ଭୁବନେଶ୍ୱର, ୦୮/୦୧ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଗୁରୁଶ୍ରୀ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ। ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସମେତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ସେ କେଳୁଚରଣ କୀର୍ତ୍ତି ଶତକମ୍ ନାମରେ ଆୟୋଜିତ ତିନି ଦିନିଆ ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେଳୁଚରଣ ମହାପାତ୍ର ହେଉଛନ୍ତି ଓଡ଼ିଶା, ଓଡ଼ିଆ ଆଉ ଓଡ଼ିଶୀର ଅଭୂତପୂର୍ବ ସଙ୍ଗମ। ଗୁରୁ କେଳୁଚରଣ ମହାପାତ୍ର କେବଳ ଜଣେ ମହାନ ନୃତ୍ୟଶିଳ୍ପୀ ନୁହଁନ୍ତି, ସେ ଓଡ଼ିଶୀ ନୃତ୍ୟର ଆତ୍ମା ଥିଲେ। ଯେତେବେଳେ ଓଡ଼ିଶୀ ନୃତ୍ୟ ଅବହେଳାର ଅନ୍ଧକାରରେ ଆବୃତ ଥିଲା, ସେତେବେଳେ ଗୁରୁଜୀ ତାଙ୍କର ଅସୀମ ସାଧନା, ଅତୁଟ ଆସ୍ଥା ଓ ଅଦମ୍ୟ ପରିଶ୍ରମରେ ଏହି ନୃତ୍ୟକଳାକୁ ପୁନର୍ଜୀବନ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି, ମାହାରୀ ପରମ୍ପରା, ଶାସ୍ତ୍ରୀୟ ଓ ଲୋକକଳା, ସମସ୍ତଙ୍କ ସମନ୍ୱୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟକୁ ଏକ ଅଦ୍ଭୁତ ଶାସ୍ତ୍ରୀୟ ଆକୃତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଂସ୍କୃତି ବିଭାଗ ସଚିବ ଡ଼ ବିଜୟ କେତନ ଉପାଧ୍ୟାୟ, ଲଳିତକଳା ଏକାଡେମୀର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରଶେଖର ହୋତା, ବିଭାଗୀୟ ନିର୍ଦ୍ଦେଶକ ଦେବପ୍ରସାଦ ଦାଶ ଏବଂ ବରିଷ୍ଠ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ କଳାକାରମାନେ ଉପସ୍ଥିତ ଥିଲେ।
ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ବୋମା ଭୟ, ମୁଖ୍ୟମନ୍ତ୍ରୀଙ୍କ ଉଦବେଗ: 'ଶୀଘ୍ର ଅପରାଧୀଙ୍କୁ ଖୋଜି ବାହାର କର'