ନୂଆଦିଲ୍ଲୀ : ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ୍)ର ଅଜବ ପଦକ୍ଷେପ । ସୈନିକମାନଙ୍କର ଯୁଦ୍ଧ କ୍ଷମତା ବୃଦ୍ଧି କରିବାକୁ ନେଇଛି ଏକ ନିଷ୍ପତ୍ତି , ଯାହାକି ଏବେ ଚିକିତ୍ସା ଜଗତରେ ଏକ ବଡ଼ ବିତର୍କର କାରଣ ପାଲଟିଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ କହିଛନ୍ତି - ୩୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ସମସ୍ତ ଆକ୍ଟିଭ୍ ଡ୍ୟୁଟି ଓ ରିଜର୍ଭ ସୈନ୍ୟ କର୍ମଚାରୀଙ୍କ ପାଇଁ ବାର୍ଷିକ 'ଟେଷ୍ଟୋଷ୍ଟେରନ୍ ସ୍କ୍ରିନିଂ' କରିବା ବାଧ୍ୟତାମୂଳକ କରାଯାଇଛି।

ହେଗସେଥ୍‌ଙ୍କ ଦାବି ଅନୁଯାୟୀ, ଏହି ପଦକ୍ଷେପର ଉଦ୍ଦେଶ୍ୟ ସୈନିକମାନଙ୍କର ପ୍ରଦର୍ଶନ, ମାନସିକ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା କ୍ଷମତାରେ ସୁଧାର ଆଣିବା। ହେଲେ, ସାରା ବିଶ୍ୱର ଏଣ୍ଡୋକ୍ରିନୋଲୋଜିଷ୍ଟ (ହର୍ମୋନ୍ ବିଶେଷଜ୍ଞ) ଏବଂ ୟୁରୋଲୋଜିଷ୍ଟମାନେ ଏହି ନିଷ୍ପତ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରୁଛନ୍ତି।

ଡାକ୍ତରମାନେ କାହିଁକି ଅସନ୍ତୋଷ ?

ନ୍ୟୁଜ୍ ଏଜେନ୍ସି 'ରଏଟର୍ସ' ଯେତେବେଳେ ଏହି ନୀତିକୁ ନେଇ ପୁରୁଷମାନଙ୍କ ସ୍ୱାସ୍ଥ୍ୟ ଏବଂ ହର୍ମୋନ୍ ସହିତ ଜଡ଼ିତ ଛଅ ଜଣ ବଡ଼ ବଡ଼ ବିଶେଷଜ୍ଞଙ୍କୁ ପରାମର୍ଶ କରି ଥିଲା, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ବିଶେଷଜ୍ଞ ଏହି ନିଷ୍ପତ୍ତିର ବୈଜ୍ଞାନିକ ଆଧାର ଉପରେ ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। 'ଆମେରିକାନ୍ ୟୁରୋଲୋଜିକାଲ୍ ଆସୋସିଏସନ୍' ଏବଂ 'ଏଣ୍ଡୋକ୍ରାଇନ୍ ସୋସାଇଟି'ର ବର୍ତ୍ତମାନର ନିୟମ କହୁଛି ଯେ, ଟେଷ୍ଟୋଷ୍ଟେରନ୍ ଟେଷ୍ଟ ଏବଂ 'ଟେଷ୍ଟୋଷ୍ଟେରନ୍ ରିପ୍ଲେସମେଣ୍ଟ ଥେରାପି' (TRT) କେବଳ ସେହି ରୋଗୀ ମାନଙ୍କୁ ଦିଆଯିବା ଉଚିତ, ଯେଉଁମାନଙ୍କ ଠାରେ ଏହି ହର୍ମୋନ୍‌ର ଅଭାବର ସ୍ପଷ୍ଟ ସୂଚନା ବା ଲକ୍ଷଣ (ଯେପରିକି ଅତ୍ୟଧିକ କ୍ଲାନ୍ତି, ମାଂସପେଶୀ କମିଯିବା, ଲୋ ଲିବିଡୋ ବା ଯୌନ ଇଚ୍ଛା ହ୍ରାସ କିମ୍ବା ହାଡ଼ ଦୁର୍ବଳ ହେବା) ଦେଖା ଯାଉ ଥିବ।

ଡାକ୍ତରଙ୍କ କହିବାନୁସାରେ, ୩୦ ବର୍ଷ ବୟସ ପରେ ପୁରୁଷମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ସ୍ତର ପ୍ରାକୃତିକ ଭାବରେ ଧୀରେ ଧୀରେ ହ୍ରାସ ପାଇଥାଏ। କେବଳ ବୟସକୁ ଆଧାର କରି ସମସ୍ତଙ୍କର ଟେଷ୍ଟ କରିବା ଠିକ୍ ନୁହେଁ, କାରଣ ଏହାଦ୍ୱାରା ଲୋକମାନଙ୍କର ଅନାବଶ୍ୟକ ଚିକିତ୍ସା ଆରମ୍ଭ ହୋଇ ଯାଇ ପାରେ।

ବିନା ଆବଶ୍ୟକତାରେ ହର୍ମୋନ୍ ଥେରାପି ନେବାରେ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା –

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ,ଯଦି ଜଣେ ସୁସ୍ଥ ସୈନିକଙ୍କୁ କୌଣସି ବିଶେଷ ମେଡିକାଲ୍ ଆବଶ୍ୟକତା ବିନା ଟେଷ୍ଟୋଷ୍ଟେରନର ଔଷଧ କିମ୍ବା ଥେରାପି ଦିଆଯାଏ, ତେବେ ଏହାର ଗମ୍ଭୀର ଏବଂ ବିପଜ୍ଜନକ ପରିଣାମ ହୋଇପାରେ :

  •   ରକ୍ତ ଗାଢ଼ ହେବା ଏବଂ ହୃଦ୍‌ସ୍ପନ୍ଦନ ଅସ୍ୱାଭାବିକ ହେବା ।
  •   ପ୍ରଜନନ କ୍ଷମତା ହ୍ରାସ ପାଇବା ଏବଂ ଅଣ୍ଡକୋଷ ସଙ୍କୁଚିତ ହେବା।
  •   ପ୍ରୋଷ୍ଟେଟ୍ ସହ ଜଡ଼ିତ ରୋଗ, ଅତ୍ୟଧିକ ଚୁଟି ଝଡ଼ିବା, ମୁହଁରେ ବ୍ରଣ ହେବା ଏବଂ ମାନସିକ ସ୍ଥିତି ଶୀଘ୍ର ପରିବର୍ତ୍ତନ ହେବା।

ୟୁରୋଲୋଜିଷ୍ଟ ଡାକ୍ତର କେଭିନ୍ ମ୍ୟାକଭେରୀ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ରୋଗୀମାନଙ୍କ ଠାରେ ପ୍ରକୃତରେ ଏହି ହର୍ମୋନ୍‌ର ଅଭାବ ଥାଏ, ସେମାନଙ୍କୁ ଚିକିତ୍ସା ପରେ ଶକ୍ତି ଏବଂ ମାନସିକ ସତର୍କତାରେ ସୁଧାର ଅନୁଭୂତ ହୋଇ ଥାଏ। କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୈନିକମାନଙ୍କର ନିୟମିତ ସ୍କ୍ରିନିଂ କରିବା ଦ୍ୱାରା ସେମାନଙ୍କର ଯୁଦ୍ଧ ଲଢ଼ିବାର କ୍ଷମତା ଅଧିକ ଭଲ ହୋଇଯିବ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

ଆହୁରି ମଧ୍ୟ ପଢନ୍ତୁ - US Mega Strike on Iran : ଇରାନକୁ ଘେରିବ ଆମେରିକା ? ଇସ୍ରାଏଲକୁ କାହିଁକି ପଠାଉଛି ରିଫ୍ୟୁଏଲିଂ ବିମାନ ?