ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭାରେ ଉପସ୍ଥିତ ରହିବାକୁ ନିଜ ସାଂସଦମାନଙ୍କୁ ହ୍ବିପ୍‌ ଜାରି କରିଛି ।  ମଙ୍ଗଳବାର ଗୃହରେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବାକୁ କହିଛି ବିଜେପି । ଆସନ୍ତାକାଲି ଲୋକସଭାରେ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକ ଆଗତ ହୋଇପାରେ ବୋଲି କୁହାଯାଉଛି । ତେଣୁ ଗୃହରେ ନିଶ୍ଚିତ ରୂପେ ଉପସ୍ଥିତ ରହିବାକୁ  ସାଂସଦମାନଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ବିଜେପି ସରକାର ଆଜି (ସୋମବାର) ଗୃହରେ ଓ୍ବାନ ନେସନ, ଓ୍ବାନ ଇଲେକ୍ସନ୍ (ଏକ ରାଷ୍ଟ୍ର, ଏକ ନିର୍ବାଚନ) ବିଲ ଆଣିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି କାରଣ ପାଇଁ ଏଭଳି ହୋଇପାରିଲା ନାହିଁ ।  ସେପଟେ ଏକ ରାଷ୍ଟ୍ର, ଏକ ନିର୍ବାଚନ ସପକ୍ଷରେ ଏନଡିଏର ସବୁ ସହଯୋଗୀ ଦଳ ଥିବା ଚର୍ଚ୍ଚା ହେଉଛି ଏବଂ ସବୁ ଦଳ ଏହି ବିଲ୍‌କୁ ସମର୍ଥନ କରିପାରନ୍ତି । 

ଲୋକସଭାରେ ମଙ୍ଗଳବାର କାର୍ଯ୍ୟସୂଚୀ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ । ଗତ ଶୁକ୍ରବାର ଲୋକସଭାରେ ଜାରି ହୋଇଥିବା ବିଜନେସ୍‌ ଲିଷ୍ଟରେ ଏହି ବିଲକୁ ସାମିଲ କରାଯାଇଥିଲା ଏବଂ ସେହି ଦିନ ସବୁ ସାଂସଦଙ୍କୁ ଏହାର ଗୋଟିଏ ଲେଖାଏଁ କପି ଦିଆଯାଇଥିଲା । କିନ୍ତୁ ରିଭାଇଜ୍‌ ଲିଷ୍ଟରେ ଏହି ବିଲ୍‌କୁ ହଟାଇ ଦିଆଯାଇଥିଲା ।  

ମିଳିଥିବା ସୂଚନା ଅନୁସାରେ, ବିଲ୍‌କୁ ପ୍ରଥମେ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରେ । ଜେପିସି ପାଖକୁ ବିଲ୍‌ ପଠାଇବା ଉପରେ ବିଜେପିର କୌଣସି ଆପତ୍ତି ନାହିଁ । ଆସନ୍ତାକାଲି ଜେପିସି ଗଠନ ହେବାର ସମ୍ଭାବନା ଥିବା ବେଳେ ଏଥିରେ ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳର ସଦସ୍ୟ ରହିବେ । ସେପଟେ ବିଲ୍‌ରେ କୌଣସି ଅସୁବିଧା ନଥିବା ବେଳେ ବିରୋଧୀ ଏହାକୁ କେବଳ ରାଜନୈତିକ ଉଦ୍ଦେଶ୍ୟରେ ବିରୋଧ କରୁଥିବା ଅଭିଯୋଗ ହୋଇଛି ।