ପ୍ରମୂଖ ଖବର
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଭାରତର ଆକ୍ରମଣ ଭୟ, ପାକ୍ ସେନା ମୁଖ୍ୟଙ୍କ ପରେ ଏବେ ଦେଶ ଛାଡିଲେ ବିଲାୱଲ ଭୁଟ୍ଟୋଙ୍କ ପରିବାର

Published By : Prameya | April 27, 2025 7:32 PM

ନୂଆଦିଲ୍ଲୀ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ୍ଦ କରିଛି। ଏହା ସହ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରିଛି। ଏହାକୁ ନେଇ ପଡ଼ୋଶୀ ଦେଶରେ ଖେଳିଯାଇଛି ଆତଙ୍କ, ଲୋକମାନେ ଭୟଭୀତ ଅଛନ୍ତି। ଏପରିକି ଦେଶ ଛାଡି ପଳାଇବା ଆରମ୍ଭ କରିଛନ୍ତି।  ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରିବାର ନିକଟରେ ଦେଶ ଛାଡି ଚାଲିଯାଇଛନ୍ତି।  ଏବେ ଖବର ଆସିଛି ଯେ ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋଙ୍କ ପରିବାର ମଧ୍ୟ ପାକିସ୍ତାନ ଛାଡି କାନାଡା ପଳାଇ ଯାଇଛନ୍ତି।

ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ବିଲାୱାଲ ଧମକ ଦେଇଥିଲେ ଯେ ଯଦି ପାକିସ୍ତାନର ପାଣି ବନ୍ଦ କରାଯାଏ, ତେବେ ରକ୍ତର ନଦୀ ବୋହିବ। ଏହି ଧମକର ଗୋଟିଏ ଦିନ ପରେ, ଖବର ଆସୁଛି ଯେ ତାଙ୍କ ପରିବାରର ସଦସ୍ୟ ବଖତାୱର ଭୁଟ୍ଟୋ ଏବଂ ଆସିଫା ଭୁଟ୍ଟୋ ରବିବାର ସକାଳେ   ପାକିସ୍ତାନ ଛାଡି କାନାଡା ଚାଲିଯାଇଛନ୍ତି।

ଅନେକ ପାକିସ୍ତାନୀ ସେନା ଅଧିକାରୀ ସେମାନଙ୍କ ପରିବାରକୁ ବିଦେଶ ପଠାଇ ସାରିଲେଣି। ପାକିସ୍ତାନ ଭିତରେ ଏକ ଭୟ ଅଛି ଯେ ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏପରି ପରିସ୍ଥିତିରେ ତାଙ୍କ ସେନାର ମନୋବଳ ମଧ୍ୟ ହ୍ରାସ ପାଇଛି ଏବଂ ଅନେକ ଅଧିକାରୀ ସେମାନଙ୍କ ପରିବାରକୁ ବିଦେଶ ପଠାଇ ଦେଇଛନ୍ତି। ଏଥିରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ସାମିଲ ଅଛନ୍ତି। ଏକ ଘରୋଇ ଜେଟ୍ ମାଧ୍ୟମରେ ସେମାନଙ୍କ ପରିବାରକୁ ବ୍ରିଟେନ ଏବଂ ନ୍ୟୁ ଜର୍ସି ପଠାଇଥିବା ରିପୋର୍ଟ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତୁରନ୍ତ ଭାରତ ଆରବ ସାଗରରେ INS ସୁରତରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲା ଭାରତ। ସେହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଥିଲେ ଯେ ଆତଙ୍କବାଦୀ ଏବଂ ସେମାନଙ୍କ ନେତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନେ ବିଶ୍ୱର ଯେକୌଣସି ସ୍ଥାନରେ ଲୁଚି ରହିଥିଲେ ମଧ୍ୟ ସେମାନଙ୍କୁ ଖୋଜି ବାହାର କରାଯିବ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସାରା ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ପରିବେଶ ରହିଛି ଏବଂ ଦେଶବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ପ୍ରତିଶୋଧ ନେବାକୁ ଦାବି କରୁଛନ୍ତି। ଦେଶର ସମସ୍ତ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ସହିତ ଛିଡ଼ା ହୋଇଛନ୍ତି। ବିରୋଧୀ ଦଳ କହୁଛି ଯେ ସରକାର ଯେକୌଣସି ପଦକ୍ଷେପ ନେଉ, ବିରୋଧୀ ଦଳ ତାଙ୍କ ସହିତ ଅଛି। ବର୍ତ୍ତମାନ, ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି, ପାକିସ୍ତାନୀମାନଙ୍କର ଭିସା ବାତିଲ କରିଛନ୍ତି ଏବଂ ସେମାନଙ୍କୁ ଦେଶରୁ ବହିଷ୍କାର କରିଛନ୍ତି। ଏହା ସହିତ, କୂଟନୈତିକ ସମ୍ପର୍କ ବହୁ ପରିମାଣରେ ହ୍ରାସ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.