ଭୁବନେଶ୍ୱର, ୨୧/୦୭: ଓଡ଼ିଶା ବଜାରରେ ରାଜ୍ କରୁଛି ଆନ୍ଧ୍ରପ୍ରଦେଶ କଦଳୀ । ଠାକୁର ପୂଜାଠୁ ଆରମ୍ଭକରି ଜଳଖିଆ ପର୍ଯ୍ୟନ୍ତ ସବୁଠି ଆଗ ଲୋଡ଼ା ପଡ଼ୁଛି ଆନ୍ଧ୍ର କଦଳୀ । ଓଡ଼ିଶାରେ ଚାଷ ହେଉଥିବା କଦଳୀ ବଜାରରେ ନାହିଁ କହିଲେ ଚଳେ । ଯଦିଓ ଓଡ଼ିଶାର ଜଳବାୟୁ କଦଳୀ ଚାଷ ପାଇଁ ଉପଯୋଗୀ ହେଲେ ବଜାରରେ ଉପଲବ୍ଧ ହେଲାଭଳି ଚାଷ ହେଉନଥିବାରୁ ଓଡ଼ିଶା ବଜାର ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ର ଉପରେ ନିର୍ଭର କରୁଛି । ବ୍ୟବସାୟୀଙ୍କ କହିବା କଥା ଯଦି ଆନ୍ଧ୍ରରୁ କଦଳୀ ନ ଆସିବ ଲୋକଙ୍କ କଥା ଛାଡ଼ନ୍ତୁ, ଠାକୁରଙ୍କ ପାଖରେ ବି କଦଳୀ ଭୋଗ ଲାଗି ପାରିବନି ।
ରାଜଧାନୀ ସମେତ ଓଡ଼ିଶା ବଜାରରେ ମୁଖ୍ୟତଃ ତିନି ପ୍ରକାରର କଦଳୀ ମିଳେ । ଦୁଇ ପ୍ରକାର ଡର୍ଜନ ଆକାରରେ ବିକ୍ରି ହୁଏ ଯଥା ହଳଦିଆ ଚମ୍ପା କଦଳୀ ଓ ମୋଟା ଭୁସାବଳି କଦଳୀ ଏବଂ କେଜି ହିସାବରେ ବିକ୍ରି ହୁଏ ଜି୯ (ସିଙ୍ଗାପୁରୀ) । ଯାହା ମୁଖ୍ୟତଃ ଆନ୍ଧ୍ର ସମେତ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ କିଛି ମାତ୍ରାରେ ଆସୁଛି । ମନ୍ଦିରଗୁଡ଼ିକରେ ଭୋଗ ଲାଗୁଥିବା ଚମ୍ପା ଓ ଭୁସାବଳି କଦଳୀ ଡର୍ଜନର ମୂଲ୍ୟ ୫୦ ରୁ ୬୦ ଟଙ୍କା ରହୁଥିବା ବେଳେ କେଜି ଆକାରରେ ବିକ୍ରି ହେଉଥିବା ଜି୯ କଦଳୀ ୫୦ ଟଙ୍କା ରହୁଛି ।
ଅଧିକ ପଢ଼ନ୍ତୁ :- Fish price hike : ବନ୍ୟା ପାଇଁ ଆନ୍ଧ୍ରରୁ ଆସୁନି ଗାଡ଼ି, ବଜାରରେ ନିଅଣ୍ଟ ପଡ଼ିବ ଅଣ୍ଡା-ମାଛ, ମନଇଚ୍ଛା ଦର କଷିଲେଣି ବେପାରୀ
ସୂଚନା ଅନୁଯାୟୀ ଆନ୍ଧ୍ରରୁ ଦୈନିକ ପ୍ରାୟ ୧୦୦ ଟ୍ରକ୍ କଦଳୀ ଓଡ଼ିଶାକୁ ଆସୁଛି । ଅର୍ଥାତ୍ ଗୋଟେ ଟ୍ରକ୍ରେ ୧୦ ଟନ୍ କଦଳୀ ଆସେ । ସେହି ହିସାବରେ ପ୍ରାୟ ୧୦୦୦ ଟନ୍ କଦଳୀ ଆନ୍ଧ୍ରରୁ ଆସୁଛି । ରାଜଧାନୀ ଭୁବନେଶ୍ୱର କଥା ଯଦି କହିବା ତେବେ ଦୈନିକ ପ୍ରାୟ ୫୦ ଟନ୍ କଦଳୀ ଆସୁଛି । ଯଦିଓ ଓଡ଼ିଶାର ଗଞ୍ଜାମ, ଅନୁଗୋଳ, ପାଟଣାଗଡ଼, କୋରାପୁଟ, ସମ୍ବଲପୁର, ରେଢ଼ାଖୋଲ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ବାଲେଶ୍ୱରରେ କଦଳୀ ଚାଷ ହେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ । ଯେଉଁ ଅଞ୍ଚଳରେ ଏହା ଚାଷ ହେଉଛି ସେହି ଅଞ୍ଚଳର ଛୋଟ ବଡ଼ ଫଳ ଦୋକାନ ପର୍ଯ୍ୟନ୍ତ ଓଡ଼ିଶାର କଦଳୀ ସୀମିତ ରହୁଛି । ଗୋଦାମ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ।
ଭୁବନେଶ୍ୱର ଫ୍ରୁଟ୍ସ ହୋଲ୍ସେଲର ଆସୋସିଏସନ୍ର ସଦସ୍ୟ କୈଳାଶ ଚନ୍ଦ୍ର ମହାନ୍ତି କୁହନ୍ତି, କଦଳୀ ପାଇଁ ଆମେ ଆନ୍ଧ୍ର, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛୁ । ରାଜ୍ୟକୁ ଆସୁଥିବା କଦଳୀ ମଧ୍ୟରୁ ୭୦ ଭାଗ ଆନ୍ଧ୍ରରୁ ଆସୁଥିବା ବେଳେ ୩୦ ଭାଗ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଆସୁଛି । କଦଳୀ ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭର । ପର୍ବପର୍ବାଣୀ ବେଳେ କଦଳୀ ଆମଦାନୀ କମ୍ ରହିଲେ ଦର ବଢ଼ିଯାଏ ।
ଓୟୁଏଟିର ଉଦ୍ୟାନ ବିଭାଗ ବୈଜ୍ଞାନିକ ଡ. ସୌଦାମିନୀ ସ୍ୱାଇଁ କହନ୍ତି, ରାଜ୍ୟର ଜଳବାୟୁ ସବୁପ୍ରକାରର କଦଳୀ ଚାଷ ପାଇଁ ଉପଯୁକ୍ତ । ସେଥିପାଇଁ ପ୍ରାୟ ସବୁ ସମୟରେ କଦଳୀ ଚାଷ କରିହେବ । ଶୀତ ମଧ୍ୟ ଏଠାରେ ଅତ୍ୟଧିକ ହୁଏନାହିଁ । ବର୍ତ୍ତମାନ ଜି୯ କଦଳୀ ଭରପୁର ମାତ୍ରାରେ ଓଡ଼ିଶାରେ ଚାଷ ହେଉଛି । ଚମ୍ପା, ବନ୍ତଳ, ପାଟକାପରା ଭଳି କଦଳୀ ଟିକେ କମ୍ ଚାଷ ହେଉଛି । ମୁଖ୍ୟତଃ ପୁରୀ, ପିପିଲି, କଳାହାଣ୍ଡି, ରାୟଗଡ଼ା, ଭଦ୍ରକ, ବାଲେଶ୍ୱରରେ କଦଳୀ ଚାଷ ହେଉଛି ।