ଭୁବନେଶ୍ବର,୪।୫ : ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଯେଉଁ ବିଜୟ ଗଣତନ୍ତ୍ରର ବିଜୟ । ବିଜେପି ଉପରେ ଭରସା ବଢ଼ିବାରେ ଲାଗିଛି । ୨୨ ରୁ ଅଧିକ ରାଜ୍ୟରେ ଏନଡ଼ିଏ ଶାସନରେ ଅଛନ୍ତି । ଏହି ବିଜୟ ସଂଖ୍ୟାର ଖେଳ ନୁହେଁ ଜନ ପ୍ରତିବଦ୍ଧତାର ପରିଚୟ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିସହ ଏହି ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସବୁବେଳେ ପୂର୍ବ ଭାରତକୁ ଫୋକସ କରି ଆସିଥିଲେ । ଆଗାମୀ ଦିନରେ ବିଜେପିର ଫୋକସ ଦକ୍ଷିଣ ଭାରତ । ଏହି ବିଜୟରୁ ସଂକଳ୍ପ ନେଉଛୁ ଦକ୍ଷିଣ ଭାରତ ଦଖଲ କରିବୁ । ଏହି ବିଜୟ ଉତ୍ସବ ପତାକା ଉଡାଇବାର ନୁହେଁ, ନୂଆ ସଂକଳ୍ପ ନେବାର ସମୟ । ମୋତେ ଯେଉଁ ନିର୍ବାଚନ ମଣ୍ଡଳୀଗୁଡିକ ଦାୟିତ୍ୱ ଦିଆଯାଇ ଥିଲା ସେସବୁ ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ଲାଭ କରିଛି।

୫୦୦ ରୁ ଅଧିକ ନେତା, ମନ୍ତ୍ରୀ ସମସ୍ତ ନେତୃତ୍ୱମାନେ ଦୀର୍ଘ ତିନି ମାସ ଧରି ପଶ୍ଚିମ ବଙ୍ଗରେ କାମ କରୁଥିଲେ। ତାଙ୍କ ପରିଶ୍ରମର ଫଳ ମିଳିଛି । ଆମ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ତିନି ରାଜ୍ୟର ସମସ୍ତ ଭୋଟରଙ୍କୁ ଧନ୍ୟବାଦ । ଆଜିର ବିଜୟ ଗଣତନ୍ତ୍ରର ବିଜୟ, ବିଜେପିର ବିଜୟ । ବଙ୍ଗ ବିଜୟ ପରେ, ଆଜି ଦିନରେ ଆଉ ଓଡିଶାକୁ ଆଳୁ ସମସ୍ୟା ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥିସହ ମଞ୍ଚ ଉପରୁ ମମତା ବାନାର୍ଜୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋହନ ଟାର୍ଗେଟ କରିଥିଲେ। ମମତା ଦିଦି ମା’ ମାଟି ମନୁଷ କଥା କହୁଥିଲେ କିନ୍ତୁ ତା’ ପରିବର୍ତ୍ତେ, ତାଙ୍କ ଭାଇଙ୍କ ଅର୍ଥାତ ନବୀନ ବାବୁଙ୍କ ପରି କେବଳ ଭୋଟ ବ୍ୟାଙ୍କ ତିଆରି କରୁଥିଲେ ବୋଲି କହିଥିଲେ।