ଇସ୍ଲାମାବାଦ: ପାକିସ୍ତାନ ସରକାର ଏବଂ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ବଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ (ବିଏଲଏଫ୍) । ବାରମ୍ବାର ସେନା ଉପରେ ଆକ୍ରମଣ କରି ପାକିସ୍ତାନ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି ବିଏଲଏଫ । ବଲୁଚ ବିଦ୍ରୋହୀମାନେ ମଙ୍ଗଳବାର ପୁଣି ଥରେ ବଲୁଚିସ୍ତାନର ୧୭ଟି ଭିନ୍ନ ଭିନ୍ନ ସ୍ଥାନ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ଅଧିକାଂଶ ସରକାରୀ ଏବଂ ସୈନ୍ୟ ଠିକଣା ସାମିଲ । ଏହି ଆକ୍ରମଣ ପାଇଁ ବିଏଲଏଫ ନିଜକୁ ଦାୟୀ କରିଥିବା ବେଳେ ଏହାକୁ ‘ଅପରେସନ୍ ବାମ୍’ (Operation Baam) ନାଁ ଦେଇଛି ।
ଏହି ଅପରେସନ ଅଧୀନରେ ପଞ୍ଜଗୁର, ସୁରବ, କେଚ୍ ଏବଂ ଖାରାନ ସମେତ ବଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ ପ୍ରାୟ ୧୭ ଟି ଆକ୍ରମଣ ହୋଇଛି । ପାକିସ୍ତାନୀ ଅଧିକାରୀମାନେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ଦେଇନାହାନ୍ତି । ସ୍ଥାନୀୟ ଲୋକମାନେ ବଲୁଚିସ୍ତାନରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛନ୍ତି । ବିଏଲଏଫ ମୁଖ୍ୟତଃ ପାକିସ୍ତାନୀ ସାମରିକ ପୋଷ୍ଟ, ଯୋଗାଯୋଗ ଲାଇନ ଏବଂ ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରିଛି । ବିଏଲଏଫ ମୁଖପାତ୍ର ମେଜର ଗ୍ୱାହାରମ୍ ଏହି ଅପରେସନକୁ ‘ବଲୁଚ ଜାତୀୟ ମୁକ୍ତି ସଂଗ୍ରାମରେ ଏକ ନୂତନ ପ୍ରଭାତ’ ଭାବରେ ବର୍ଣ୍ଣନା କରିଛନ୍ତି ।
ସେ କହିଛନ୍ତି ଯେ, ଏହି ଅପରେସନ ମାକ୍ରାନ ଉପକୂଳରୁ କୋହ-ଏ-ସୁଲେମାନ ପର୍ବତମାଳାକୁ ବ୍ୟାପିଛି । ସେ ଦାବି କରିଛନ୍ତି ଯେ, ପାକିସ୍ତାନୀ ସୁରକ୍ଷା ବାହିନୀକୁ ସର୍ବାଧିକ କ୍ଷତି ପହଞ୍ଚାଇବା ଲାଗି ଆକ୍ରମଣଗୁଡ଼ିକୁ ସତର୍କତାର ସହ କରାଯାଇଛି । ଏକ ପ୍ରେସ୍ ବିବୃତ୍ତିରେ ମେଜର ଗ୍ୱାହାରମ୍ କହିଛନ୍ତି, ‘ପ୍ରତିରୋଧ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ବଲୁଚ୍ ଯୋଦ୍ଧାମାନେ ଏକ ବଡ଼ ଅଞ୍ଚଳରେ ବଡ଼ ପରିମାଣର, ସମନ୍ୱିତ ଅପରେସନ୍ ପରିଚାଳନା କରିବାକୁ ସକ୍ଷମ । BLF ଅପରେସନ୍ ସମାପ୍ତ ହେବା ପରେ ଏହାର ଫଳାଫଳ ବିଷୟରେ ଅଧିକ ବିବରଣୀ ପ୍ରକାଶ କରାଯିବ ।’ ତେବେ ଏହି ଆକ୍ରମଣଗୁଡ଼ିକ ବିଏଲଏଫ ଦ୍ୱାରା କରାଯାଇଥିବା ସବୁଠାରୁ ବଡ଼ ଏବଂ ସମନ୍ୱିତ ଆକ୍ରମଣ ମଧ୍ୟରୁ ଅନ୍ୟତମ ।