ନୂଆପଡ଼ା  ୦୮/୧୧ (ମୁକେଶ ପରିଡ଼ା): ନବୀନଙ୍କ ଆକ୍ରମଣାତ୍ମକ ଷ୍ଟାଇଲ ।  ସଭାମଞ୍ଚରୁ ପଚାରିଲେ-ତିନି ଶହ  ୟୁନିଟ୍‌ ମାଗଣା ବିଜୁଳି ମିଳିଲା କି? ଶହ  ଶହ କର୍ମୀଙ୍କ ଭିତରୁ ଉତ୍ତର ଆସିଲା ନା ।  ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପେନସନ  ମିଳିଲା? ଲୋକେ କମ୍ପାଇ କହିଲେ  - ନା । ୟୁରିଆ ସାର ପାଇଲେ? ମଞ୍ଚ  ତଳୁ ଶୁଭିଲା- ନା... । ନବୀନ ଆହୁରି  ପଚାରିଲେ, ଯୁବ ବର୍ଗଙ୍କୁ ଚାକିରି ମିଳିଲା  କି? ମିଶନ ଶକ୍ତିକୁ ଋଣ ଟଙ୍କା ମିଳିଲା  ନା ନାହିଁ? ଉପସ୍ଥିତ କର୍ମୀମାନେ ଏକ  ସ୍ୱରରେ କହୁଥାନ୍ତି ନା... । ଜନତାଙ୍କ  ଉତ୍ତର ଶୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଲେ, ଏ ସରକାରରେ ମିଳିଛି ଖାଲି ଧୋକା... ଧୋକା ଆଉ  ଧୋକା । ଏ ସରକାର ଡବଲ ଧୋକା  ଦେଇଛି । 

ନୂଆପଡ଼ା ଉପନିର୍ବାଚନ ପ୍ରଚାର  ଯେତିକି ଶେଷ ପର୍ଯ୍ୟାୟ ଆଡ଼କୁ ଗତି  କରୁଛି ବୟାନବାଜି ସେତେ ଅଧିକ  ଆକ୍ରମଣାତ୍ମକ ହେଉଛି । ନୂଆପଡ଼ା  ଉପନିର୍ବାଚନ ପ୍ରଚାର ମଇଦାନକୁ ଶୁକ୍ରବାର ଦ୍ୱିତୀୟ ଥର ପ୍ରଚାର ଅଭିଯାନରେ ଯାଇ  ପରିବେଶକୁ ତତଲା କରି ଦେଇଛନ୍ତି  ବିଜେଡି ସଭାପତି ତଥା ପୂର୍ବତନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  

ପ୍ରଚାର ଶେଷ ହେବାକୁ ଆଉ ମାତ୍ର  ଦୁଇ ଦିନ ବାକି ଥିବାବେଳେ ନବୀନ  କରିଛନ୍ତି ଲମ୍ବା ରୋଡ୍‌ ସୋ’ । ଖରିଆର  ରୋଡ୍‌ରୁ ସିଧା ନୂଆପଡ଼ା ପ୍ରାୟ ୧୦  କିମି ରାସ୍ତାରେ ରୋଡ ସୋ’ ପରେ  ନୂଆପଡ଼ା ବ୍ଲକର ପରକାଡ଼ରେ ଜନସଭା  କରି ବର୍ଷିଛନ୍ତି ବିଜେପି ଉପରେ ।  ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବି  ସେ ନିଶାନା କରିଛନ୍ତି । ସରକାରଙ୍କୁ ଠୋ  ଠୋ କରି ସମାଲୋଚନା କରି ନବୀନ  କହିଛନ୍ତି, ରାଜ୍ୟରେ ବିକାଶ ପୂରା  ବନ୍ଦ ହୋଇଯାଇଛି । ମିଛ ପ୍ରଚାରରେ  କେବେ ବିକାଶ ହୁଏ ନାହିଁ । ଖାଲି ରଙ୍ଗ  ମାରିଦେଲେ ବିକାଶ ହୁଏ ନାହିଁ । ମିଛ  ପ୍ରତିଶୃତିରେ କେବେ ସରକାର ଚାଲେନି  ବୋଲି କହିଛନ୍ତି । କୁହନ୍ତୁ, ଏ ୫୦୦  ଦିନରେ ସରକାର କଣ କରିଛନ୍ତି ବୋଲି  ନବୀନ ପ୍ରଶ୍ନ କରିଛନ୍ତି । ନୂଆପଡ଼ା  ପ୍ରଚାର ସରିବାକୁ ଆଉ ଦୁଇ ଦିନ  ରହିଲା । ନବୀନଙ୍କର ଏହି ଦ୍ୱିତୀୟ ଥର  ଗସ୍ତ ପାଇଁ ବିଜେଡି ସବୁ ଦମ୍‌ ଲଗାଇ  ଦେଇଥିଲା । ମାଳ ମାଳ ବିଧାୟକ,  ପୂର୍ବତନ ବିଧାୟକ, ଜିଲ୍ଲା ନେତାମାନେ  ନିଜ ଶକ୍ତି ଦେଖାଇଥିଲେ । ନବୀନ  ପ୍ରାୟ ଦିନ ୧ଟା ବେଳେ ହେଲିକପ୍ଟର  ଯୋଗେ ପହଞ୍ଚିଲେ ଖରିଆର ରୋଡ୍‌  ଥାନା ପଛପଟ ପଡ଼ିଆରେ । ସେଠାରୁ  ଚାଲିଲା ରୋଡ ସୋ’ । ଆଗରେ ଖୋଲା  ଜିପ୍‌ରେ ଯାଉଥାନ୍ତି ବିଜେଡି ପ୍ରାର୍ଥନୀ  ସ୍ନେହାଙ୍ଗିନୀ ଛୁରିଆ ଓ ପଛରେ ବସ୍‌ରେ  ଯାଉଥିଲେ ନବୀନ । ଖରିଆର ରୋଡ୍‌- ନୂଆପଡ଼ା ରାସ୍ତାରେ ଛାଇ ଯାଇଥିଲା  ବିଜେଡି ପତାକା ଓ ନବୀନଙ୍କ ଫଟୋଥିବା  ହୋର୍ଡିଙ୍ଗ । କର୍ମୀ ପୂରା ଉତ୍ସାହିତ  ଲାଗୁଥିଲେ । 

ରୋଡ୍‌ ସୋ ପରେ ସବୁ ମୁହାଁଇଲେ  ପରକାଡ଼ ପଡ଼ିଆକୁ । ନବୀନ ହାତ  ହଲାଇ ମଞ୍ଚାସୀନ ହେଲେ । ମଞ୍ଚରୁ  ନବୀନଙ୍କ ପୂର୍ବରୁ ଭାଷଣ ରଖୁଥିବା  ସବୁ ନେତା ଜୟ ଢୋଲକିଆ ବିଜେପିରୁ  ପ୍ରାର୍ଥୀ ହେବା ପ୍ରସଙ୍ଗ ଉଠାଇ ପ୍ରବଳ  ବର୍ଷିଥିଲେ । ନବୀନ ବି ଛାଡିଲେନି ।  କହିଲେ, ଏମାନେ ମିଛ କହି ସରକାର  କରିପାରନ୍ତି । ପ୍ରାର୍ଥୀ ବି ଚୋରି  କରିପାରନ୍ତି । କିନ୍ତୁ, ଲୋକଙ୍କ ହୃଦୟ  ଜିତି ପାରିବେ ନାହିଁ । କୋମନା ସଭାରେ  ଲୋକଙ୍କ ମନରେ ଯେଉଁ କ୍ରୋଧ ଓ  ଦୁଃଖ ସେ ଦେଖିଥିଲେ ଆଜି ମଧ୍ୟ  ନୂଆପଡ଼ାରେ ଲୋକଙ୍କ ଆଖିରେ ସେହି  କ୍ରୋଧ ଓ ଦୁଃଖ ରହିଛି । ଲୋକଙ୍କ  ସହିତ, ବିଜେଡି ସହିତ ଓ ମୋ  ସହିତ କିପରି ବେଇମାନି କରାଗଲା,  ନୂଆପଡ଼ାବାସୀ ତାହା ଭଲ ଭାବେ  ଜାଣନ୍ତି । ଏହାର ଜବାବ ନୂଆପଡ଼ାର  ଭୋଟରମାନେ ୧୧ ତାରିଖ ଦିନ  ଭୋଟ୍‌ରେ ଦେବେ ବୋଲି ନବୀନ  କହିଥିଲେ ।

ଆହୁରି କହିଲେ, ୩ ତାରିଖ  କୋମନା ଗସ୍ତ କାର୍ଯ୍ୟକ୍ରମକୁ ବିଫଳ  କରିବାକୁ ପ୍ରୟାସ ହୋଇଥିଲା, ମାତ୍ର  ଲୋକେ ଅଧିକ ସଂଖ୍ୟାରେ ଆସିଥିଲେ ।  ନବୀନ କହିଲେ, ବିଜେଡି ସରକାର  ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ,  ପାନୀୟ ଜଳ, ଜଳସେଚନ, ଆଦିବାସୀ  କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ  ଆସିଥିଲା । ନୂଆପଡ଼ାରେ ହଜାର ହଜାର  ଏକର ଜମିକୁ ଜଳସେଚନ ଯୋଗାଇ  ଦିଆଯାଇଥିଲା । ପାନୀୟ ଜଳ ଯୋଗାଣ  କ୍ଷେତ୍ରରେ ଉନ୍ନତି ଆସିଥିଲା । ତାଙ୍କ  ସରକାର ସମୟରେ ହୋଇଥିବା ବିଜୁ  ଏକ୍ସପ୍ରେସ ୱେ ଆଜି ନୂଆପଡ଼ାର ଆର୍ଥିକ  ବିକାଶ ପାଇଁ ସୁଯୋଗ ଆଣି ଦେଇଛି ।  ଆଜି ସାରା ରାଜ୍ୟରେ ବିକାଶ କାମ ବନ୍ଦ ।  ବି.ଏସ୍‌.କେ.ୱାଇ କାର୍ଡରେ ଲୋକଙ୍କୁ  ଯେଉଁ ସବୁ ସେବା ମିଳୁଥିଲା, ଏବେ  ଆୟୁଷ୍ମାନ କାର୍ଡରେ କେବଳ ଟେନ୍‌ସନ୍‌  ହିଁ ମିଳୁଛି । ଏହି ଅବସରରେ ନବୀନ  ପୂର୍ବତନ ତଥା ଦିବଂଗତ ବିଧାୟକ  ରାଜେନ୍ଦ୍ର ଢୋଲକିଆଙ୍କୁ ସ୍ମୃତିଚାରଣ  କରି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ।  ରାଜୁ ଭାଇଙ୍କୁ ମୁ ମୋ କ୍ୟାବିନେଟରେ  ମନ୍ତ୍ରୀ କରିଥିଲି । ନୂଆପଡ଼ାର ବିକାଶ  ପାଇଁ ସବୁ ସହଯୋଗ ଦେଇଥିଲି । ଜୟ  ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା  ନବୀନ ମା’ ମାଣିକେଶ୍ୱରୀଙ୍କ ଜୟଗାନ  କରି ଭାଷଣ ସମାପ୍ତ କରିଥିଲେ । 

ଏହି ମଞ୍ଚରୁ ସ୍ନେହାଙ୍ଗିନୀ କହିଲେ,  ମୁଁ ଏଇ ମାଟିର ଝିଅ । ମୋତେ ଆଶୀର୍ବାଦ  କରନ୍ତୁ । କେବେ ନୂଆପଡ଼ା ମାଟି ଛାଡି  ଯିବିନି । ନୂଆପଡ଼ାରେ ରହିବି, ଲୋକଙ୍କ  ଭଲ ମନ୍ଦରେ ସାଥୀରେ ରହିବି । ବରିଷ୍ଠ  ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ରାଜୁ  ଭାଇଙ୍କ ପରିବାର ହେଉଛି ଲକ୍ଷ ଲକ୍ଷ  ସଦସ୍ୟ ଥିବା ବିଜୁ ପରିବାର । ଯାହା  ହେଲା, ତାହା ତାଙ୍କ ଆତ୍ମାକୁ ଦୁଃଖ  ଦେଇଛି । ଏହି ସଭାରେ ବରିଷ୍ଠ ନେତା  ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ,  ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା  ମଲ୍ଲିକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ,  ଦିବ୍ୟଶଙ୍କର ମିଶ୍ର, ଅଧୀରାଜ ପାଣିଗ୍ରାହୀ,  ମନୋହର ରନ୍ଧାରୀ, ନିରଞ୍ଜନ ବିଶି,  ରୋମାଞ୍ଚ ବିଶ୍ୱାଳ, ସୁଦର୍ଶନ ହରିପାଲ,  ରମେଶ ମାଝୀ, ଶ୍ରୀକାନ୍ତ ସାହୁ, ବର୍ଷା  ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।  ପୂର୍ବରୁ ରୋଡ୍‌ ସୋ’ରେ ନବୀନ  ଖରିଆର ରୋଡର ଡାଗା ଛକ, ବିଜୁ  ପଟ୍ଟନାୟକ ଛକ ଓ ଲକ୍ଷ୍ମନିଆ ପେଟ୍ରୋଲ୍‌  ପମ୍ପ ଛକ ଓ ନୂଆପଡା ଏନ.ଏ.ସି.  ଅଞ୍ଚଳର ସୂର୍ଯ୍ୟନଗର ଛକ, ଗାୟତ୍ରୀ  ମନ୍ଦିର ଛକ ଓ ଏକତା ଛକରେ  ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ।