ନୂଆଦିଲ୍ଲୀ: ଶନିବାର ଦିନ ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବନ୍ଦ ଘରୁ ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ତିନି ଜଣ ପିଲାଙ୍କ ମୃତଦେହ ମିଳିଛି। ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି ।

କାସଗଞ୍ଜର ଅମାନପୁର ସହରରେ ଏକ ପେଟ୍ରୋଲ ପମ୍ପ ପଛରେ ରହୁଥିବା ସତ୍ୟବୀରଙ୍କ ପରିବାର ସଦସ୍ୟଙ୍କ ମୃତଦେହ ଏକ ବନ୍ଦ ଘରୁ ମିଳିଛି।ପରିବାରର ମୁଖ୍ୟ ସତ୍ୟବୀରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା, ଯେତେବେଳେ କି ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମୃତ ଅବସ୍ଥାରେ ମିଳିଛନ୍ତି। ପୋଲିସ ଏକ ୱେଲ୍ଡିଂ ମେସିନ୍ ସାହାଯ୍ୟରେ ଘରର ଦ୍ୱାର କାଟି ଘରେ ପ୍ରବେଶ କରି ମୃତଦେହ ମାନଙ୍କୁ ଉଦ୍ଧାର କରିଛି ।

ସତ୍ୟବୀର ଏକ ୱେଲ୍ଡିଂ ଦୋକାନ ଚଳାଉଥିବା ଖବର ମିଳିଛି। ଘଟଣା ସମ୍ପର୍କରେ ଜାଣିବା ପରେ, ପୋଲିସ ଅଧିକ୍ଷକ ଏବଂ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ କୁକୁର ସ୍କ୍ବାଡ୍ ଏବଂ ଫରେନସିକ୍ ଦଳକୁ ଡକାଯାଇଛି। ଦଳ ଗୁଡ଼ିକ ତଦନ୍ତ କରୁଛନ୍ତି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।