ବେରୋଜଗାରି ପ୍ରସଙ୍ଗରେ ଗର୍ଜିଲା ବିଜେପି: ଯୁବମୋର୍ଚ୍ଚା-ପୁଲିସ ଖଣ୍ଡଯୁଦ୍ଧ

ଭୁବନେଶ୍ୱର,୭ା୨(ବ୍ୟୁରୋ): ହଜାର ହଜାର ସଂଖ୍ୟାରେ ମାଡ଼ିଆସିଲେ । ତିନିପଟୁ ବିଧାନସଭା ଘେରିବାକୁ ଉଦ୍ୟମ କଲେ । ବାରିକେଡ୍ ଭାଙ୍ଗି ଧସେଇ ପଶିଲେ । ପୁଲିସ ଉପରକୁ ଟମାଟୋ, ପାଣି ପାଉଚ୍ ବି ମାଡ଼ କଲେ । ବେଶ କିଛି ସମୟ ପୁଲିସ ସହ ଠେଲାପେଲା, ଧସ୍ତାଧସ୍ତି ଚାଲିଲା । ବଳ କଷାକଷି ଭଳି ପରିସ୍ଥିତି ଉପୁଜିଲା । ଆଜି ଲୋୟର ପିଏମ୍ଜିରେ ପ୍ରାୟ ୨ ଘଣ୍ଟା ଧରି ପୁଲିସ ସହ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଏଭଳି ଖଣ୍ଡଯୁଦ୍ଧ ଚାଲିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାରେ ପୁଲିସ୍ ପୁରା ଝାଳନାଳ ହୋଇଯାଇଥିଲା ।
ଯୁବମାରଣ ନୀତି ଓ ବେକାରୀ ସମସ୍ୟାକୁ ପ୍ରସଙ୍ଗ କରି ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେପି ଯୁବମୋର୍ଚ୍ଚା । ରୋଜଗାର ଯୋଗାଇବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ଦର୍ଶାଇ ବିଧାନସଭା ଘେରିବାକୁ ଉଦ୍ୟମ କରିଛି । ଲୋୟରପିଏମ୍ଜିରେ ଗର୍ଜନ କରି ସରକାରଙ୍କୁ ବେରୋଜଗାରିର ଜବାବ ମାଗିଛି । ବିକ୍ଷୋଭ ବେଳେ ପୁଲିସ ଫୋର୍ସ ସହ ମୁହାଁମୁହିଁ ହୋଇଛନ୍ତି ଯୁବମୋର୍ଚ୍ଚାର କର୍ମୀ । ସାମ୍ନା କରିଛି । ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୌରଭ ଚୌଧୁରୀଙ୍କ ସହ ପୁଲିସ ୩ ଶହ କର୍ମୀ ଅଟକ ରଖିଛି ।
ପୂର୍ବାହ୍ନ ୧୧ଟାରେ ଯୁବମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ଦଳୀୟ ଦପ୍ତରରୁୁ ବାହାରିଥିଲା । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୌରଭ ଚୌଧୁରୀ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ଲୋୟରପିଏମ୍ଜିରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ମାତ୍ରେ କର୍ମୀମାନେ ବିକ୍ଷୋଭର ମାତ୍ରାକୁ ବଢ଼ାଇଥିଲେ । ପୁଲିସକୁ ଠେଲାପେଲା କରି ଏକାସାଙ୍ଗରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବାଉଁଶ ଓ ଲୁହାର ବାରିକେଡ୍କୁ ଭାଙ୍ଗି ଚୁର୍ମାର୍ କରିଦେଇଥିଲେ । କିଛି କର୍ମୀ ଭିଡ଼ ଭିତରୁ ପୁଲିସକୁ ଟମାଟୋ ଓ ପାଣି ପାଉଚ ମାଡ଼ କରିଥିଲେ । ରାସ୍ତାରେ ବସିରହି ପ୍ରତିବାଦ କରିଥିଲେ । ଅପରାହ୍ଣ ସାଢ଼େ ୨ଟା ଯାଏଁ ଲୋୟରପିଏମ୍ଜିରେ ଏମିତି ଖଣ୍ଡଯୁଦ୍ଧ ଚାଲିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାରେ ଏକରକମର ନାକେଦମ ହୋଇଥିଲା ପୁଲିସ ।
ରାଜ୍ୟ ସାଧାରଣ ସମ୍ପାଦକ ଏନ୍. ରାଜେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଆଉ ଏକ ଦଫାରେ କର୍ମୀମାନେ ରାମମନ୍ଦିର ଛକ ଦେଇ ଆର୍ବିଆଇ ଛକରେ ପହଞ୍ଚିଥିଲା । ସେଠାରେ ମଧ୍ୟ ପୁଲିସ ସହ ଧସ୍ତାଧସ୍ତି କରି କର୍ମୀମାନେ ଗିରଫ ହୋଇଥିଲେ । କିଛି କର୍ମୀ କଳିଙ୍ଗ ଷ୍ଟାଡିୟମ ରାସ୍ତା ଓ ରିଜର୍ଭ ବାଟାଲିୟନ ବାହାରେ ବସିରହି ପ୍ରତିବାଦ କରିଥିଲେ । ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା, ଉମାକାନ୍ତ ପଟ୍ଟନାୟକ, ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ବିଧାନସଭା ଚାରିପଟକୁ ସିଲ୍ କରିଥିଲା । ଶୋଭାଯାତ୍ରା ବାହାରିବା ପୂର୍ବରୁ ଏଜି ଛକ, ଆର୍ବିଆଇ ଛକ, ୧୨୦ ବାଟାଲିୟନ ସାମ୍ନାରେ ବ୍ୟାରିକେଡ୍ କରି ରାସ୍ତା ବ୍ଲକ କରିଥିଲା । ଅଟକ ଥିବା କର୍ମୀଙ୍କୁ ପରେ ଛଡ଼ାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ ଅଭିଯୋଗ କରିଛନ୍ତି, ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବେଳେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଛି । ପାଖାପାଖି ୧୦ରୁ ଅଧିକ କର୍ମୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି, ୧୦ ବର୍ଷ ଭିତରେ ୨୨ ଲକ୍ଷ ୫୭ ହଜାର ଶିକ୍ଷିତ ଯୁବକଯୁବତୀ ଚାକିରି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜିକୃତ କରିଛନ୍ତି । ହେଲେ ମାତ୍ର ୨୬ ହଜାରଙ୍କୁ ନିଯୁକ୍ତି ମିଳିଛି । ଯାହାକି, ଅତି ନଗଣ୍ୟ । ରୋଜଗାର ଯୋଗାଇବାରେ ଶାସକ ଦଳ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଓଲଟି ନିଯୁକ୍ତି ମେଳା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି । ଶିଳ୍ପସଂସ୍ଥାଗୁଡି଼କ ସହ ଏମ୍ଓୟୁ କରି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଉନାହାନ୍ତି । ଶିକ୍ଷିତ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯଦି ସରକାର ବେରୋଜଗାରୀ ହଟାଇବା ପାଇଁ ବିଦ୍ଧିବଧ ଯୋଜନା ନ କରନ୍ତି, ଆଗକୁ ଆନ୍ଦୋଳନ ବ୍ୟାପିବ ବୋଲି ସେ ଧମକ ଦେଇଛନ୍ତି ।