ଚାନ୍ଦବାଲି,୨୫/୧୨ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଆଜି ଦୁଇ ଦଳ ପକ୍ଷରୁ ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବିଜେଡି ପକ୍ଷରୁ ଚାନ୍ଦବାଲିର ବିଭିନ୍ନ ଛକରେ ଆନ୍ଦୋଳନ ପାଳନ କରାଯାଉଛି। ଭୋରରୁ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ବନ୍ଦ ପାଳନ ପାଇଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇ ଯାଇଥିଲା। ବସ୍, ଟ୍ରକ୍ ଚଳାଚଳ ବନ୍ଦ ରହିଛି। ରାସ୍ତାରେ ବିକ୍ଷୋଭକାରୀମାନେ ପିକେଟିଂ କରୁଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି।

ନାବାଳିକା ଦୁଷ୍କର୍ମ ର ଘଟଣାକୁ ନେଇ ମଙ୍ଗଳବାରଠାରୁ ଅଶାନ୍ତ ହୋଇପଡ଼ିଥିଲା ଚାନ୍ଦବାଲି ସହର । ବୁଧବାର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଜଗତ୍ସିଂହପୁରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଚାନ୍ଦବାଲି ଥାନା ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ । ଏଭଳି ଏକ ଲୋମଟାଙ୍କୁରା ଘଟଣାକୁ ନେଇ ଜନଆକ୍ରୋଶ ତେଜିଛି । ମଙ୍ଗଳବାର ରାତିରୁ ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଥାନା ଘେରାଉ କରାଯାଇଥିଲା । ବୁଧବାର ଦୋକାନବଜାର, ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଅଭିଯୁକ୍ତ ବବୁଲୁର ଘର ଭାଙ୍ଗିଦେଇଥିଲେ । ଏଥିସହ ସ୍ଥାନୀୟ ଅଞ୍ଚଳରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଦାବି କରିଥିଲେ । ପରେ ପୁଲିସ୍ ପକ୍ଷରୁ ସରକାରୀ ଜମି ଜବରଦଖଲ କରି ନିଶା କାରବାର କରୁଥିବା ଉପରେ ବୁଲ୍ଡୋଜର ବୁଲିଥିଲା । ଚାହୁଁ ଚାହୁଁ ଅନେକ ଘର ମାଟିରେ ମିଶାଇଥିଲେ।

​​​​​​​ଉଲ୍ଲେଖ ଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ସମ୍ପୃକ୍ତ ୧୦ ବର୍ଷୀୟ  ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା  ପରେ ସତ୍ତେ୍ୱ ତାଙ୍କର ସନ୍ଧାନ ମିଳି ନଥିଲା । ସନ୍ଧ୍ୟାରେ ନାବାଳିକାଙ୍କ  ମୃତଦେହ ବାଲିଗାଁ ସେବା ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ  ବୁଦାମୂଳରୁ ମିଳିଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ  ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା । ଏହାକୁ  ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ  ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା  ଘେରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଏସ୍‌ପି ମନୋଜ  ରାଉତ, ଅତିରିକ୍ତ ଏସ୍‌ପି ଅରୂପ ବେହେରା, ଚାନ୍ଦବାଲି ଏସ୍‌ଡିପିଓ  ତ୍ରିଲୋଚନ ସେଠୀ, ଥାନାଧିକାରୀ ପରେଶ ମହାନ୍ତିଙ୍କ ସମେତ ୧୦ରୁ  ଅଧିକ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ୪ ପ୍ଲାଟୁନ୍‌ ପୁଲିସ  ଫୋର୍ସ ମୁତୟନ ହୋଇଥିଲେ । ଅଭିଯୁକ୍ତକୁ ଧରିବାକୁ ପୁଲିସ୍‌ ପକ୍ଷରୁ  ୪ଟି ଟିମ୍‌ ଗଠନ କରାଯାଇଥିଲା । ଏସ୍‌ପି ଶ୍ରୀ ରାଉତ ତଦନ୍ତର  ନେତୃତ୍ୱ ନେଇଥିଲେ । ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲାରେ ନିଜ  ଶ୍ୱଶୁର ଘରେ ଲୁଚିଥିବା ଜଣାପଡ଼ିଥିଲା । 

ଭଦ୍ରକ ପୁଲିସ୍‌ ଟିମ୍‌ ବିଳମ୍ବିତ ରାତିରେ ହିଁ ଜଗତସିଂହପୁରରେ  ପହଞ୍ଚି ତନାଘନା ଆରମ୍ଭ କରିଥିଲା । ଜଗତସିଂହପୁର ପୁଲିସ୍‌  ସହାୟତାରେ ସହର ଉପକଣ୍ଠ ସିଂହାରପୁର ପଞ୍ଚାୟତ ଶବରସାହିରେ  ଅତର୍କିତ ଚଢ଼ଉ କରାଯାଇଥିଲା । ରାତି ପ୍ରାୟ ସାଢ଼େ ତିନିଟା ସୁଦ୍ଧା  ପୁଲିସ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ବବୁଲୁ କାବୁ କରି ନେଇଥିଲା ।

ଶବରସାହିରେ ବବୁଲୁର ଶ୍ୱଶୁର ଘର । ମଙ୍ଗଳବାର ହିଁ ସେ ଏଠାକୁ  ଚାଲି ଯାଇଥିଲା । ଚାନ୍ଦବାଲିରେ ଜଣେ ଝିଅ ଆତ୍ମହତ୍ୟା କରିଥିବା ବେଳେ  ପୁଲିସ ଏହି ଘଟଣାରେ ତାକୁ ସନ୍ଦେହ ଘେରକୁ ନେଇଥିବା ସମ୍ପର୍କୀୟଙ୍କୁ  ଜଣାଇଥିଲା । ପୁଲିସ ଗିରଫ କରିବା ଆଶଙ୍କା ଥିବାରୁ ଆଗୁଆ ଜାମିନ ପାଇଁ  ଜଣେ ଆଇନଜୀବୀଙ୍କ ସହ ଯୋଗାଯୋଗ କରିବାକୁ ଅବଗତ କରିଥିଲା। ପରେ ବବୁଲୁକୁ ସହାୟତା କରିବାକୁ କିଶନନଗର ଥାନା ଅଞ୍ଚଳର  ଜଣେ ବ୍ୟକ୍ତି ଜଗତସିଂହପୁର ଆସିଥିଲେ । ତେବେ ପୁଲିସ୍‌ ଚଢ଼ଉ  ବେଳେ ଏକ କୋଠରିରେ ଏକୁଟିଆ ଥିଲା ବବୁଲୁ । ଅଭିଯୁକ୍ତ ଚମ୍ପଟ  ମାରିବା ପୂର୍ବରୁ ଜଗତସିଂହପୁର ପଲିସ୍‌ ଟିମ୍‌ ତାକୁ ତାବୁ କରିଥିଲା ।

ଅଭିଯୁକ୍ତକୁ ଭଦ୍ରକ ପୁଲିସ୍‌ ଆଣି ଗ୍ରାମାଞ୍ଚଳ ଥାନାରେ ରଖି  ପଚରାଉଚରା କରୁଥିବା ଜଣାପଡ଼ିଛି । ଅନ୍ୟପଟେ ପୂର୍ବାଞ୍ଚଳ ଡିଆଇଜି  ପିନାକ ମିଶ୍ର ମଧ୍ୟ ବୁଧବାର ଚାନ୍ଦବାଲିରେ ପହଞ୍ଚି ସ୍ଥିତି ସମୀକ୍ଷା  କରିଛନ୍ତି । ଘଟଣାକୁ ନେଇ ଚାନ୍ଦବାଲିରେ ଉତ୍ତେଜନା ଲାଗି ରହିଥିବା  ବେଳେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ।  ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।