ଭୁବନେଶ୍ୱର, ୨୧/୦୭ (ଅନିଲକାନ୍ତ ଦାସ) : ଓଡ଼ିଶାରୁ ପ୍ରମୁଖ ଦେଶକୁ ବିମାନ ଉଡ଼ିବ ବୋଲି ସ୍ୱପ୍ନ ଦେଖାଇଲେ । ବିଜୁ ପଟ୍ଟନାୟକ ବିମାନବନ୍ଦର ନାଁ ବଦଳାଇ ସେଥିରେ ଅନ୍ତର୍ଜାତୀୟ ଯୋଡ଼ିଲେ । ଏଇ ଘଟଣାକୁ ୧୩ ବର୍ଷ ବିତିଲାଣି, ହେଲେ ଓଡ଼ିଶା ମାଟିରୁ ବିଦେଶକୁ ଉଡୁଛି ମାତ୍ର ଗୋଟିଏ ବିମାନ । ତାହା ପୁଣି ସପ୍ତାହକୁ ୩ ଦିନ । ସ୍ୱପ୍ନର ଉଡ଼ାଣରେ ଏମିତି ବ୍ରେକ ଲାଗିବ ବୋଲି ଓଡ଼ିଶାବାସୀ କେବେ ଚିନ୍ତା କରିନଥିଲେ । ଭୁବନେଶ୍ୱର ବିମାନବନ୍ଦରରୁ ରାଜ୍ୟ ସରକାରଙ୍କ ସହାୟତାରେ ଦୁବାଇ, ଆବୁଧାବି, ବ୍ୟାଙ୍କକ୍ ଏବଂ ସିଙ୍ଗାପୁରକୁ ବିମାନସେବା ଆରମ୍ଭ ହୋଇଥିଲା । ହେଲେ ୩ ମାସ ହେଲାଣି କେବଳ ବ୍ୟାଙ୍କକ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବିମାନସେବା ବନ୍ଦ ହୋଇଯାଇଛି । ଖାଲି ଏହି ୪ ଦେଶ ନୁହେଁ । ଓଡିଶାକୁ ଅନ୍ୟ ଦେଶରୁ ଯେଉଁ ବିମାନସେବା ଆରମ୍ଭ ହେବାର ଥିଲା, ତାହା ମଧ୍ୟ କାର୍ଯ୍ୟକାରୀ ହୋଇ ପାରିଲାନାହିଁ ।
୨୦୨୩-୨୪ରେ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ଗମନାଗମନ ୩.୬ ମିଲିୟନ ଥିଲା । ୨୦୨୫ରେ ଏହା ସିଧା ୫.୧୫ ମିଲିୟନକୁ ଡେଇଁଛି । ସର୍ବଭାରତୀୟ ସ୍ତରରେ ଓଡ଼ିଶା ୧୩ ନମ୍ବର ସ୍ଥାନକୁ ଆସିଲା । ହେଲେ ଅନ୍ତର୍ଜାତୀୟ ଉଡ଼ାଣ କମି କମି ଚାଲିଲା । ବିଦେଶକୁ ଯାତ୍ରା କରୁଥିବା ଯାତ୍ରୀମାନେ ଏବେ ବାଧ୍ୟ ହୋଇ କୋଲକାତା ଏବଂ ଦିଲ୍ଲୀ ଏୟାରପୋର୍ଟ ଉପରେ ନିର୍ଭର କରୁଛନ୍ତି । ଅନ୍ତର୍ଦେଶୀୟ ଉଡାଣ କଥା ଛାଡ଼ନ୍ତୁ, ଏବେ ଦେଶ ଭିତରେ ଏକାଧିକ ରାଜ୍ୟକୁ ମଧ୍ୟ ବିମାନସେବା ବନ୍ଦ ପଡିଛି । ଭୁବନେଶ୍ୱର ବିମାନ ବନ୍ଦରରୁ ବିଶାଖାପାଟଣା ସେବା ବନ୍ଦ ରହିଛି । ମେ ମାସରୁ ଏହି ସେବାକୁ ବନ୍ଦ କରିଦିଆଯାଇଛି । ସେହିପରି ଭୁବନେଶ୍ୱର ଇନ୍ଦୋର-ଗୋଆ କନେକ୍ଟିଙ୍ଗ ଫ୍ଲାଇଟ୍କୁ ମଧ୍ୟ ବନ୍ଦ ରଖାଯାଇଛି । ଏହା ସହ ଭୁବନେଶ୍ୱରଡେରାଡୁନ-ଜମ୍ମୁ ବିମାନସେବା ବି ବନ୍ଦ ରହିଛି । ଖାଲି ଏହି ୫ଟି ବିମାନ ନୁହେଁ, ଘରୋଇ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ୨ଟି ଅନ୍ତର୍ଜାତୀୟ ବିମାନ ସେବାକୁ ମଧ୍ୟ ୨ ମାସ ହେଲା ଆଶିଂକ ବନ୍ଦ କରି ଦିଆଯାଇଛି । ସିଙ୍ଗାପୁର ଏବଂ ଦୁବାଇକୁ ବିମାନ ଚଳଚଳ ବନ୍ଦ ରହିଛି ।
ଆହୁରି ପଢନ୍ତୁ- Fish price hike : ବନ୍ୟା ପାଇଁ ଆନ୍ଧ୍ରରୁ ଆସୁନି ଗାଡ଼ି, ବଜାରରେ ନିଅଣ୍ଟ ପଡ଼ିବ ଅଣ୍ଡା-ମାଛ, ମନଇଚ୍ଛା ଦର କଷିଲେଣି ବେପାରୀ
ବିମାନ ଚଳାଚଳ ପାଇଁ ବିଭିନ୍ନ ଏୟାରଲାଇନ୍ସ ସଂସ୍ଥାକୁ ରାଜ୍ୟ ସରକାର ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଯୋଗାଇ ଦିଅନ୍ତି । ଏହାର ଅର୍ଥ ହେଉଛି, ବିମାନ ସିଟ୍ ସଂଖ୍ୟା ଯଦି ୧୮୦ ହୁଏ । ଯାତ୍ରୀ ସଂଖ୍ୟା ଯଦି ୧୦୦, ତାହେଲେ ବାକି ୮୦ ସିଟ୍ର ଟିକେଟ୍ ମୂଲ୍ୟ ସରକାର ଭରଣା କରନ୍ତି । ଜାନୁଆରୀ ମାସ କ୍ୟାବିନେଟ୍ ବୈଠକରେ ସରକାର ଦୁବାଇକୁ ଯାତ୍ରୀ ସଂଖ୍ୟା ହ୍ରାସ ଓ ବିମାନ ସେବା ପ୍ରଭାବିତ ଆଶଙ୍କା କରିଥିଲେ । ତେଣୁ ଘରୋଇ ବିମାନ କମ୍ପାନିକୁ ଏହି ସେବା ଜାରି ରଖିବାକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିଲେ । ଏହା ସହ ଭୁବନେଶ୍ୱର-ସିଙ୍ଗାପୁରକୁ ନୂତନ ମୂଲ୍ୟ ସୂଚକାଙ୍କ ଅନୁଯାୟୀ ଆର୍ଥିକ ସହାୟତା ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଥିଲା । ଏହି ଦୁଇ ରୁଟ୍ ପାଇଁ ୬ ମାସରେ ଭିଜିବି ସହାୟତା ୨୬.୮୭ କୋଟି ଟଙ୍କା ପ୍ରସ୍ତାବ ପାରିତ ହୋଇଥିଲା । ବିଦେଶ ସହିତ ବିମାନ ସଂଯୋଗ ଯୋଡ଼ି ହେଲେ ରାଜ୍ୟରେ ପର୍ଯ୍ୟଟନ, ଶିଳ୍ପାୟନ ବୃଦ୍ଧି ପାଇବ । ବିଦେଶୀ ନିବେଶ ବଢ଼ିବ । ଏହାକୁ ଆଖି ଆଗରେ ରଖି ଏକାଧିକ ଯୋଜନା କରାଯାଇଥିଲା । ହେଲେ ତାହା ଏବେ ଫଳପ୍ରଦ ହୋଇ ପାରୁନି । ବିମାନବନ୍ଦରରେ ପାରାଲାଲ ଟ୍ୟାକ୍ସି ଟ୍ରାକ୍ ଯୋଡ଼ି ହୋଇଛି । ଭିତ୍ତିଭୂମିରେ ଆଗ ଅପେକ୍ଷା ସୁଧାର ଆସିଛି । ଯଦି କିଛି ବିଦେଶ ଫ୍ଲାଇଟ ଚାଲିପାରିଥାନ୍ତା ତାହେଲେ ସବୁ ଦୃଷ୍ଟିରୁ ଓଡ଼ିଶା ଆଗକୁ ଯାଇ ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଭୁବନେଶ୍ୱରକୁ ଥରହର କରୁଥିଲେ ଲେଡି ଡନ୍ ଚିତ୍ତେରା | Lady Don Chhittera Crime Story