ଭୁବନେଶ୍ୱର, ୦୮/୦୧ : ସମ୍ବଲପୁର, କଟକ ଓ ଦେବଗଡ଼ରେ ବୋମା ଭୟ। ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ। ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ। ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ସନ୍ଧ୍ୟାରେ ଏ ସମ୍ପର୍କରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସମୀକ୍ଷା କରିବେ।

ସୂଚନାନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ସମ୍ବଲପୁର, କଟକ ଓ ଦେବଗଡ଼ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ଆସିଛି। ଏହି ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ଏହା ସହିତ ଏଥିରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ସମ୍ପୃକ୍ତ ସ୍ଥାନଗୁଡ଼ିକୁ ଅଧିକାରୀମାନଙ୍କୁ ପଠାଇବାକୁ କହିଛନ୍ତି। ଏସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ରାଜ୍ୟର ବିଭିନ୍ନ ଅଦାଲତକୁ ବୋମା ଧମକ : ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଇମେଲ୍, କୋର୍ଟ ପରିସରରେ ତନାଘନା