ଫିରିଙ୍ଗିଆ,୯/୧୧ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ପଞ୍ଚାୟତ କାମଟଣା ବ୍ରିଜର ୪୦ଫୁଟରୁ ଅଧିକ ତଳେ ବାଇକ୍ ସହ ପଡ଼ି ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି l ସୂଚନା ଅନୁସାରେ କୁସୁପାଜୁ ଗାଁର ଶସ୍ତା କହଁର  (୫୫) ଏକ ବାଇକରେ ସ୍ତ୍ରୀ ଲାଇବନିଙ୍କ ସହ ଗୋଚ୍ଛାପଡ଼ା ପଞ୍ଚାୟତର ଦାମାରେଜୁ ଗାଁକୁ ଏକୋଇଶିଆ ଭୋଜିରେ ଯୋଗଦେବାକୁ ଆସିଥିଲେ । ଭୋଜି ସରିବା ପରେ ସବୁ କାମ ସାରି ପୁଣି ରାତି ପ୍ରାୟ ୭ଟା ମଧ୍ୟରେ ନିଜ ଗାଁ କୁସୁପାଜୁକୁ ଫେରୁଥିବାବେଳେ ଗୋଚ୍ଛାପଡ଼ା ପଞ୍ଚାୟତ କାମଟଣା ବ୍ରିଜରେ ଭାରସାମ୍ୟ ହରାଇ ପ୍ରାୟ ୪୦ଫୁଟରୁ ଅଧିକ ତଳେ ପଡ଼ିଯାଇଥିଲେ l

ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଏହି ସମୟରେ ପକାରୀ ପଞ୍ଚାୟତ ବିଜେପି ସଭାପତି ବାବୁଲା କହଁର ଗୁରୁତରଙ୍କୁ ଦେଖିବା ପରେ ତୁରନ୍ତ ଗୋଚ୍ଛାପଡ଼ା ମେଡ଼ିକାଲକୁ ନିଜ ଗାଡ଼ିରେ ନେଇଥିଲେ । ତେବେ ଗୁରୁତର ଥିବାରୁ ଆମ୍ବୁଲାନ୍ସ ନ ଥିବାରୁ ପୁଣି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ନିଜ ଗାଡ଼ିରେ ନେଇ ଭର୍ତ୍ତି କରିଥିଲେ l ତେବେ ଉଭୟଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଥିବା ସୂଚନା ମିଳିଛି l