଜନା ରଖାଯାଇଛି । ଏଥିଲାଗି ୩ ବର୍ଷରେ ସ୍ଥାପନ ରହିଛି । ସେହିଭଳି ଜାହାଜ ନିର୍ମାଣ ପାଇଁ ୬୯,୭୫୨ କୋଟି ଏବଂ ଡାଲି ଆତ୍ମନିର୍ଭରଶୀଳତା ମିଶନ ଲାଗି ୧୧,୪୪୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ସେହିଭଳି ଇଲେକଟ୍ରୋନିକ୍ସ ଯନ୍ତ୍ରାଂଶ ବିନିର୍ମାଣ ସ୍କିମ୍ ଲାଗି ୨୩ ହଜାର କୋଟିର ବୁଷ୍ଟର ଜାରି ହୋଇଛି ।

ମଧ୍ୟବିତ୍ତ ସଶକ୍ତ

ଏ ବର୍ଷ ବଜେଟ୍‌ରେ ନରେନ୍ଦ୍ର ମୋଦି ସରକାର ମଧ୍ୟବିତ୍ତଙ୍କୁ ସଶକ୍ତ କରିବାକୁ ଅନେକ ବଡ଼ ଘୋଷଣା କରିଥିଲେ । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ଘୋଷଣା କରାଯାଇଥିଲା । ବେତନଭୋଗୀଙ୍କ ପାଇଁ ୭୫ ହଜାରର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସହ ଛାଡ଼ ସୀମା ୧୨.୭୫ ଲକ୍ଷ ଟଙ୍କା । ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ଛାଡ଼ ସୀମା ଡବଲ୍ ହୋଇଛି । ଟିଡିଏସ୍ ସୀମା ୫୦,୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ହୋଇଛି । ଘର ଭଡ଼ା ଆୟ ଉପରେ ଟିଡିଏସ୍ ଛାଡ଼ ୬ ଲକ୍ଷ ଟଙ୍କା ହେଲା । ସୀମା ଶୁଳ୍କ ହ୍ରାସ ସହିତ ଶସ୍ତା ହେଲା ମୋବାଇଲ ଫୋନ୍ ଏବଂ ଇ-କାର । ଇଭି ଏବଂ ମୋବାଇଲର ଲିଥିୟମ ଆୟନ୍ ବ୍ୟାଟେରି ଶସ୍ତା ହୋଇଛି । ଶସ୍ତା ହୋଇଛି ଏଲ୍ଇଡି-ଏଲ୍‌ସିଡି ଟିଭି । ୧ ଲକ୍ଷ କୋଟି ଟଙ୍କାର ଅର୍ବାନ ଚ୍ୟାଲେଞ୍ଜ୍ ଫଣ୍ଡ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସହରୀ ଗରିବଙ୍କ ଆୟ ବଢ଼ାଇବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ।

ଶ୍ରମିକ କଲ୍ୟାଣ: ୪ଶ୍ରମ ଆଇନ

କେନ୍ଦ୍ର ସରକାର ଚଳିତ ବର୍ଷ ଶ୍ରମିକଙ୍କ କଲ୍ୟାଣ ଲାଗି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶରେ ୪ ଶ୍ରମ ଆଇନ ଲାଗୁ ହୋଇଛି । ଦେଶବ୍ୟାପି ସର୍ବନିମ୍ନ ବେତନ କାର୍ଯ୍ୟକାରୀ । ନିଯୁକ୍ତିପତ୍ର ଏବଂ ଠିକ୍ ସମୟରେ ଦରମାକୁ ପ୍ରାଥମିକତା ଦିଆଯାଇଛି । ମହିଳା କର୍ମଚାରୀମାନେ ପୁରୁଷଙ୍କ ଭଳି ସମାନ ବେତନ ପାଇବେ । ରାତ୍ରିସିଫ୍ଟରେ କାମ କରିପାରିବେ ମହିଳା । ଏ କ୍ଷେତ୍ରରେ ନିଯୁକ୍ତିଦାତା ସୁରକ୍ଷାକୁ ସୁନିଶ୍ଚିତ କରିବେ । ୪୦ ବର୍ଷରୁ ଉଦ୍ଧ୍ୱର୍ ସବୁ ଶ୍ରମିକଙ୍କ ଲାଗି ନିଶୁଳ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଗିଗ୍ କର୍ମଚାରୀ, ପ୍ଲାଟଫର୍ମ କର୍ମଚାରୀଙ୍କ ସମେତ ସମସ୍ତଙ୍କ ଲାଗି ସାମାଜିକୁ ସୁରକ୍ଷା ସୁନିଶ୍ଚିତ ହେବ । ଶ୍ରମ ସୁରକ୍ଷା ଫ୍ରେମୱାର୍କରେ ସାମ୍ବାଦିକ, ଫ୍ରିଲାନ୍ସର, ମିଡିଆ ପେଶାଦାର ରହିଛନ୍ତି ।

ଟାରିଫ ପ୍ରଭାବ ନଗଣ୍ୟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ସାରା ବିଶ୍ୱ ଲାଗି ଚଳିତ ବର୍ଷ ଘାତକ ଥିଲା । ଏହା ଦ୍ୱାରା ବିଶ୍ୱ ଅର୍ଥନୀତିକୁ ଝଟ୍କା ଲାଗିଛି । ଭାରତ ଉପରେ ୫୦% ଟାରିଫ୍ ଲଦିଥିଲେ । ଏହା ଦ୍ୱାରା ଅର୍ଥନୀତି ଚାପଗ୍ରସ୍ତ ହୋଇଛି । ତେବେ ଭାରତୀୟ ଅର୍ଥନୀତି ଏହା ଦ୍ୱାରା ଏତେଟା ପ୍ରଭାବିତ ହୋଇନାହିଁ । ଚଳିତ ଆର୍ଥିକ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଜିଡିପି ୮.୨% ବଢ଼ିଛି । ପୂର୍ବ ବର୍ଷ ସମାନ ତ୍ରୈମାସରେ ଜିଡିପି ୫.୬% ଥିଲା । ଚଳିତ ଆର୍ôଥକ ବର୍ଷ ଏପ୍ରିଲ-ଜୁନ ଅବଧିରେ ଏହା ୭.୮% ଥିଲା। ମଜବୁତ ଗ୍ରାମୀଣ ଚାହିଦା ଏବଂ ସରକାରୀ ବ୍ୟୟ ବୃଦ୍ଧି ଯୋଗୁ ଜିଡିପି ଦୃଢ଼ ରହିଛି । ସେହିଭଳି ବାହ୍ୟ ଆହ୍ୱାନ ସତ୍ତେ୍ୱ ଭାରତର ଜିଡିପି ମଜବୁତ ବୋଲି ଆଇଏମ୍ ଏଫ୍ କହିଛି ।

ଭାରତ-ବ୍ରିଟେନ ଏଫ୍‌ଟିଏ

ଏଥର ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) କ୍ଷେତ୍ରରେ ଭାରତ ଲାଭ କରିଛି ନୂଆ ଉପଲବ୍ଧି । ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କାରବାର ଦୃଢ଼ ହେବ ବୋଲି ଆଶା କରାଯାଉଛି । ଭାରତୀୟ କୁଶଳୀ ଶ୍ରମିକଙ୍କ ଲାଗି ବ୍ରିଟେନ ଆଇଟି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ସୁଯୋଗ । ନୂଆ ମାଇଲଖୁଣ୍ଟ ହେବ ଡବଲ ଡିଷ୍ଟ୍ରିବ୍ୟୁଶନ କନଭେନସନ । ବ୍ରିଟେନରେ ପ୍ରସ୍ତୁତ ବିଳାସପୂର୍ଣ୍ଣ କାର ଏବଂ ବ୍ରାଣ୍ଡ୍ କପଡା ଭାରତରେ ଏହା ଦ୍ୱାରା ଶସ୍ତା ହେବା ରାସ୍ତା ଖୋଲିଛି ।

ତେଜିଲା ବୟକଟ୍ ତୁର୍କୀ, ଆଜରବୈଜାନ୍

ପହଲ୍‌ଗାମ ହମ୍‌ଲାର ପ୍ରତିଶୋଧ ଅପରେଶନ୍ ସିନ୍ଦୁର ଅନ୍ତର୍ଗତ ଯୁଦ୍ଧ ବେଳେ ପାକିସ୍ତାନକୁ ସହଯୋଗ ତୁର୍କୀ ଏବଂ ଆଜରବୈଜାନ ଭଳି ରାଷ୍ଟ୍ରଙ୍କୁ ଏ ବର୍ଷ ପଡ଼ିଥିଲା ମହଙ୍ଗା । ଅପରେଶନ ସିନ୍ଦୁର କେବଳ ଭାରତ-ପାକିସ୍ତାନ ସମ୍ପର୍କରେ ନିର୍ଣ୍ଣାୟକ ମୁହୂର୍ତ୍ତ ପାଲଟି ନ ଥିଲା, ତୁର୍କୀ ଏବଂ ଆଜର୍ବୈଜାନ ଭଳି ଦେଶଗୁଡ଼ିକ ସହ ଭାରତର ସମ୍ପର୍କରେ ଆଣିଥିଲା ତିକ୍ତତା । ଯୁଦ୍ଧରେ ପାକିସ୍ତାନକୁ ଏ ରାଷ୍ଟ୍ର ଦ୍ୱୟର ସମର୍ଥନ ଯୋଗୁ ଭାରତରେ ବୟକଟ୍ ତୁର୍କୀ ଏବଂ ଆଜର୍ବୈଜାନ ଅଭିଯାନ ଜୋର ଧରିଥିଲା । ପ୍ରମୁଖ ଭାରତୀୟ ବ୍ୟବସାୟୀ ଏବଂ ରାଜନୀତିଜ୍ଞମାନେ ଉଭୟ ରାଷ୍ଟ୍ର ବିରୋଧରେ ଉଠାଇଥିଲେ ସ୍ୱର । ଭାରତର ମିଲିଟାରୀ ବେସ୍ ଏବଂ ପ୍ରମୁଖ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା ପାଇଁ ପାକିସ୍ତାନ ସେନା ପକ୍ଷରୁ ବ୍ୟବହାର ହୋଇଥିଲା ତୁର୍କୀର ସୋନ୍ଗାର ଡ୍ରୋନ୍ । ଏହା ପରେ ଭାରତର କଡ଼ା ସମାଲୋଚନାର ଶିକାର ହୋଇଥିଲା ତୁର୍କୀ । ଏହାର ସାମଗ୍ରୀଗୁଡ଼ିକୁ ଦେଶରେ ବର୍ଜନ କରାଯାଇଥିଲା । ତୁର୍କୀର ରାଜଧାନୀ ଅଙ୍କାରାକୁ ନ ଯିବା ପାଇଁ ଭାରତୀୟମାନେ ଦେଇଥିଲେ ଆହ୍ୱାନ ।

ଭାରତ-ପାକ୍ ବାଣିଜ୍ୟରେ ପୂର୍ଣ୍ଣଚ୍ଛେଦ

ପହଲ୍‌ଗାମ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ନେଇଥିଲା କଡ଼ା ପଦକ୍ଷେପ । ପାକିସ୍ତାନରୁ ଯିବା ଆସିବା ବାଟ ବନ୍ଦ କରିଦେଇଥିଲା । ଏହାସହିତ ସାର୍କ ଭିସା ଛାଡ଼ ଯୋଜନାକୁ ବି ରଦ୍ଦ କରିଦେଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ପାକିସ୍ତାନରୁ ଆସୁଥିବା ଲୋକଙ୍କ ଉପରେ ରୋକ୍ ଲଗାଇବା । ଅଟାରୀରେ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ୍କୁ ତତ୍କାଳ ବନ୍ଦ କରିଦିଆଯାଇଥିଲା । ଉଦ୍ଦେଶ୍ୟ ହେଉଛି ଆର୍ଥିକ ଚାପରେ ସନ୍ତୁଳି ହେଉଥିବା ତଥା ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଶାସ୍ତି ଦେବା । ଅଟାରୀ-ୱାଘା ବର୍ଡର ବନ୍ଦ କରାଯିବା ଦ୍ୱାରା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବ୍ୟାପାର ଠପ୍ ହୋଇଥିଲା । ଭାରତରୁ ସୋୟାବିନ, ଫଳମୂଳ, ନାଲି ଲଙ୍କା, ପ୍ଲାଷ୍ଟିକ୍ ଦାନା ଏବଂ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ହେଉଥିବାବେଳେ ପାକିସ୍ତାନରୁ ଖଜୁରୀ, ଜିପ୍ସମ, ସିମେଣ୍ଟ, କାଚ ଏବଂ ଜଡ଼ିବୁଟି ଭାରତକୁ ଆସୁଥିଲା ।

ସମାନତାରେ ଚତୁର୍ଥ ସ୍ଥାନରେ ଭାରତ

ଭାରତ ବଢୁଛି । ଏହା ସହିତ ନାଗରିକଙ୍କ ମଧ୍ୟରେ ଏହା ପ୍ରଭେଦ ମଧ୍ୟ ଦୂର କରୁଛି । ବିଭିନ୍ନ କଲ୍ୟାଣମୂଳକ ଯୋଜନା ମାଧ୍ୟମରେ ଲୋକଙ୍କୁ ସଶକ୍ତ କରୁଛନ୍ତି କେନ୍ଦ୍ର ସରକାର । ବିକାଶର ଲାଭକୁ ନାଗରିକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯାଉଛି । ସମସ୍ତଙ୍କୁ ମିଳୁଛି ସମାନ ସୁବିଧା ସୁଯୋଗ । ସମାନତାରେ ସମଗ୍ର ବିଶ୍ୱରେ ଉଦାହରଣ ପାଲଟିଛି ଭାରତ । ବର୍ଷ ୨୦୨୫ରେ ବିଶ୍ୱ ବ୍ୟାଙ୍କର ଏକ ନୂଆ ରିପୋର୍ଟରେ ଏଭଳି କୁହାଯାଇଛି । ମୋଦି ସରକାରଙ୍କ ଅଭିବୃଦ୍ଧି-କୈନ୍ଦ୍ରିକ ନୀତିକୁ ବିଶ୍ୱବ୍ୟାଙ୍କ୍ ପ୍ରଶଂସା କରିଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତକୁ ବିଶ୍ୱର ସବୁଠୁ ସମାନ ସମାଜ ମଧ୍ୟରୁ ଅନ୍ୟତମ ଭାବେ ଦର୍ଶାଯାଇଛି । ଭାରତର ଗିନି ସୂଚକାଙ୍କ ରହିଛି ୨୫.୫, ଯେଉଁ ଆଧାରରେ ଏହା ସ୍ଲୋବାକିଆ, ସ୍ଲୋବେନିଆ ଏବଂ ବେଲାରୁଷ ପରେ ଚତୁର୍ଥ ସ୍ଥାନରେ ରହିଛି । ଗିନି ସୂଚକାଙ୍କ ଦର୍ଶାଇଥାଏ ଯେ, କୌଣସି ଦେଶରେ ଲୋକଙ୍କ ମଧ୍ୟରେ କେତେ ସମାନ ଭାବେ ଆୟ ଏବଂ ଟଙ୍କାର ଆବଣ୍ଟନ କରାଯାଉଛି । ଆମେରିକାର ଗିନି ସୂଚକାଙ୍କ ସ୍କୋର ୪୧.୮ ଏବଂ ଚୀନ୍‌ର ୩୫.୭ ରହିଛି । ଏହାକୁ ଦେଖିଲେ ଆମେରିକା ଏବଂ ଚୀନ୍ ତୁଳନାରେ ଭାରତରେ ସମାନତା ହାର ବହୁ ମାତ୍ରାରେ ଅଧିକ ରହିଛି । ଅର୍ଥାତ୍ ଏହା ଅଧିକ ସମାନ ସମାଜ ।

ଇଣ୍ଡିଗୋରେ ମହାବିଭ୍ରାଟ

ଏ ବର୍ଷ ଶେଷ ଭାଗରେ ଦେଶର ସର୍ବବୃହତ୍ ଏୟାର୍ଲାଇନ୍ସ ଇଣ୍ଡିଗୋରେ ଦେଖାଦେଇଥିଲା ଅଚଳାବସ୍ଥା । ପାଇଲଟ୍ ଏବଂ କ୍ର୍ୟୁ ସଦସ୍ୟଙ୍କୁ ଅଧିକ ଆରାମ ଦେବା ପାଇଁ ଉଦ୍ଦିଷ୍ଟ ଏକ ନିୟମ କାର୍ଯ୍ୟକାରୀ ହେବା ପରେ ଦେଖାଦେଇଥିଲା ଏ ସମସ୍ୟା । ପାଇଲଟ୍ ଏବଂ କ୍ର୍ୟୁ ସଦସ୍ୟ ଅଭାବ କାରଣରୁ ଦିନକୁ ବାତିଲ ହୋଇଯାଇଥିଲା ହଜାର ହଜାର ବିମାନ । ଦେଶର ବିଭିନ୍ନ ବିମାନବନ୍ଦରରେ ଫସି ରହିଥିଲେ ଯାତ୍ରୀ । ଷ୍ଟାଫ ଏବଂ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ବଚସା ଦେଖିବାକୁ ମିଳିଥିଲା । ଏପରିକି ବିମାନ ବନ୍ଦରରେ ପ୍ରବଳ ଭିଡ଼ ଯୋଗୁ ଅନେକ ଯାତ୍ରୀ ଅଚେତ ହୋଇଯିବା ଖବର ମଧ୍ୟ ଆସିଥିଲା । ସ୍ଥିତିକୁ ଆୟତ୍ତ କରିବା ପାଇଁ ଶେଷରେ ହସ୍ତକ୍ଷେପ କରିଥିଲେ କେନ୍ଦ୍ର ସରକାର ।

ଛୁଇଁ ହେଲାନି ସୁନା, ରୁପା

୨୦୨୫ରେ ଉଭୟ ସୁନା ଏବଂ ରୁପାରେ ଆକଳନ ବାହାରେ ବୃଦ୍ଧି ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ପାଇଁ ଏହି ଧାତୁ କିଣିବା ହୋଇଛି କଷ୍ଟକର । ସୁନାଠାରୁ ଅଧିକ ଦ୍ରୁତ ବେଗରେ ବଢ଼ିଛି ରୁପା ଦର । ପୂର୍ବବର୍ଷ ତୁଳନାରେ ୧୩୦% ମହଙ୍ଗା ହୋଇଛି ରୁପା । ୨୦୨୪ ଡିସେମ୍ବର ଶେଷ ଭାଗରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ଦର ଥିଲା ପ୍ରାୟ ୯୨,୦୦୦ ଟଙ୍କା । ବର୍ତ୍ତମାନ ଏହା ୨.୩ ଲକ୍ଷ ଟଙ୍କା ଉପରେ । ସେହିଭଳି ସୁନାର ଚମକ ଏ ବର୍ଷ ମଧ୍ୟ ଉଜ୍ଜ୍ୱଳ ରହିଥିଲା । ବର୍ଷ ଆରମ୍ଭରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଥିଲା ୭୮,୦୦୦ ଟଙ୍କା । ବର୍ତ୍ତମାନ ଏହା ୧.୩୫ ଟଙ୍କା ସ୍ତର ପାର କରିଛି । ଏଥିସହିତ ସୁନା ଦର ପାଖାପାଖି ୭୦% ବଢ଼ିଛି । ଭୁ-ରାଜନୈତିକ ସମସ୍ୟା ଏବଂ ଦୁର୍ବଳ ଟଙ୍କା ସ୍ଥିତିରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା କରିଛନ୍ତି ନିବେଶକ । ସୁନାରେ ପ୍ରଚୁର ନିବେଶ ଯୋଗୁ ଏହି ଧାତୁ ଅତି ମାତ୍ରାରେ ମହଙ୍ଗା ହୋଇଯାଇଛି ।

ଟଙ୍କା ଦୁର୍ବୁଳ

ଏ ବର୍ଷ ଡଲାର ତୁଳନାରେ ଅଧିକ ଦୁର୍ବଳ ହୋଇଛି ଟଙ୍କା । ଆମେରିକୀୟଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୯୧ ଟଙ୍କା ପାର୍କରିଯାଇଛି । ୨୦୨୫ରେ ଏଯାବତ ଟଙ୍କା ୬%ରୁ ଅଧିକ ଦୁର୍ବଳ ହୋଇଛି । ଜାନୁଆରୀ ୧ରେ ଡଲାର ତୁଳନାରେ ଟଙ୍କା ୮୫.୭୨ ସ୍ତରରେ ଥିଲା । ଟଙ୍କାଦୁର୍ବଳ ହେବା ଅର୍ଥ ଭାରତ ପାଇଁ ସାମଗ୍ରୀ ଆମଦାନି ମହଙ୍ଗା ହେବା ।ଏହାବ୍ୟତୀତ ବିଦେଶ ଭ୍ରମଣ ଏବଂବିଦେଶରେ ପାଠପଢ଼ା ବିମହଙ୍ଗା ହୋଇଯାଇଛି ।ଟଙ୍କା ଦୁର୍ବଳ ହେବା ଦ୍ୱାରାରପ୍ତାନିକାରୀଙ୍କୁ ଅଧିକଫାଇଦା ହେବ । ପର୍ଯ୍ୟଟକଙ୍କପାଇଁ ଭାରତ ଶସ୍ତା ହେବ,ମେଡିକାଲ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବା ସହ ଡଲାର ପଠାଇପ୍ରବାସୀ ଭାରତୀୟମାନେ ଅଧିକ ଟଙ୍କା ପାଇବେ । ଅନ୍ୟପକ୍ଷରେ,ଦରଦାମ ବଢ଼ିବ । ଅଶୋଧିତ ତୈଳ ଏବଂ ସୁନା ମହଙ୍ଗା ହେବ ।

ଭାରତରେ ଟେସ୍‌ଲା

 

ବହୁ ପ୍ରତୀକ୍ଷା ପରେ ୨୦୨୫ରେ ଭାରତରେ ପାଦ ଥାପିଛି ଟେସ୍‌ଲା । ଏଲନ୍ ମସ୍କଙ୍କ ଇ-ଯାନ କମ୍ପାନି ଟେସ୍‌ଲା ଭାରତରେ ଏହାର ପ୍ରଥମ ସୋ’ରୁମ୍ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ସ୍ଥିତ ମେକର୍ ମାକ୍ସିଟି ମଲ୍‌ରେ ୪,୦୦୦ ବର୍ଗଫୁଟ୍ ପରିମିତ ସ୍ଥାନରେ ଖୋଲିଥିଲା । ଦୁଇଟି ମଡେଲ ‘ୱାଇ’ ୟୁନିଟ୍ ସହ ସୋ’ରୁମ୍ ଖୋଲିଥିଲା ।

କମ୍ପାନିର କହିବାନୁସାରେ, ଏହି କାର୍ ଗୋଟିଏ ପୂର୍ଣ୍ଣ ଚାର୍ଜରେ ୬୨୨ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ମୁମ୍ବାଇରେ ନୂଆ ସୋ’ରୁମ୍କୁ ଉଦ୍‌ଘାଟନ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍ । ଭାରତକୁ ମଡେଲ ‘ୱାଇ’ ୟୁନିଟ୍ ସିଧାସଳଖ ଟେସ୍ଲାର ସାଂଘାଇ ଫ୍ୟାକ୍ଟ୍ରିରୁ ଆସୁଛି । ମୁମ୍ବାଇ ପରେ ଦିଲ୍ଲୀରେ ଦ୍ୱିତୀୟ ଏବଂ ଗୁରୁଗ୍ରାମରେ ତୃତୀୟ ସୋ’ରୁମ୍ ଖୋଲିଛି ଟେସ୍‌ଲା । ଅର୍ଥାତ୍ ବର୍ତ୍ତମାନ ଭାରତରେ ଟେସ୍‌ଲାର ସୋ’ରୁମ୍ ସଂଖ୍ୟା ୩ରେ ପହଞ୍ଚିଛି।

ଓଡ଼ିଆ ପୁଅକୁ ବଡ଼ ଦାୟିତ୍ବ

ଓଡ଼ିଶା ପାଇଁ ଗର୍ବର ବିଷୟ । ଏ ବର୍ଷ ପୁଣି ଜଣେ ଓଡ଼ିଆ ପୁଅକୁ ଦେଶର ସର୍ବୋଚ୍ଚ ବ୍ୟାଙ୍କ ଆର୍‌ବିଆଇରେ ମିଳିଛି ବଡ଼ ଦାୟିତ୍ୱ । ୩ ବର୍ଷ ପାଇଁ ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି-ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଏମ୍.ରାଜେଶ୍ୱର ରାଓଙ୍କ ସ୍ଥାନରେ ସେ ଅବସ୍ଥାପିତ ହୋଇଛନ୍ତି । ନୂଆ ନିଯୁକ୍ତି ପାଇଁ ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଜଣାଇଥିଲେ ।

୩,୦୦୦ ଟଙ୍କାରେ ବର୍ଷକ ପାଇଁ ଫାଷ୍ଟ୍ୟାଗ୍

ଫାଷ୍ଟ୍ୟାଗ୍ ପାଇଁ ୨୦୨୫ରେ ବାର୍ଷିକ ପାସ୍ ବ୍ୟବସ୍ଥା କରାଯାଇଥିଲା । ୩,୦୦୦ ଟଙ୍କା ଦେଇ ଏହାକୁ ସଂଗ୍ରହ କରିପାରିବେ ଘରୋଇ ଗାଡ଼ି ମାଲିକ । ୧୫ ଅଗଷ୍ଟରୁ ଏହା କାର୍ଯ୍ୟକାରୀ ହୋଇଛି । ଟୋଲ୍ ପ୍ଲାଜାଗୁଡ଼ିକରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ିକୁ ହଟାଇବା ଲାଗି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ବ୍ୟବସ୍ଥାକୁ ପ୍ରଚଳନ କରାଯାଉଛି । ଏହି ପାସ୍ ଘରୋଇ ଯାନ ଯେପରି କାର୍, ଜିପ୍ ଏବଂ ଭ୍ୟାନ୍ ପାଇଁ ଉପଲବ୍ଧ ହେଉଛି । ଏହା ବର୍ଷକ ପାଇଁ ବା ୨୦୦ ପର୍ଯ୍ୟନ୍ତ ଟୋଲ୍ ପାର୍ କରିବା (ଯେଉଁଟି ଆଗୁଆ ହେବ) ପାଇଁ ବୈଧ ରହିଛି । ଅର୍ଥାତ୍ ଗୋଟିଏ ଟୋଲ୍ ପାର୍ କରିବା ପାଇଁ ଖର୍ଚ୍ଚ ପ୍ରାୟ ୧୫ ଟଙ୍କା ।

ମେଘନାଦ ଦେସାଇ

୨୦୨୫ରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ହୋଇଯାଇଛି । ପ୍ରମୁଖ ଅର୍ଥନୀତିଜ୍ଞ ତଥା ହାଉସ୍ ଅଫ୍ ଲର୍ଡସ ସଦସ୍ୟ ମେଘନାଦ ଦେସାଇ ଏଥିରେ ରହିଛନ୍ତି । ଗୁଜରାଟରେ ଜନ୍ମିତ ଶ୍ରୀ ଦେସାଇ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ବିଭାଗର ପ୍ରଫେସର ଥିଲେ । ୧୯୬୫ରୁ ୨୦୦୩ ପର୍ଯ୍ୟନ୍ତ ସେ ସେଠାରେ ଶିକ୍ଷାଦାନ କରିଥିଲେ । ଦେସାଇ ୟୁନିଭର୍ସିଟି ଅଫ୍ ବମ୍ବେରୁ ସ୍ନାତକୋତ୍ତର କରିବା ପରେ ୧୯୬୦ରେ ୟୁନିଭର୍ସିଟି ଅଫ୍ ପେନ୍ସିଲ୍ଭାନିଆରେ ପଢ଼ିବାର ସୁଯୋଗ ପାଇଥିଲେ । ବ୍ରିଟେନ୍ ଏକାଡେମିକ୍ ଏବଂ ରାଜନୀତି କ୍ଷେତ୍ରରେ ସେ ବଡ଼ ପ୍ରଭାବ ପକାଇଥିଲେ ।

ଗୋପୀଚାନ୍ଦ ହିନ୍ଦୁଜା

ଏ ବର୍ଷ ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଗୋପୀଚାନ୍ଦ ହିନ୍ଦୁଜାଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଲଣ୍ଡନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହିନ୍ଦୁଜା ଅନେକ ସପ୍ତାହ ଧରି ରୋଗାଗ୍ରସ୍ତ ହୋଇ ହସ୍ପିଟାଲରେ ଥିଲେ । ୨୦୨୩ରେ ବଡ଼ ଭାଇ ଶ୍ରୀଚନ୍ଦ ହିନ୍ଦୁଜାଙ୍କ ପରଲୋକ ପରେ ସେ ଗ୍ରୁପ୍‌ର କମାଣ ସମ୍ଭାଳିଥିଲେ । ଗୋପୀଚାନ୍ଦ ହିନ୍ଦୁଜା ୧୯୫୯ରେ ମୁମ୍ବାଇରେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ । ସେ ହିନ୍ଦୁଜା ଗ୍ରୁପ୍‌କୁ ଏକ ଇଣ୍ଡୋ-ମିଡିଲ୍ ଇଷ୍ଟ୍ ଟ୍ରେଡିଂ କମ୍ପାନିରୁ ବଦଳାଇ ବ୍ୟାଙ୍କିଙ୍ଗ୍, ଫାଇନାନ୍ସ, ଏନର୍ଜି, ଅଟୋମୋଟିଭ୍ ଭଳି କ୍ଷେତ୍ରରେ ବିସ୍ତାରିତ ଏକ ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ ପାୱାର୍ହାଉସ୍‌ରେ ପରିବର୍ତ୍ତନ କରିଥିଲେ ।