ପାଟନା, ୭।୫: ବିହାର ରାଜନୀତିରେ ଆଜି ଏକ ବଡ଼ ଦିନ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବିସ୍ତାର ହେବାକୁ ଯାଉଛି । ଆଜି ଅର୍ଥାତ୍ ଗୁରୁବାର, ମେ ୭ ତାରିଖ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ରେ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି । ବିଜେପି ପକ୍ଷରୁ ମନ୍ତ୍ରୀ ହେବାକୁ ଥିବା ସମ୍ଭାବ୍ୟ ତାଲିକାରେ ଅନେକ ପୁରୁଣା ତଥା ଦକ୍ଷ ନେତାଙ୍କୁ ସ୍ଥାନ ମିଳିଛି । ପୂର୍ବରୁ ମନ୍ତ୍ରୀ ରହିସାରିଥିବା ବିଜୟ କୁମାର ସିହ୍ନା, ମଙ୍ଗଳ ପାଣ୍ଡେ, ରାମକୃପାଲ ଯାଦବ, ଶ୍ରେୟସୀ ସିଂ, ଲଖେନ୍ଦ୍ର ପାସୱାନ, ରମା ନିଷାଦ, ପ୍ରମୋଦ କୁମାର ଚନ୍ଦ୍ରବଂଶୀ, ଅରୁଣ ଶଙ୍କର ପ୍ରସାଦ ଏବଂ ସଞ୍ଜୟ ସିଂ ଟାଇଗରଙ୍କ ନାମ ଏହି ତାଲିକାରେ ଅଗ୍ରାଧିକାର ପାଇଛି । ଏଥିସହିତ ଦଳ କେତେକ ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦେଇଛି । ଏହି ନୂତନ ଚେହେରାଙ୍କ ମଧ୍ୟରେ କେଦାର ଗୁପ୍ତା, ନୀତିଶ ମିଶ୍ର, ମିଥିଲେଶ ତିୱାରୀ, ଇଞ୍ଜିନିୟର ଶୈଳେନ୍ଦ୍ର ଏବଂ ଶ୍ୱେତା ଗୁପ୍ତାଙ୍କ ନାମ ଚର୍ଚ୍ଚାରେ ରହିଛି ।
JDU କୋଟାରୁ କିଏ ପାଇବେ ସ୍ଥାନ ?
ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) କୋଟାରୁ ଶ୍ରବଣ କୁମାର, ଅଶୋକ ଚୌଧୁରୀ, ଲେସି ସିଂ, ମଦନ ସାହନୀ, ଜମା ଖାନ ଏବଂ ସୁନୀଲ କୁମାର ପୁଣି ଥରେ ମନ୍ତ୍ରୀ ପଦ ପାଇପାରନ୍ତି। ଅନ୍ୟପକ୍ଷରେ, ଦଳ ଏଥର ରତ୍ନେଶ ସଦା, ବୁଲୋ ମଣ୍ଡଳ, ଭଗବାନ ସିଂ କୁଶୱାହା ଏବଂ ଦାମୋଦର ରାୱତଙ୍କ ଭଳି ନୂଆ ନେତାଙ୍କୁ କ୍ୟାବିନେଟ୍ରେ ସାମିଲ କରିବାକୁ ଯାଉଛି ।
ସହଯୋଗୀ ଦଳଙ୍କ ଭାଗିଦାରୀ:
ମେଣ୍ଟ ସରକାରରେ ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ଉଚିତ ପ୍ରତିନିଧିତ୍ୱ ଦିଆଯାଇଛି:
HAM (ଜିତନ ରାମ ମାଝୀଙ୍କ ଦଳ): ସନ୍ତୋଷ ସୁମନ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।
LJP-R (ଚିରାଗ ପାସୱାନଙ୍କ ଦଳ): ସଞ୍ଜୟ ସିଂ ଏବଂ ସଞ୍ଜୟ ପାସୱାନଙ୍କୁ ମନ୍ତ୍ରୀ କରାଯାଇପାରେ ।
RLM (ଉପେନ୍ଦ୍ର କୁଶୱାହାଙ୍କ ଦଳ): ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶ ମନ୍ତ୍ରୀ ହେବାର ସମ୍ଭାବନା ଅଛି ।
ନିୟମ ଅନୁଯାୟୀ, ବିହାର ବିଧାନସଭାର ସଦସ୍ୟ ସଂଖ୍ୟା ଭିତ୍ତିରେ ସର୍ବାଧିକ ୩୬ ଜଣ ମନ୍ତ୍ରୀ ରହିପାରିବେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ (ବିଜେପି) ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ଯାଦବ (ଉଭୟ ଜେଡିୟୁ) କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଆଜି ୩୦ ଜଣ ନୂଆ ମନ୍ତ୍ରୀ ଶପଥ ନେବା ପରେ ମୋଟ ମନ୍ତ୍ରୀ ସଂଖ୍ୟା ୩୩ରେ ପହଞ୍ଚିବ । ବାକି ୩ଟି ପଦକୁ ଭବିଷ୍ୟତ ପାଇଁ ଖାଲି ରଖାଯାଇପାରେ । ଏହି ସମ୍ପ୍ରସାରଣ ମାଧ୍ୟମରେ ବିହାରରେ ଜାତିଗତ ସମୀକରଣ ଏବଂ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି-ଜେଡିୟୁ ମେଣ୍ଟ ଏକ ସନ୍ତୁଳିତ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଚେଷ୍ଟା କରିଛି ।
ଆହୁରି ପଢ଼ନ୍ତୁ... ଆସାମରେ ବିଜେପିର ତୃତୀୟଥର ବିଜୟ ପଛର କାହାଣୀ....