ନୂଆଦିଲ୍ଲୀ, ୦୫/୦୩ : ସିଏମ୍ ରୁ ସାଂସଦ ହେବେ ନୀତୀଶ ? ରାଜ୍ୟସଭା ସଦସ୍ୟ ହେବାକୁ ଭରିବେ ପ୍ରାର୍ଥୀପତ୍ର ? ୨୦ ବର୍ଷ କାଳ ବିହାରକୁ ପରିବର୍ତ୍ତନ କରିଥିବା ନୀତୀଶ ଏବେ ନିଜେ ପରିବର୍ତ୍ତନ ସ୍ରୋତରେ କି ? ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ୱାର୍ଲ୍ଡକପ୍ ଫାଇନାଲ୍ ଠାରୁ ଏବେ ଅଧିକ ରୋମାଞ୍ଚକର ବିହାର ରାଜନୀତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ଆଜି ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି। ନୀତୀଶଙ୍କ ପରେ ବିହାର ଶାସନ ଗାଦିରେ କିଏ ବସିବ ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। 

ସୂଚନା ଅନୁଯାୟୀ, ବିହାରରେ ନୂଆ ମୁଖ୍ୟମନ୍ତ୍ରୀ ରେସ୍‌ ରେ ୫ ଜଣଙ୍କ ନାମ ଚର୍ଚ୍ଚା ହେଉଛି। ରେସ୍‌ ରେ ସବୁଠୁ ଆଗରେ ସମ୍ରାଟ ଚୌଧୁରୀ ଅଛନ୍ତି। ସେହିପରି ଦ୍ଵିତୀୟରେ ନିତ୍ୟାନନ୍ଦ ରାୟ, ତୃତୀୟରେ ଦିଲୀପ ଜୟସୱାଲ, ଚତୁର୍ଥରେ ବିଜୟ ସିହ୍ନା ଏବଂ ପଞ୍ଚମରେ ବିଜେପି ବିଧାୟକ ସଞ୍ଜିବ ଚୌରସିଆଙ୍କ ନାମ ଚର୍ଚ୍ଚା ହେଉଛି। 

ସମ୍ରାଟ ଚୌଧୁରୀ
ସମ୍ରାଟ ଚୌଧୁରୀ ବିହାର ରାଜନୀତିର ଜଣେ ପ୍ରମୁଖ ଚେହେରା। ୧୯୬୮ ମସିହା ନଭେମ୍ଵର ୧୬ରେ ମୁଙ୍ଗେରର ଲଖନପୁର ଗାଁରେ ତାଙ୍କର ଜନ୍ମ। ସମ୍ରାଟଙ୍କ ପିତା ଶକୁନି ଚୌଧୁରୀ ୬ ଥରର ବିଧାୟକ ଏବଂ ଥରେ ସାଂସଦ ଥିଲେ। ତାଙ୍କ ମା ପାର୍ବତୀ ଦେବୀ ତାରାପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ କରୁଥିଲେ। ୧୯୯୦ ମସିହାରେ ସମ୍ରାଟ ଚୌଧୁରୀ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ମେ ୧୯୯୯ରେ ରାବ୍ରୀ ଦେବୀଙ୍କ ସରକାରରେ ସେ ପ୍ରଥମ ଥର ପାଇଁ କୃଷି ମନ୍ତ୍ରୀ ହୋଇଥିଲେ। ୨୦୦୦ ଏବଂ ୨୦୧୦ରେ ସେ ପରବତା ଆସନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୦ ମସିହାରେ, ସେ ବିହାର ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ୧୩ ଆରଜେଡି ବିଧାୟକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ ଜୀତନ ରାମ ମାଞ୍ଝିଙ୍କ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ। ୨୦୨୩ରେ ବିଜେପି ତାଙ୍କୁ ସଞ୍ଜୟ ଜୟସୱାଲଙ୍କ ବଦଳରେ ବିହାର ରାଜ୍ୟ ପ୍ରଭାରୀ ଭାବରେ ନିଯୁକ୍ତ କରିଥିଲା। 

ରାଜ୍ୟ ସଭାପତି ଭାବରେ, ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଏହି ସମୟ ମଧ୍ୟରେ, ସେ ଏକ ପ୍ରତୀକାତ୍ମକ ପ୍ରତିଶ୍ରୁତି ନେଇଥିଲେ ଏବଂ ପଗଡ଼ି ପିନ୍ଧିବା ଆରମ୍ଭ କରିଥିଲେ। ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ହିଁ ଏହାକୁ ହଟାଇବେ ବୋଲି ପ୍ରତିଜ୍ଞା କରିଥିଲେ।  ଯେତେବେଳେ ନୀତୀଶ କୁମାର ବିଜେପି ନେତୃତ୍ୱାଧୀନ ମେଣ୍ଟରେ ପୁନର୍ବାର ଯୋଗ ଦେଇଥିଲେ, ସେ ପଗଡ଼ି ହଟାଇ ଦେଇଥିଲେ। ଜାନୁଆରୀ ୨୦୨୪ରେ କ୍ଷମତା ପରିବର୍ତ୍ତନ ପରେ, ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳର ନେତା ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ, ୨୦୨୫ ନିର୍ବାଚନରେ, ପୁଣି ଥରେ NDA ସରକାର ଗଠନ ହୋଇଥିଲା, ଏବଂ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ, ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜଣେ ଆଗଧାଡ଼ିର ନେତା।​​​​​​​

ନିତ୍ୟାନନ୍ଦ ରାୟ
୧୯୬୬ରେ ଜନ୍ମଗ୍ରହଣ କରିଥିବା ନିତ୍ୟାନନ୍ଦ ରାୟ ବିହାର ରାଜନୀତିରେ ଜଣେ ସକ୍ରିୟ ନେତା। ବିଜେପିର ଜଣେ ପ୍ରମୁଖ ଯାଦବ ଚେହେରା। ଆରଜେଡିର ପାରମ୍ପରିକ ଯାଦବ ଭୋଟ୍ ବ୍ୟାଙ୍କ ଟାଣିବା ଏବଂ ଓବିସି ଭୋଟକୁ ବିଜେପି ପ୍ରତି ଆକର୍ଷିତ କରିବା ପାଇଁ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୦୦ ମସିହାରୁ ସାଂସଦ ଭାବରେ ନିର୍ବାଚିତ ହେବା ପର୍ଯ୍ୟନ୍ତ, ସେ ହାଜିପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିରନ୍ତର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ବିହାରରେ ବିଜେପିର ରାଜ୍ୟ ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଦିଲୀପ ଜୟସୱାଲ
୧୯୬୩ ଡିସେମ୍ଵର ୩ରେ ଜନ୍ମଗ୍ରହଣ କରିଥିବା ଦିଲୀପ ରାୟ ଜଣେ ପଛୁଆ ବର୍ଗର ନେତା। ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। ଦୀର୍ଘ ୨୨ ବର୍ଷ ଧରି ସେ ବିଜେପିରେ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ନୀତିଶ କୁମାରଙ୍କ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ୨୦୦୯ ମସିହାରେ ସେ ପ୍ରଥମେ  ପୂର୍ଣ୍ଣିଆ, ଆରରିଆ ଏବଂ କିଶନଗଞ୍ଜର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ସେ ବର୍ତ୍ତମାନ ବିହାର ବିଜେପିର ସଭାପତି ଅଛନ୍ତି।

ବିଜୟ ସିହ୍ନା
ବିଜେପି ନେତା ବିଜୟ କୁମାର ସିହ୍ନା ବିହାର ରାଜନୀତିର ଜଣେ ପ୍ରଭାବଶାଳୀ ଚେହେରା। ଛାତ୍ର ରାଜନୀତିରୁ ବିହାର ଉପମୁଖ୍ୟମନ୍ତ୍ରୀ ପଦ ହାସଲ କରିଥିବା ବିଜୟ ସିହ୍ନା ଏକ ସାଧାରଣ ପରିବାରରୁ ଆସିଛନ୍ତି। ୨୦୧୭ରେ ବିହାର ସରକାରରେ ସେ ଶ୍ରମ ମନ୍ତ୍ରୀ ଥିଲେ। ଏହି ସମୟରେ ସେ କୌଶଳ ବିକାଶ ଏବଂ ଶ୍ରମିକଙ୍କ ହିତ ପାଇଁ ବହୁ ଯୋଜନା ଉପରେ କାମ କରିଥିଲେ। ୨୦୨୦ରେ ସେ ବିହାର ବିଧାନସଭାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୨ରେ ରାଜନୈତିକ ପରିସ୍ଥିତି ଯୋଗୁଁ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ସେ ବିରୋଧୀ ଦଳ ନେତା ଭାବେ ବିଧାନସଭାରେ ସକ୍ରିୟ ଥିଲେ। ୨୦୨୪ରେ ସରକାର ପୁନର୍ଗଠନ ହେବା ପରେ ବିଜୟ କୁମାର ସିହ୍ନା ବିହାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୫ରେ ବି ସେ ବିହାରର ଉପମୁଖ୍ୟମନ୍ତ୍ରୀ ରହିଥିଲେ। 

ସଞ୍ଜୀବ ଚୌରାସିଆ
ସଞ୍ଜୀବ ଚୌରାସିଆ ପାଟନାର ଦୀଘା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ସଞ୍ଜୀବ ଚୌରାସିଆ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି।