କଟକ,୧୪/୦୮: ଏଣିକି ୪୮୮ ବ୍ଲକ୍ ଗ୍ରାଣ୍ଟ୍ କଲେଜର ଅଧ୍ୟାପକମାନଙ୍କୁ ଗ୍ରାଣ୍ଟ୍-ଇନ୍-ଏଡ୍ ନିୟମର ୨୦୧୪ ପ୍ଲେସ୍ମେଣ୍ଟ୍ ରୁଲ୍ସ ଆଧାରରେ ସମସ୍ତ ସୁବିଧା ମିଳିବ । ଏହି ବର୍ଗର ଲେକ୍ଚରର୍ ଗ୍ରୁପ୍-ଏ ଏବଂ ରିଡର୍ ଷ୍ଟେଟ୍ ସ୍କେଲ୍ ପାଇପାରିବେ ବୋଲି ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ରାଜ୍ୟର ହଜାର ହଜାର ବ୍ଲକ୍ ଗ୍ରାଣ୍ଟ୍ ଅଧ୍ୟାପକ ଉପକୃତ ହେବେ। ଲୋକନାଥ ବେହେରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ସମସ୍ତ ସୁବିଧା ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ହଜାର ହଜାର ମାମଲା ହାଇକୋର୍ଟକୁ ଆସିବ ଏବଂ ସମସ୍ତଙ୍କ କ୍ଷେତ୍ରରେ ଯଦି ଏହି ଆଦେଶ ଲାଗୁ ହୁଏ ତାହେଲେ ରାଜ୍ୟ ରାଜକୋଷ ଉପରେ ପ୍ରବଳ ଚାପ ପଡ଼ିବ ବେଲି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା। ଅପରପକ୍ଷେ ନିୟମ ଅନୁଯାୟୀ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକମାନେ ଯଦିଓ ପଦୋନ୍ନତି ଆଦି ପାଇବେ କିନ୍ତୁ ଏହି ରାୟ ପ୍ରକାଶ ପାଇବା ଦିନଠାରୁ ହିଁ ସମସ୍ତ ଆର୍ଥିକ ସୁବିଧା ମିଳିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ ହାଇକୋର୍ଟ ଆବେଦନକାରୀଙ୍କୁ ଗାଣ୍ଟ୍ ଇନ୍ ଏଡ୍ ନିୟମ ଆଧାରରେ ସୁବିଧା ଦିଆଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି ।