କୋଲକାତା, ୪।୫: ପଶ୍ଚିମବଙ୍ଗ ରାଜନୀତିରେ ଭାରତୀୟ ଜନତା ପାର୍ଟିର ବଡ଼ ସଫଳତା କେବଳ ବଡ଼ ବଡ଼ ରାଲିର ପରିଣାମ ନୁହେଁ, ବରଂ ଏହା ପଛରେ ରହିଥିଲା ଏକ ସୁକଳ୍ପିତ ଏବଂ ବହୁସ୍ତରୀୟ ରଣନୀତି । ‘କମଳ ମେଳା’ ଠାରୁ ଆରମ୍ଭ କରି ‘ଫୁଟବଲ୍ ମ୍ୟାଚ୍’ ଏବଂ ୧.୬୫ ଲକ୍ଷରୁ ଅଧିକ ‘ଘରକୁ ଘର ବୈଠକ’ ଏସବୁ ମିଶି ବିଜେପି ପାଇଁ ବିଜୟର ବାଟ ଫିଟାଇଥିଲା । ‘ବାଚତେ ଚାଇ, ବିଜେପି ତାଇ’ ଅର୍ଥାତ୍‌ ବଞ୍ଚିବାକୁ ଚାହୁଁ, ତେଣୁ ବିଜେପି ଚାହୁଁ ଭଳି ନାରା ବଙ୍ଗଳାର ପ୍ରତିଟି ଗଳିକନ୍ଦିରେ ଏକ ନୂଆ ଜନଆନ୍ଦୋଳନ ସୃଷ୍ଟି କରିଥିଲା ।

ରଣନୀତିର କେନ୍ଦ୍ରବିନ୍ଦୁ: ବଂଶଲ-ଯାଦବ ଯୋଡ଼ି:

ଏହି ସମ୍ପୂର୍ଣ୍ଣ ଅଭିଯାନର ପରଦା ପଛରେ ରହିଥିଲେ ସଙ୍ଗଠନର ଦୁଇ ପ୍ରମୁଖ ଚେହେରା ସୁନୀଲ ବଂଶଲ ଏବଂ ନିର୍ବାଚନ ପ୍ରଭାରୀ ଭୂପେନ୍ଦ୍ର ଯାଦବ । ସେମାନଙ୍କ ସହ ସହ-ପ୍ରଭାରୀ ବିପ୍ଳବ କୁମାର ଦେବ ଜମିସ୍ତରରେ ରଣନୀତିକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନେ ନିର୍ବାଚନକୁ କେବଳ ମାକ୍ରୋ ନୁହେଁ, ବରଂ ମାଇକ୍ରୋ ଲେବଲରେ ପରିଚାଳନା କରିଥିଲେ ।

କମଳ ମେଳା: ରାଜନୀତିରେ ଉତ୍ସବର ରଙ୍ଗ:

ବଙ୍ଗ ନିର୍ବାଚନରେ ବିଜେପି ଏକ ଅଭିନବ ପ୍ରୟୋଗ କରିଥିଲା ‘କମଳ ମେଳା’ । ଏହା କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନଥିଲା, ବରଂ ଏକ ସାମାଜିକ-ରାଜନୈତିକ ଉତ୍ସବ ଥିଲା । ସ୍ଥାନୀୟ ସଂସ୍କୃତି, ସଙ୍ଗୀତ ଏବଂ ସମ୍ବାଦ ମାଧ୍ୟମରେ ଦଳ ସାଧାରଣ ଲୋକଙ୍କ ନିକଟତର ହୋଇପାରିଥିଲା । ରାଜନୀତିକୁ ମଞ୍ଚରୁ ଓହ୍ଲାଇ ଲୋକଙ୍କ ଦାଣ୍ଡରେ ପହଞ୍ଚାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଫୁଟବଲ୍ ମ୍ୟାଚ୍:  

ବଙ୍ଗରେ ଫୁଟବଲ୍ କେବଳ ଏକ ଖେଳ ନୁହେଁ, ଏହା ଏକ ଭାବନା । ବିଜେପି ଏହି ଭାବନାକୁ ଉପଯୋଗ କରି ରାଜ୍ୟସାରା ଫୁଟବଲ୍ ମ୍ୟାଚ୍ ଆୟୋଜନ କରିଥିଲା । ଏହା ମାଧ୍ୟମରେ ଯୁବପିଢ଼ିଙ୍କୁ ଦଳ ସହ ସିଧାସଳଖ ଯୋଡ଼ା ଯାଇଥିଲା । ଏହା ପାରମ୍ପରିକ ରାଜନୈତିକ ପ୍ରଚାର ଠାରୁ ଭିନ୍ନ ଓ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା ।

ଘରକୁ ଘର ବୈଠକ: ପ୍ରକୃତ ଗେମ୍ ଚେଞ୍ଜର

ଫେବୃଆରୀ ମାସରେ ଯେତେବେଳେ ପରୀକ୍ଷା ପାଇଁ ମାଇକ୍ ପ୍ରଚାର ଉପରେ କଟକଣା ଥିଲା, ବିଜେପି ସେହି ଆହ୍ୱାନକୁ ସୁଯୋଗରେ ବଦଳାଇଥିଲା । ମାତ୍ର ଏକ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଘରୋଇ ବୈଠକ କରାଯାଇଥିଲା । ଏହି ବୈଠକ ଗୁଡ଼ିକରେ ଲୋକଙ୍କୁ ଯୋଡ଼ିବା ପାଇଁ ହ୍ୱାଟସଆପ୍ ଗ୍ରୁପ୍ ପ୍ରସ୍ତୁତ କରାଯାଇ ନିରନ୍ତର ସମ୍ପର୍କ ରଖାଯାଇଥିଲା ।

​​​​​​​

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ:

୧୨ ହଜାର ସଭା: ଜାନୁଆରୀରୁ ଏପ୍ରିଲ ମଧ୍ୟରେ ହଜାର ହଜାର ଛୋଟ ଛୋଟ ସଭା ମାଧ୍ୟମରେ ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା ।

ଚାର୍ଜସିଟ୍ ଅଭିଯାନ: ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ୨୨୦ଟି ନିର୍ବାଚନ ମଣ୍ଡଳୀରେ ଜନଜାଗରଣ ଅଭିଯାନ ଚଳାଇ ବିରୋଧୀଙ୍କୁ ପ୍ରତିରକ୍ଷାମୂଳକ ସ୍ଥିତିକୁ ଅଣାଯାଇଥିଲା ।

ସ୍ଥାନୀୟ ଚେହେରାଙ୍କୁ ପ୍ରାଧାନ୍ୟ: ଏଥର ପ୍ରାର୍ଥୀ ଚୟନରେ ଡାକ୍ତର, ଓକିଲ, ଖେଳାଳି ଏବଂ କଳାକାରଙ୍କୁ ଗୁରୁତ୍ୱ ଦିଆଯାଇ ‘ବାହାର ବନାମ ସ୍ଥାନୀୟ’ ବିବାଦକୁ ଶେଷ କରାଯାଇଥିଲା ।

ଭରସା କାର୍ଡ: ଯୁବକଙ୍କ ପାଇଁ ‘ଯୁବଶକ୍ତି ଭରସା କାର୍ଡ’ ଏବଂ ମହିଳାଙ୍କ ପାଇଁ ‘ମାତୃଶକ୍ତି ଭରସା କାର୍ଡ’ ଅଭିଯାନ ମାଧ୍ୟମରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯାଇଥିଲା ।

ପଶ୍ଚିମବଙ୍ଗରେ ବିଜେପିର ଏହି ବିଜୟ କୌଣସି ଆକସ୍ମିକ ଘଟଣା ନଥିଲା, ବରଂ ଏହା ଥିଲା ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ସୂକ୍ଷ୍ମ ରଣନୀତିର ଏକ ସଫଳ ରୂପାୟନ ।

ଆହୁରି ପଢ଼ନ୍ତୁ... West Bengal Election Results 2026: ବଙ୍ଗଳାରେ ଦୋହଲିଲା 'ଦିଦି'ଙ୍କ ଗଡ଼ , ମୁସଲିମ ଭୋଟ୍ ବାଣ୍ଟିଲେ କି ହୁମାୟୁନ, ଓୱୈସୀ ଓ ନୌସାଦ ?