ବେଳେବେଳେ କିଛି ଅର୍ଥପୂର୍ଣ୍ଣ ବିଚାରଗୁଡ଼ିକ ସରଳତାରେ ଆବୃତ୍ତ ହୋଇ ଆସିଥାଏ । ନିକଟରେ, ଭାରତର ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କ ଭାଷଣ ଶୁଣିବା ସମୟରେ ଏହିପରି ଏକ ଚିନ୍ତାଧାରା ମନକୁ ବହୁତ ସ୍ପର୍ଶ କରିଥିଲା । ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସମୟରେ ପୁଷ୍ପଗୁଚ୍ଛ ବଦଳରେ ଫଳ ଟୋକେଇ ଦେଇ ସ୍ୱାଗତ ଅଭ୍ୟର୍ଥନା ଜଣାଇବା ବିଷୟରେ ସେ କହିଥିଲେ । ଏହା ପ୍ରାୟ ସମସ୍ତଙ୍କୁ ଏକ ସାଧାରଣ ବା ଛୋଟ କଥା ଭଳି ଅନୁଭବ ହୋଇପାରେ, କିନ୍ତୁ ଜଣେ ଯଦି ଏହି ବିଷୟରେ ଗଭୀର ଭାବରେ ଚିନ୍ତନ କରିବ, ତେବେ ନିଶ୍ଚିତ ଭାବେ ଅନୁଭବ କରିପାରିବ ଯେ, ଏହା କେତେ ଶକ୍ତିଶାଳୀ ବକ୍ତବ୍ୟଟିଏ ।

​​​​​​​

ମାନନୀୟ ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଅନେକଙ୍କ ମନରେ ପ୍ରଶ୍ନ ସଂଚାର କରିଥିବ ଯେ, ଏଇ ଆଧୁନିକ ଯୁଗରେ ଆମେ ଯେତେବେଳେ କୃତ୍ରିମ ବୁଦ୍ଧିମତା ବିଷୟରେ ଆଲୋଚନା କରୁଛେ, ସେତେବେଳେ ଫଳ ଟୋକେଇ ଦେଇ ଜଣଙ୍କୁ ଅଭ୍ୟର୍ଥନା ଜଣାଇବା କେତେ ସୁନ୍ଦର ଦିଶିବ? ଏହା କ'ଣ ନେଲା ଲୋକ ବା ଦେଲା ଲୋକ ପାଇଁ ଏକ ହାସ୍ୟାସ୍ପଦ ଜିନିଷ ହୋଇଯିବ କି? ଫୁଲ ତୋଡ଼ା ବା ପୁଷ୍ପଗୁଚ୍ଛ ଦେବା ଯେତେ ଷ୍ଟାଇଲିଶ୍ ବା ଅତ୍ୟାଧୁନିକ ଲାଗେ, ଫଳ ଟୋକେଇ ଦେବାଟା ଗାଉଁଲି ବା ମଫସଲିଆ ଲାଗିବନାହିଁ ତ? ହେଲେ, ମାନ୍ୟବର ମନ୍ତ୍ରୀଙ୍କ ସେହି ଗୋଟିଏ ବାକ୍ୟରେ ନିହିତ ଅଛି ଅସ୍ଥିରତା ମଧ୍ୟରେ ସ୍ଥିରତା, ମାନ୍ଧାତିଆ ମଧ୍ୟରେ ଆଧୁନିକତା, ଆର୍ଥିକ ବିଚକ୍ଷଣତା, ସ୍ୱାସ୍ଥ୍ୟ ଚେତନା ଏବଂ ଭୋକାଲ୍ ଫର୍ ଲୋକାଲ୍ର ଭାବନା । ପ୍ଲାଷ୍ଟିକ-ଆବୃତ୍ତ ପୁଷ୍ପଗୁଚ୍ଛ ବଦଳରେ ସ୍ଥାନୀୟ ଫଳର ଏକ ଟୋକେଇ ପ୍ରଦାନ କରିବା ଭଳି ବକ୍ତବ୍ୟ ଦେଇ ମାନନୀୟ ମନ୍ତ୍ରୀ ଯୁବକମାନଙ୍କୁ ଏବଂ ଅମଲାତନ୍ତ୍ରକୁ ଏକ ଦୃଢ଼ ସଙ୍କେତ ଦେଇଛନ୍ତି ଯେ, ସରଳତା ହେଉଛି ଚୂଡ଼ାନ୍ତ ଅତ୍ୟାଧୁନିକତା । ମାନ୍ୟବର ମନ୍ତ୍ରୀଙ୍କର ଏହି ସରଳ, କିନ୍ତୁ ବିରଳ ଚିନ୍ତାଧାରାରେ ନିହିତ ଭାବ, ଭାବନା ଓ ଉଦ୍ଦେଶ୍ୟ ଏହି ଆଲେଖ୍ୟଟିକୁ ଲେଖିବା ପାଇଁ ପ୍ରେରଣା ଦେଲା ।

ଦଶନ୍ଧି-ଦଶନ୍ଧି ଧରି ପୁଷ୍ପଗୁଚ୍ଛ, ସମ୍ମାନର ପୂର୍ବନିର୍ଦ୍ଧାରିତ ପ୍ରତୀକ ହୋଇ ରହିଛି । ସମ୍ମିଳନୀ, ସାଧାରଣ ସଭା, ସମ୍ବର୍ଦ୍ଧନା ବା ଯେକୌଣସି ଉତ୍ସବରେ ଉପସ୍ଥାପିତ, ପୁଷ୍ପଗୁଚ୍ଛ । ପୁଷ୍ପଗୁଚ୍ଛଗୁଡ଼ିକ ସୁନ୍ଦର ଦେଖାଯାଏ ସତ, ଫଟୋରେ ପ୍ରଦର୍ଶିତ ହୁଏ ସତ, କିନ୍ତୁ ତା'ପରେ କୂଡାଦାନୀରେ ବିବଶ ହୋଇଯାଏ । ତାହାର ସୌନ୍ଦର୍ଯ୍ୟ ସଂକ୍ଷିପ୍ତ ଓ ଉପଯୋଗିତା ପ୍ରାୟ ଶୂନ୍ୟ । ଏହାର ବିପରୀତରେ ତାଜା ପନିପରିବା କିମ୍ବା ଫଳର ଏକ ଟୋକେଇ ସମ୍ପୂର୍ଣ୍ଣ ଭାବରେ ବଖାଣେ ଏକ ଭିନ୍ନ କାହାଣୀ । କାହାଣୀ ପୋଷଣ, ଜୀବିକା, ସ୍ଥିରତା, ଦାୟିତ୍ୱ ଓ ମୂଲ୍ୟର । ଆର୍ଥିକ ଦୃଷ୍ଟିକୋଣରୁ ପୁଷ୍ପଗୁଚ୍ଛ ଏବଂ ପନିପରିବା ବା ଫଳର ଟୋକେଇ ମଧ୍ୟରେ ଥିବା ପାର୍ଥକ୍ୟ ଆଲୋଚନାଯୋଗ୍ୟ । ପୁଷ୍ପଗୁଚ୍ଛ ହେଉଛି ଏକ ମୂଲ୍ୟହ୍ରାସକାରୀ ସମ୍ପତ୍ତି, ଯାହା ୭୨ଘଣ୍ଟା ମଧ୍ୟରେ ମୂଲ୍ୟହୀନ ହେବା ସୁନିଶ୍ଚିତ । ୧,୦୦୦ ଟଙ୍କାର ଏକ ପୁଷ୍ପଗୁଚ୍ଛ ଏକ ବିଳାସପୂର୍ଣ୍ଣ ବଜାରକୁ ସମର୍ଥନ କରୁଥିବାବେଳେ ସେଇ ୧,୦୦୦ ଟଙ୍କାର ଏକ ପନିପରିବା ବା ଫଳର ଟୋକେଇ ପ୍ରାଥମିକ କ୍ଷେତ୍ରକୁ ସମର୍ଥନ କରିଥାଏ, ଯାହା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଦୃଢ଼ତା ପ୍ରଦାନ କରିଥାଏ । ତାହା ସହିତ ଆମେ ମଧ୍ୟ ଏହା ଅନୁଭବ ନିହାତି କରିଥିବା ଯେ ବାହାଘର, ବ୍ରତଘର, ଜନ୍ମଦିନ, ବିବାହବାର୍ଷିକୀ, ଶ୍ରାଦ୍ଧ ବା ଯେକୌଣସି ଉତ୍ସବ, ସଭା ସମିତି ସରିଲା ପରେ ମିଳିଥିବା ପୁଷ୍ପଗୁଚ୍ଛକୁ ଘରକୁ ନେବାକୁ ଅତିଥିମାନେ କୁଣ୍ଠାବୋଧ କରିଥାନ୍ତି । ମନକୁ ଆସେ "ଏସବୁ ଘରକୁ ନେଇକି ଗଲେ ଘର ଅଳିଆ ହେବ' ।

ସୁନ୍ଦର ଫୁଲ ସିନା ଦେଖିବାକୁ ଭଲ ଲାଗନ୍ତି, ଲୋଭ ଲାଗନ୍ତି, ହେଲେ ମନକୁ ଜଣାଥାଏ ଯେ ସେମାନଙ୍କର ଉପଯୋଗିତା କିଛି ନାହିଁ । ପରିଶେଷରେ ସେମାନେ ଅଳିଆଗଦାକୁ ହିଁ ଯିବେ । ସେଥିପାଇଁ ଆମେ ବେଳେବେଳେ ସେଇସବୁ ପୁଷ୍ପଗୁଚ୍ଛକୁ ମଣ୍ଡପରେ ଛାଡ଼ିଦେଇ ଆସୁ, ନହେଲେ ଫିଙ୍ଗିଦେଇ ଆସୁ । ଯଦି ଆମେ ସେଇ ପୁଷ୍ପଗୁଚ୍ଛ ବଦଳରେ ଛୋଟ ହେଉନା କାହିଁକି, ଏକ ଟୋକେଇ ସ୍ଥାନୀୟ ବା ଋତୁକାଳୀନ ପରିବା ବା ଫଳ ଦେବା, ତେବେ ତାହା ଛାଡ଼ିକରି ଯିବା ଟିକିଏ ଅସମ୍ଭବ ହୋଇଯିବ । ଯଦିବି ତାହା କିଏ ଛାଡ଼ି ଚାଲିଯାନ୍ତି, ତାହା ଅନ୍ୟ କାହାର କାମରେ ଲାଗିଯାଇପାରିବ । ଭାରତ ବିଶ୍ୱର ସର୍ବବୃହତ୍ ଫଳ ଓ ପନିପରିବା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଲକ୍ଷ ଲକ୍ଷ କ୍ଷୁଦ୍ରଚାଷୀ ଜୀବିକା ନିର୍ବାହ ପାଇଁ ଉଦ୍ୟାନ କୃଷି ଉପରେ ନିର୍ଭର କରିଥାନ୍ତି । ଯେତେବେଳେ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟକ୍ତିବିଶେଷମାନେ ବା ବିଶେଷ ବ୍ୟକ୍ତିମାନେ ଉପହାର ଭାବରେ ସ୍ଥାନୀୟ ଉତ୍ପାଦକୁ ଚୟନ କରନ୍ତି, ତେବେ ତାହା ଗ୍ରାମୀଣ ଯୋଗାଣ ଶୃଙ୍ଖଳକୁ ମଜବୁତ କରେ ଓ ଆମଦାନୀ ହୋଇଥିବା କିମ୍ବା କୃତ୍ରିମ ଭାବରେ ସଂରକ୍ଷିତ ପୁଷ୍ପ ପରିବର୍ତ୍ତେ, ସ୍ଥାନୀୟ ବଜାରରେ ଅର୍ଥ ସଞ୍ଚାଳନ କରେ । ଏହା ଆତ୍ମନିର୍ଭର ଭାରତ ଏବଂ ଭୋକାଲ୍ ଫର୍ ଲୋକାଲ୍ର ଦୂରଦୃଷ୍ଟି ସହିତ ନିରବଚ୍ଛିନ୍ନ ଭାବେ ମେଳ ଖାଏ, ଯେଉଁଠାରେ ଦୈନନ୍ଦିନ ପସନ୍ଦ ଆର୍ଥିକ ସଶକ୍ତିକରଣର ଉପକରଣରେ ପରିଣତ ହୋଇଥାଏ । ଗୋଟିଏ ପନିପରିବା ବା ଫଳର ଟୋକେଇ ଉପହାର ଦେଇ ଆମେ କେବଳ ଜଣେ ଅତିଥିଙ୍କୁ ସମ୍ମାନିତ କରିପାରିବା ନାହିଁ, ବରଂ ଆମର କୃଷକମାନଙ୍କ ପରିଶ୍ରମ ଏବଂ ନାଗରିକଙ୍କ ସ୍ୱାସ୍ଥ୍ୟକୁ ସମ୍ମାନ ଦେଇପାରିବା ।

ଏହି ପରିବର୍ତ୍ତନରେ ଏକ ଗଭୀର ଜନସ୍ୱାସ୍ଥ୍ୟ ବାର୍ତ୍ତା ମଧ୍ୟ ରହିଛି । ଭାରତ ଆଜି ଏକ ବୈପରୀତ୍ୟର ସମ୍ମୁଖୀନ, ଯେଉଁଠି ଗୋଟିଏପଟେ ବଢୁଥିବା ଜୀବନଶୈଳୀଜନିତ ରୋଗ ଏବଂ ଅନ୍ୟପଟେ ନିରନ୍ତର ଅପପୁଷ୍ଟି । ଫଳ ଏବଂ ପନିପରିବା ଉଭୟକୁ ସମାଧାନ କରିବା ପାଇଁ ଏକ କେନ୍ଦ୍ରବିନ୍ଦୁ । ସେଗୁଡ଼ିକ ରୋଗପ୍ରତିରୋଧକ ଶକ୍ତି ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ, ଡାଏଟରୀ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟରେ ସମୃଦ୍ଧ । ଏକ ଫଳ ଟୋକେଇ ଏକ ପୁଷ୍ପଗୁଚ୍ଛ ପରି କେବଳ ପ୍ରତୀକାତ୍ମକ ନୁହେଁ । ଏହା ସିଧାସଳଖ କୂଡାଦାନୀକୁ ଯିବା ପରିବର୍ତ୍ତେ ହାଣ୍ଡିଶାଳର ଶୋଭା ହୋଇଥାଏ, ଖାଦ୍ୟର ଅଂଶବିଶେଷ ହୋଇଥାଏ ଏବଂ ପୋଷଣରେ ଯୋଗଦାନ କରି ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିଥାଏ । ପୁଷ୍ଟି ଅଭାବ ସହିତ ଅଧିକରୁ ଅଧିକ ସଂଘର୍ଷ କରୁଥିବା ସମାଜରେ ଏହିପରି ସୂକ୍ଷ୍ମ ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରିବେଶ ଦୃଷ୍ଟିକୋଣରୁ ପୁଷ୍ପଗୁଚ୍ଛ ଉଦ୍ଦିଷ୍ଟ ଫୁଲଚାଷ ଲାଗି ଲୋଡ଼ା ଅତ୍ୟଧିକ ଜଳ, ରାସାୟନିକ ସାର ଓ କୀଟନାଶକ, ଯାହା ମାଟି, ପରିବେଶ ଓ ପ୍ରାଣୀଜଗତ ଲାଗି ହାନିକାରକ । ଅନେକ ଫୁଲ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଶୀତଳ ଭଣ୍ଡାରରେ ଦୀର୍ଘ ଦୂରତା ଯାତ୍ରା କରନ୍ତି, ଯାହା ଏକ ବଡ଼ ଅଙ୍ଗାରକାମ୍ଳ ପଦଚିହ୍ନ ଛାଡ଼ିଥାଏ । ସେଇ ତୁଳନାରେ ସ୍ଥାନୀୟ କିସମର ପନିପରିବା, ଫଳମୂଳ ଯଥେଷ୍ଟ କମ୍ କାର୍ବନ ଫୁଟପ୍ରିଣ୍ଟ ଛାଡ଼ିଥାନ୍ତି । ଅଧିକାଂଶ ପୁଷ୍ପଗୁଚ୍ଛ ପ୍ଲାଷ୍ଟିକ୍ରେ ଆବୃତ୍ତ ହୋଇଥିବାରୁ ତାହା ଅଧିକ ବର୍ଜ୍ୟବସ୍ତୁ ସୃଷ୍ଟି କରନ୍ତି । ସେହି ତୁଳନାରେ ଫଳଟିଏ ଖାଇ ଯଦି ତା'ର ମଞ୍ଜିକୁ ଫୋପାଡ଼ି ଦିଆଯାଏ, ତେବେ ଏହା ଅଙ୍କୁରିତ ହେବା ସହିତ ପୁନଃ ସବୁଜଚକ୍ରରେ ପ୍ରାକୃତିକ ଭାବେ ଯୋଗଦାନ ଜାରି ରଖିଥାଏ । ପନିପରିବା ବା ଫଳମୂଳକୁ, ପୁଷ୍ପଗୁଚ୍ଛ ପରିବର୍ତ୍ତେ ଚୟନ କରିବା ଦାୟିତ୍ୱବାନ ଜୀବନଯାପନ ଦିଗରେ ଏକ ଶକ୍ତିଶାଳୀ ପଦକ୍ଷେପ, ଯାହା ମିଶନ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ)ର ବ୍ୟାପକ ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ ।

ଯେତେବେଳେ ପୁଷ୍ପଗୁଚ୍ଛର ବିକଳ୍ପର ପରାମର୍ଶ ଦିଆଯାଏ, ସେତେବେଳେ ଏକ ସାଧାରଣ ଚିନ୍ତା ଉତ୍ପନ୍ନ ହୁଏ । ତାହା ହେଉଛି ଫୁଲଚାଷ ଶିଳ୍ପ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ । ଫୁଲଚାଷ ସମଗ୍ର ଭାରତରେ ହଜାର ହଜାର କୃଷକ, ବ୍ୟବସାୟୀ ଏବଂ କ୍ଷୁଦ୍ର ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ । ତଥାପି ଫଳ ଏବଂ ପନିପରିବା ଉପହାର ଦେବା ଦିଗରେ ପରିବର୍ତ୍ତନ, ଆନୁଷ୍ଠାନିକ ଏବଂ ସଂସ୍ଥାଗତ ବ୍ୟବସ୍ଥାରେ ଫୁଲ ଶିଳ୍ପ ପ୍ରତି ବିପଦ ସୃଷ୍ଟି କରିବନାହିଁ । କାରଣ, ଭାରତର ଫୁଲଚାଷ କ୍ଷେତ୍ର କେବଳ ପୁଷ୍ପଗୁଚ୍ଛ କାରଣରୁ ନୁହେଁ, ବରଂ ଧାର୍ମିକ ବ୍ୟବହାର ପାଇଁ ଖୋଲା ଫୁଲର ଚାହିଦା, ଲ୍ୟାଣ୍ଡସ୍କେପିଙ୍ଗ୍ ଏବଂ ସହରୀ ଉଦ୍ୟାନର ବୃଦ୍ଧି, ରପ୍ତାନିଭିତ୍ତିକ ଫୁଲ ଯେପରି ଗୋଲାପ, ଅର୍କିଡ୍ ଏବଂ ବିଦେଶୀ କିସମ ଚାଷର ବିସ୍ତାର, ଅରୋମାଥେରାପି ଏବଂ ସୁଗନ୍ଧିତ ପଦାର୍ଥରେ ଫୁଲର ବ୍ୟବହାର ହେତୁ ବିସ୍ତାର ହେଉଛି । ଭାରତର ସାଂସ୍କୃତିକ, ଧାର୍ମିକ ଏବଂ ଦୈନଦିନ ଜୀବନରେ ଫୁଲ ଗଭୀର ଭାବେ ଜଡ଼ିତ । ମନ୍ଦିର, ପର୍ବପର୍ବାଣି, ବିବାହ, ରୀତିନୀତି ଏବଂ ବ୍ୟକ୍ତିଗତ ଉତ୍ସବରେ ସେଗୁଡ଼ିକ ଅପରିହାର୍ଯ୍ୟ । ସେଥିପାଇଁ ପୁଷ୍ପଗୁଚ୍ଛ ବଦଳରେ ପରିବା ବା ଫଳ ଟୋକେଇ, ଫୁଲଚାଷ ଲାଗି ଏହା ଆହ୍ୱାନ ନୁହେଁ । ତାହାଛଡ଼ା, ପୁଷ୍ପଗୁଚ୍ଛକୁ ବଦଳାଇବାର ପ୍ରସ୍ତାବ ମୁଖ୍ୟତଃ ଆନୁଷ୍ଠାନିକ, ସରକାରୀ ଏବଂ ସଂସ୍ଥାଗତ କାର୍ଯ୍ୟକ୍ରମ-ସମ୍ମିଳନୀ, ଏକାଡେମିକ୍ କାର୍ଯ୍ୟ, ପ୍ରଶାସନିକ ବୈଠକ ଏବଂ ଆନୁଷ୍ଠାନିକ ସ୍ୱାଗତ ପାଇଁ ପ୍ରଯୁଜ୍ୟ । ଏଗୁଡ଼ିକ ସମଗ୍ର ଫୁଲ ବଜାରର କେବଳ ଏକ ଛୋଟ ଅଂଶ । ବାସ୍ତବରେ ଯେତେବେଳେ ସାମଗ୍ରିକ ଭାବରେ ଦେଖାଯାଏ, ତେବେ ପନିପରିବା-ଫଳମୂଳ ଚାଷ ଓ ଫୁଲଚାଷ ପରସ୍ପରର ପରିପୂରକ । ଅନେକ କୃଷକ ଫସଲ ବିବିଧତାର ଅଂଶବିଶେଷ ଭାବେ ପନିପରିବା କିମ୍ବା ଫଳ ସହିତ ଫୁଲଚାଷ କରିଥାନ୍ତି । ଏହି ଦୃଷ୍ଟିରୁ, ପୁଷ୍ପଗୁଚ୍ଛ ପରିବର୍ତ୍ତେ ପରିବା ବା ଫଳ ଟୋକେଇ ଉପହାର ଦେବା, ଫୁଲ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ତାହା ସମାନ କୃଷି ପରିସଂସ୍ଥାର ଦୁଇଟି ଶାଖା । ଯେପରି ଆମେ ଅତ୍ୟଧିକ କାଗଜ କାର୍ଡ ଅପେକ୍ଷା ଡିଜିଟାଲ ନିମନ୍ତ୍ରଣକୁ ପସନ୍ଦ କରୁଛେ କିମ୍ବା ପ୍ଲାଷ୍ଟିକ ପରିବର୍ତ୍ତେ ଷ୍ଟିଲ୍ ବୋତଲ ପସନ୍ଦ କରୁଛେ । ସେହିପରି ମାନ୍ୟବର ମନ୍ତ୍ରୀ ପ୍ରସ୍ତାବ ଦେଇଥିବା ପରିବର୍ତ୍ତନ ସାମାଜିକ ଚେତନାକୁ ପ୍ରତିଫଳିତ କରେ ।

ଯାହା ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରେ, ତାହା ହେଉଛି ଏହାର ପ୍ରତୀକାତ୍ମକ ନେତୃତ୍ୱ । ଯେତେବେଳେ ବରିଷ୍ଠ ସାର୍ବଜନୀନ ବ୍ୟକ୍ତିତ୍ୱମାନେ ଏହିପରି ଅଭ୍ୟାସକୁ ସମର୍ଥନ କରନ୍ତି, ସେମାନେ ସାମାଜିକ ଆଚରଣକୁ ରୂପ ଦିଅନ୍ତି । ବିଶେଷକରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ବାର୍ତ୍ତାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି । ଏହା ଛାତ୍ରମାନଙ୍କୁ ଶିକ୍ଷା ଦିଏ ଯେ, ସ୍ଥିରତା ଓ ସ୍ଥାୟିତ୍ୱ ଦୈନନ୍ଦିନ ବ୍ୟବହାରରୁ ଆରମ୍ଭ ହୋଇଥାଏ । ମାନ୍ୟବର ମନ୍ତ୍ରୀଙ୍କର ପ୍ରସ୍ତାବ ଏକ "ଗ୍ରୀନ୍ ଗିଫ୍ଟିଂ ପ୍ରୋଟୋକଲ୍’ ଗ୍ରହଣ କରିବାକୁ ସମର୍ଥନ କରେ, ଯାହା ପାରମ୍ପରିକ ପୁଷ୍ପଗୁଚ୍ଛକୁ "ପୋଷଣ ଟୋକେଇ’ ସହିତ ବଦଳାଇବା ଉପରେ କେନ୍ଦ୍ରୀଭୂତ । ଏହି ଅଭ୍ୟାସ ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବାରେ ଓ ସାମଗ୍ରିକ ସ୍ଥାୟୀ ବିକାଶ ଦିଗରେ ଯୋଗଦାନ କରିଥାଏ । ଆମଦାନୀ ହୋଇଥିବା ବା କୃତ୍ରିମ ଭାବେ ସଂରକ୍ଷିତ ଫୁଲ ତୁଳନାରେ ସ୍ଥାନୀୟ ଫଳ ଏବଂ ପନିପରିବା ତୃଣମୂଳ ସ୍ତରରେ ଆର୍ଥିକ ଓ ସାମାଜିକ ଦୃଢ଼ତା ପ୍ରଦାନ କରିଥାଏ । "ପୋଷଣ ଟୋକେଇ’ ଶୂନ୍ୟ ଅପଚୟ, ସମ୍ପୂର୍ଣ୍ଣ ବ୍ୟବହାର ଯୋଗ୍ୟତା ଏବଂ ସର୍ବନିମ୍ନ ଅଙ୍ଗାରକାମ୍ଳ ନିର୍ଗମନକୁ ସୁନିଶ୍ଚିତ କରିଥାଏ । ଏହି ପରିବର୍ତ୍ତନ କାର୍ଯ୍ୟ ମାଧ୍ୟମରେ ନେତୃତ୍ୱକୁ ପ୍ରଦର୍ଶନ କରିଥାଏ । ଏକ ଯୁଗ, ଯେଉଁଠାରେ ସଂଗଠନଗୁଡ଼ିକୁ ପରିବେଶ, ସାମାଜିକ ଏବଂ ଶାସନ ମାନଦଣ୍ଡ (ESG - Environmental, Socialand Governance lenses) ଜରିଆରେ ମୂଲ୍ୟାଙ୍କନ କରାଯାଉଛି । ସେହି ପରିପ୍ରେକ୍ଷୀରେ ଏହିପରି ପଦକ୍ଷେପ ବିଶ୍ୱସନୀୟତା, ଦାୟିତ୍ୱ ଏବଂ ନବସୃଜନକୁ ସୁଦୃଢ଼ କରେ ।