ନୂଆଦିଲ୍ଲୀ,୧୫/୧୧; ବିହାରରେ ଏନ୍‌ଡିଏର ସୁନାମିରେ ଭାସି ଯାଇଛି ମହାମେଣ୍ଟ । ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି ଯେ ରାଜ୍ୟରେ ପୁଣି ଏନ୍ଡିଏ ସରକାର ଗଠନ ହେବ । ରାଜ୍ୟର ମୋଟ ୨୪୩ଟି ଆସନ ମଧ୍ୟରୁ ୨୦୨ଟି ଆସନରେ ଜିତି ଏନ୍ଡିଏ ରେକର୍ଡ କରିଛି । ବିଜେପି ସର୍ବାଧିକ ୮୯ଟି ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି । ମହାମେଣ୍ଟର ଖାତାକୁ ମାତ୍ର ୩୫ଟି ଆସନ ଯାଇଛି । ଏନ୍ଡିଏର ଏହି ସଫଳତାକୁ ସୁଶାସନର ଜିତ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ବିହାରରେ ହୋଇଗଲା ଏବଂ ନେକ୍ସଟ୍ ବେଙ୍ଗଲ ବୋଲି ବଡ଼ ବାର୍ତ୍ତା ଦେଇଛନ୍ତି । ଅର୍ଥାତ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଏହି ସଫଳତ ଦୋହରାଇବ ଏବଂ ସେଠାରୁ 'ଜଙ୍ଗଲରାଜ'ର ମୂଳପୋଛ କରିଦେବ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ପଶ୍ଚିମବଙ୍ଗ ବିଜେପି ସୋସିଆଲ ମିଡିଆ ଏକ୍ସରେ ନେକ୍ସଟ୍ ୱେଷ୍ଟ ବେଙ୍ଗଲ୍‌ ବୋଲି ଲେଖିଛି ।

ବିହାରରେ ଏନ୍‌ଡିଏର ମାଷ୍ଟରଷ୍ଟ୍ରୋକ୍ । ୨୦୦ରୁ ଅଧିକ ଆସନ ଜିତି ଏନ୍ଡିଏ ହାସଲ କରିଛି ପ୍ରଚଣ୍ଡ ବିଜୟ । ଏନ୍ଡିଏ ସୁନାମୀ ପଛରେ ବଡ଼ କାରକ ରହିଛି ବିଜେପିର ୯୦%ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ । ମୋଦି ଫ୍ୟାକ୍ଟରରେ ସ୍ଥିତି ମଜଭୁତ କରିଛି ଜେଡିୟୁ । ଅନ୍ୟପକ୍ଷରେ ଏହି ରାଜ୍ୟରେ ଚିତ୍ପଟାଙ୍ଗ ମାରିଛି ମହାମେଣ୍ଟ । କଷ୍ଟେମଷ୍ଟେ ୩୫ ଆସନ ବି ଟପି ପାରିନି ବିରୋଧୀ ମେଣ୍ଟ । ଆରଜେଡି, କଂଗ୍ରେସ ଏବଂ ବାମଦଳର ସ୍ଥିତି ଦୋହଲି ଯାଇଛି ।