ଭୁବନେଶ୍ବର,୧୧।୧୨ : ବିଜେଡି ଛାଡି ବାସୁଦେବପୁର କାଉନସିଲରଙ୍କ ସହ ବିଜେପିରେ ଯୋଗଦେଲେ ଜଗନ୍ନାଥ ପ୍ରସାଦର ପୂର୍ବତନ ସରପଂଚ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥୀ ବଳ । ଏଥି ସହ ବହୁ ସରପଞ୍ଚ, ପୂର୍ବତନ ସରପଞ୍ଚ, କାଉନସିଲର ଏବଂ ସମତି ସଭ୍ୟ ବିଜେପିରେ ଯୋଗଦାନ କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତିରୀୟ ପ୍ରଦାନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ।

ରାଜ୍ୟରେ ଡବଲ ଇଂଜିନ ସରକାରର ବିକାଶ ମଡେଲ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ଏବେ ବିଜେପି ମୁହାଁ । ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛୁ ବୋଲି ଭାଗିରଥୀ ବଳ କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।