କଟକ,୦୮/୦୧: ଛାତ୍ରଛାତ୍ରୀମାନେ ଗୋଟିଏ ଶାନ୍ତ ପରିବେଶରେ ବସି ଅଧ୍ୟୟନ କରିବା ପାଇଁ ପାଠାଗାର ହିଁ ଉପଯୁକ୍ତ ମାଧ୍ୟମ । ସହରରେ ଏହିପରି ଅନେକ ଗୁଡ଼ିଏ ପାଠାଗାର ରହିଛି । ସେଠାକୁ ଛାତ୍ରଛାତ୍ରୀମାନେ ଯାଇ ବିଭିନ୍ନ ପ୍ରକାରର ପରୀକ୍ଷା ପାଇଁ ନିଜକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ସିଡିଏ ସେକ୍ଟର-୬ ସ୍ଥିତ ମାର୍କେଟ କମ୍ପେ୍ଲକ୍ସ ଉପର ମହଲାରେ ରହିଛି ବୀରେନ୍ ମିତ୍ର ପାଠାଗାର । ପାଠାଗାରଟି ଅନେକ ସମସ୍ୟା ଦେଇ ଗତି କରୁଛି । ରକ୍ଷଣାବେକ୍ଷଣ ଅଭାବରୁ ଏବେ ସରକାରୀ ପାଠାଗାରଟି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ।

ସୂଚନା ମୁତାବକ, କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ଦ୍ୱାରା ସିଡିଏ ସେକ୍ଟର-୬ ଠାରେ ଥିବା ମାର୍କେଟ କମ୍ପେ୍ଲକ୍ସରେ ପାଠାଗାର ନିର୍ମାଣ ଲାଗି ଜମି ଚିହ୍ନଟ ହୋଇଥିଲା । ନିର୍ମାଣ ସରିବା ପରେ ୨୦୦୩ ମସିହା ମେ’ ମାସ ୨୬ ତାରିଖରେ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତ ସମୀର ଦେ ଏହାକୁ ଉଦ୍‌ଘାଟନ କରିଥିଲେ । ଏହାରି ଉପରେ ସ୍ଥାନୀୟ ଅଞ୍ଚଳ ତଥା ଆଖାପାଖ ଅଞ୍ଚଳରୁ ଅନେକ ଛାତ୍ରଛାତ୍ରୀମାନେ ନିର୍ଭର କରୁଛନ୍ତି । ଏବେ ପାଠାଗାରଟି ଏକ ପ୍ରକାର ଷ୍ଟୋର୍ ରୁମ୍‌ରେ ପରିଣତ ହୋଇଛି । ପାଠାଗାରରେ ଥିବା ପୁରୁଣା ଭଙ୍ଗା ଚେୟାର୍ ଗୁଡ଼ିକ ସେଠାରେ ଗଦା ହୋଇ ରହିଛି । ପାଠାଗାରର ଷ୍ଟୋର୍ ରୁମ୍ ଥିବା ସତ୍ତେ୍ୱ ମଧ୍ୟ ଏସବୁ ଦୀର୍ଘଦିନ ଧରି ପାଠଗାର ପରିସରରେ ପଡ଼ି ରହୁଛି । ଫଳରେ ବାତାବରଣକୁ ନଷ୍ଟ କରୁଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । କିଛି ଆଲ୍‌ମିରା ଗୁଡ଼ିକ କଳଙ୍କି ଲାଗି ଖରାପ ହୋଇଥିବା ବେଳେ ଅନ୍ୟ ଗୁଡ଼ିକର ଚାବି ନଥିବାରୁ ସର୍ବଦା ମେଲା ପଡ଼ିଛି ବୋଲି ପାଠଗାରର କର୍ମକର୍ତ୍ତାମାନେ କହିଛନ୍ତି । ଏହାର ଦେଖାଶୁଣା ପାଇଁ ପ୍ରଥମରୁ ୫ ଜଣ କର୍ମଚାରୀଙ୍କ ସମେତ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରିଥିଲା ସିଡିଏ । ସେଥିମଧ୍ୟରୁ କିଛି ଅନ୍ୟତ୍ର ବଦଳି ହୋଇଥିବା ବେଳେ ଆଉ କିଛି ଅବସର ନେଇ ସାରିଲେଣି । ଏବେ ଦୁଇ ଜଣ କର୍ମଚାରୀରେ ଚାଲିଛି ପାଠାଗାର । କିଛି ବର୍ଷ ହେବ ଆଉ କର୍ମଚାରୀଙ୍କୁ ନିଯୁକ୍ତି ଦେଉନାହିଁ ସିଡିଏ କର୍ତ୍ତୃପକ୍ଷ ।

ଏଥିପ୍ରତି ସିଡିଏ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେଉନାହିଁ । ମାର୍କେଟ କମ୍ପେ୍ଲକ୍ସ ଭିତରେ ପାଠାଗାରଟି ଥିବାରୁ ପିଲାମାନେ ନିଜର ସାଇକେଲ୍ ଓ ଗାଡ଼ିକୁ ପାର୍କିଂ କରିବାରେ ଅସୁବିଧା ଭୋଗୁଛନ୍ତି । ପାଠାଗାର ନିଜସ୍ୱ ପାର୍କିଂ ଅଛି । କିନ୍ତୁ ମାର୍କେଟ କମ୍ପେ୍ଲକ୍ସକୁ ଆସୁଥିବା ଲୋକମାନେ ସେହି ଜାଗାରେ ପାର୍କିଂ କରୁଛନ୍ତି । ଏ ସଂପର୍କରେ ପାଠାଗାର ଇନ୍ଚାର୍ଜ ବିବେକାନ୍ଦ ବେହେରା କହିଛନ୍ତି, ପାଠଗାର ଥିବା କୋଠାର କାମ ହେବାର ଯୋଜନା ରହିଛି । ସେଥିପାଇଁ ପୁରୁଣା ଚେୟାର୍ ସବୁ ଏଠାରେ ରହିଛି । ପାଠାଗାରର ଯାହା ଅସୁବିଧା ରହିଛି ସେ ସବୁ ବିଷୟରେ ଆମେ ସିଡିଏ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇଛୁ । ଅତିଶୀଘ୍ର ଏସବୁ ସମସ୍ୟାର ସମାଧାନ କରାଯିବ ।