ନୂଆଦିଲ୍ଲୀ, ୦୨/୦୨ : ପାକିସ୍ତାନ ଓ ବେଲୁଚିସ୍ତାନ ମଧ୍ୟରେ ରକ୍ତ ସଙ୍ଘର୍ଷ। ଦୁଇ ଦିନରେ ଉଭୟ ପକ୍ଷରୁ ଗଲାଣି ପ୍ରାୟ ୨୦୦ ଜୀବନ। ମୃତକଙ୍କ ମଧ୍ୟରେ ବେଲୁଚ ଯୋଦ୍ଧା ଓ ପାକିସ୍ତାନ ଆର୍ମି। ପାକ୍ ରେ ସ୍ଥିତି ଅଣାୟତ୍ତ, ଇଣ୍ଟରନେଟ୍ ସେବା ବନ୍ଦ। ଗୃହ ଯୁଦ୍ଧରେ ନାକେଦମ୍ ହୋଇଗଲାଣି ଆତଙ୍କୀସ୍ତାନ। ଅଶାନ୍ତି ପାଇଁ ଭାରତକୁ କରୁଛି ଦାୟୀ।
ପାକିସ୍ତାନ ଏବେ ବିଦ୍ରୋହର ନିଆଁରେ ଜଳୁଛି। ଗୃହ ଭେଦି ସାଜି ବେଲୁଚିସ୍ତାନ ବାରମ୍ବାର ଆକ୍ରମଣ କରୁଛି। ଏହି ମଧ୍ୟରେ ବିଏଲଏ ବିଦ୍ରୋହୀମାନେ ପୁଣି ଜେଲ, ସେନା ଠିକଣା ଏବଂ ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଥିଲେ। ଏହା ସହିତ ଜଣେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଅପହରଣ କରି ନେଇଥିଲେ। ଏହି ଆକ୍ରମଣରେ ପାକିସ୍ତାନର ୩୧ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରବିବାର ପାକ୍ ଆର୍ମି ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହି ରକ୍ତ ସଙ୍ଘର୍ଷରେ ବେଲୁଚିସ୍ତାନ ଲିବରେସନର ୧୪୫ ବିଦ୍ରୋହୀଙ୍କ ମୃତ୍ୟୁ ହୋଇଛି। ବେଲୁଚସ୍ତାନ ଉପରେ ବହୁ କଟକଣା ଲାଗୁ ହୋଇଛି। ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ଟ୍ରେନ୍ ସେବା ବନ୍ଦ ଅଛି। ବହୁ ସ୍ଥାନରେ ସଡ଼କ ମାର୍ଗ ବନ୍ଦ ରହିଛି। ଘରୁ କେହି ବାହାରକୁ ଗଲେ ସେ ଫେରିବ କି ନାହିଁ ତାହା କହିବା ମୁସ୍କିଲ ହୋଇପଡ଼ିଛି। ଅଶାନ୍ତ ବେଲୁଚିସ୍ତାନ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି କହିଛନ୍ତି ଯେ, ୪୦ ଘଣ୍ଟାର ଆତଙ୍କବାଦୀ ବିରୋଧୀ ଅଭିଯାନରେ ପ୍ରାୟ ୧୪୫ ଆତଙ୍କୀ ଏବଂ ୧୭ ସୁରକ୍ଷାବାହିନୀଙ୍କ ମୃତ୍ୟୁ ହୋଇଛି।
ପାକ୍ ଆର୍ମି ଏହାକୁ ସଫାଇ ଅଭିଯାନ କହୁଛନ୍ତି। ସେନାର କହିବା ଅନୁଯାୟୀ, କ୍ଵେଟା, ମସ୍ତୁଙ୍ଗ, ନୁଶ୍କି, ଦଳବନ୍ଦୀନ, ଖରାନ, ତୁମ୍ପ, ଗ୍ଵାଦର ଏବଂ ପସନି ଆଖାପାଖ ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ପାଇଁ ଶାନ୍ତି ଭଙ୍ଗ ହୋଇଛି। ଆତଙ୍କୀମାନେ ସାଧାରଣ ଲୋକ, ମହିଳା, ବୃଦ୍ଧ ଏବଂ ଶିଶୁଙ୍କୁ ଟାର୍ଗେଟ୍ କରୁଛନ୍ତି। ତେବେ ଏହି ଅଶାନ୍ତି ପାଇଁ ପାକିସ୍ତାନ ଭାରତକୁ ଦାୟୀ କରୁଛି। ଆନ୍ତଃ କଳହ ଏବଂ ଘରୋଇ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଭାରତ ନାଁ ନେଉଛି। ଏନେଇ ଭାରତ କହିଛି ଯେ, ପାକିସ୍ତାନ ବେଲୁଚିସ୍ତାନର ଲୋକମାନଙ୍କ ଦାବି ଉପରେ ଧ୍ୟାନ ଦେବା ଉଚିତ୍ ଏବଂ ଅତ୍ୟାଚାର ଉପରେ ବିରାମ ଲଗାଇବା ଉଚିତ୍। ହେଲେ ପାକିସ୍ତାନ ଏଭଳି ନକରି ଓଲଟା ଦମନଲୀଳା ଚଳାଇଛି। .
ଏହି ଖବରଟିକୁ ପଢନ୍ତୁ- ଗୋଟେ ପରେ ଗୋଟେ ବିସ୍ଫୋରଣରେ ଥରି ଉଠିଲା ଇରାନ, ଖାମେନେଇ ଶାସନ ବିରୁଦ୍ଧରେ ଗୁପ୍ତ ଅଭିଯାନ ଚଲାଇଛି ଇସ୍ରାଏଲ !