‘ଗୋଟିଏ ଘଣ୍ଟା ଆମ ପାଇଁ ଯଥେଷ୍ଟ, ପ୍ରଥମେ ଭ୍ରଷ୍ଟାଚାରୀଙ୍କୁ ସଫା କରିବୁ’; ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଲେ ଏହିଭଳି କରିବେ ବୋଲି କହିଲେ ଏହି ଅଭିନେତ୍ରୀମାନେ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଲିଉଡର ସେଲିବ୍ରିଟିମାନେ ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ସେମାନେ ଦେଶର ଉନ୍ନତି ପାଇଁ କ’ଣ କରିବେ। ଅର୍ଥାତ୍ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରଶ୍ନ ପଚରା ଯାଇଥିବା ବେଳେ ଇଣ୍ଡଷ୍ଟ୍ରିରେ ଥିବା ଏହି ମହିଳାମାନେ କ’ଣ ଜବାବ ଦେଇଥିଲେ ଆସନ୍ତୁ ଜାଣିବା ।

୧. ଅଭିନେତ୍ରୀ କଲ୍କି କୋଚେଲିନ୍ଙ୍କୁ ଏ ନେଇ ପଚାଯିବା ପରେ ସେ କହିଲେ, ଗୋଟେ ଦିନରେ କିଛି ହୋଇ ନ ଥାଏ । କିନ୍ତୁ କରିବାକୁ ଚାହିଁଲେ ଗୋଟେ ଦିନରେ ବହୁତ କିଛି ହୋଇ ପାରିବ ବୋଲି କଲ୍କି କହିଥିଲେ । ରାଜନୀତି କରିବାରେ କୌଣସି ଇଚ୍ଛା ନ ଥିଲେ ମଧ୍ୟ ଗୋଟେ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଦେଶର ଉନ୍ନତି କିପରି ହେବ ସେ ଚିନ୍ତା କରିବେ ବୋଲି କହିଛନ୍ତି।

୨. ରିଚା ଚଢ଼ା ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଦୁଷ୍କର୍ମର ଅଭିଯୋଗ ଲାଗିଥିବା ମନ୍ତ୍ରୀମାନଙ୍କୁ ବହିଷ୍କାର କରିବେ ବୋଲି କହିଛନ୍ତି।

୩. ବଲିଉଡ୍ ନିର୍ଦେଶିକା ତଥା ଲେଖିକା ରୀମା କାଗତି ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ମହିଳାମାନଙ୍କୁ ଆଗକୁ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା ତିଆରି କରିବେ ବୋଲି କହିଛନ୍ତି। ଏହା ପରେ ଦେଶରୁ ବେରୋଜଗାର ସମସ୍ୟା ଦୂର କରିବେ ବୋଲି ରୀମା କହିଛନ୍ତି।

୪. ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଭ୍ରଷ୍ଟାଚାରୀମାନଙ୍କୁ ଦେଶରୁ ତଡ଼ି ଦେବେ ବୋଲି କହିଛନ୍ତି। କିଛି ଭଲ କାମ କରିବା ପାଇଁ ଗୋଟେ ଘଣ୍ଟା ଯଥେଷ୍ଟ ବୋଲି ସେ କହିଛନ୍ତି। ଆଜି ଭ୍ରଷ୍ଟାଚାର ଦେଶର ବଡ଼ ସମସ୍ୟା ପାଲଟିଛି। ସେଥିପାଇଁ ପ୍ରଥମେ ଭ୍ରଷ୍ଟାଚାରୀମାନଙ୍କୁ ସଫା କରିବି ବୋଲି କହିଛନ୍ତି।