ଦଶମନ୍ତପୁର ତା ୨/୧୧: ଦଶମନ୍ତପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଉଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଆର୍ କେ କଲେଜ୍ ପଡ଼ିଆରେ ଏହି ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଲଳିତା ଜାନି ଧନପତି ସାଉଁନ୍ତା, ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଲଷ୍ମୀଧର ବେହେରା, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ସାଗର କୁମାର ରାମ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ବେହେରା, ଏମ୍ପି ପ୍ରତିନିଧି ପଙ୍କଜ ବାଘ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ଦଳେଇ ସମେତ ୧୬ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ ।
ଅତିଥିମାନେ ବିଭାଗ ପକ୍ଷରୁ ଆୟୋଜିତ କରିଥିବା ଷ୍ଟଲ୍ ପରିଦର୍ଶନ କରିଥିଲେ ଏବଂ ମତ୍ସ୍ୟ ଓ ପଶୁ ପାଳନ ସମ୍ପର୍କରେ ବୁଝାଇ ଏହାର ଲାଭ ବିଷୟରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ପଶୁପାଳନ କରି ସଫଳ ହୋଇଥିବା କେତେକ ଚାଷୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଦଶମନ୍ତପୁର ବ୍ଲକର ସଫଳ ଗାଈ ଚାଷୀ ଭାବେ ଗୀତା ଏସ୍ ଖଡ଼ଆରକୁ ମାନପତ୍ର ସହ ଉତ୍ତରୀୟ ଟ୍ରଫି ଏବଂ ହଜାରେ ଟଙ୍କା ଦେଇ ପୁରସ୍କାର ପ୍ରଦାନ କରିଥିଲେ । ସେହିଭଳି ସଫଳ ଛେଳି ଚାଷୀ ଭାବେ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ବରଗଛ ଗାଁର ଲାଜାର ଟାକ୍ରି, ସଫଳ ମତ୍ସ୍ୟ ଚାଷୀ ଭାବେ ଚଣା ବାଡ ପଞ୍ଚାୟତ ଅଧିନସ୍ଥ କିଟେସ ଗାଁର କୈଳାସ ଖୋସଲାକୁ ଶ୍ରେଷ୍ଠ ମାଛ ଚାଷୀ ଭାବେ ପୁରସ୍କାର ପ୍ରଦାନ କରିଥିଲେ ।
କେବଳ ସେତିକି ନୁହେଁ ଆଗ୍ରହୀ ଥିବା ମୋଟ୍ ୯ ଜଣ ବିଭିନ୍ନ ଚାଷୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ. ସୁଧାକର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ, ଡଃ ଗୋପାଳ କୃଷ୍ଣ ଦଣ୍ଡପାଟ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଦର୍ଶନ ସାହୁ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ପ୍ରକାଶ ମହାନ୍ତି, ବ୍ଳକ୍ ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ଦଶମନ୍ତପୁର ବ୍ଲକର ସମସ୍ତ ପ୍ରାଣୀଧନ ନିରୀକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଏକ କିଟ୍ ବ୍ୟାଗ୍ରେ ପରିଚୟ ପତ୍ର, ଖାତା, କଲମ ଓ ଲିଫଲେଟ୍ ସହିତ ଟିଫିନ୍ ଏବଂ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ଶେଷରେ ବ୍ଲକ କଳା ସଂସ୍କୃତି ସଂଗଠନ ତରଫରୁ ବିଭାଗୀୟ ଯୋଜନା ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।