କଟକ, ୨୫/୧୨ : ବାହାରୁ ଦେଖିଲେ ଚାରିପଟେ ବଡ ବଡ ଗଛ ଏବଂ ଘଞ୍ଚ ଜଙ୍ଗଲ ଭଳି । ମଝିରେ ରାସ୍ତା । ଭିତରେ ଥିବା ଘରଟି ଐତିହାସିକ ସ୍ଥାନ ଭଳି ଲାଗୁଥିଲେ ମଧ୍ୟ ଖୁବ୍‌ କମ୍‌ ଲୋକଙ୍କ ପାଦ ପଡିଥିବ । ସମ୍ମୁଖରେ ସ୍ଥାନର ବିବରଣୀ ଲେଖା ଥିବା ବୋର୍ଡର ଅକ୍ଷର ଲିଭି ଯାଇ ଝାପ୍‌ସା ଦେଖାଯାଉଛି । ସମୂର୍ଣ୍ଣ ଶୂନ୍‌ଶାନ୍‌ ଏବଂ କୋଳାହଳରୁ ବହୁ ଦୂରରେ ଥିବା ଏପରି ଏକ ସ୍ଥାନ ହେଉଛି କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଥିବା ‘ଚର୍ଚ୍ଚ ଅଫ୍‌ ଏପିଫନି’ । ଖୁବ୍‌ କମ୍‌ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ଥିବା ଏହି ଚର୍ଚ୍ଚଟି କଟକ ଏବଂ ଓଡ଼ିଶାରେ ଥିବା ସମସ୍ତ ଚର୍ଚ୍ଚଠାରୁ ସମୂର୍ଣ୍ଣ ଭିନ୍ନ ବୋଲି ଇତିହାସରୁ ଜଣାପଡିଛି ।

ଆଜି ହେଉଛି ପ୍ରଭୁ ଯିଶୁଙ୍କ ଜନ୍ମଦିନ ତଥା ବଡ଼ଦିନ । ମଧ୍ୟ ରାତ୍ରୀରେ ପ୍ରଭୁ ଯିଶୁ ଧରାବତରଣର କରିସାରିଛନ୍ତି। ତେଣୁ କଟକରେ ଥିବା ବିଭିନ୍ନ ଚର୍ଚ୍ଚକୁ ସୁସଜ୍ଜିତ କରାଯାଇ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ପ୍ରଭୁ ଯିଶୁଙ୍କୁ ସମୂହ ପ୍ରାର୍ଥନା କରିଛନ୍ତି । ବହୁ କୋଳାହଳ ଏବଂ ଆଡମ୍ବର ସହକାରେ ଏଠାରେ ପ୍ରଭୁ ଯିଶୁଙ୍କୁ ଶ୍ରଦ୍ଧାଳୁମାନେ ସ୍ୱାଗତ କରିଛନ୍ତି । ତେବେ ଏହି ଚର୍ଚ୍ଚଟି ଲୋକ ଲୋଚନଠୁ ଦୂରରେ ଥିବା ବେଳେ ଶୂନ୍‌ଶାନ ରହିଛି । କିନ୍ତୁ ଏହାରି ମଧ୍ୟରେ ଇତିହାସର ଲୁଚି ରହିଥିବା ଭିନ୍ନ ଏକ କାହାଣୀ ରହିଛି । ୨୦୦ ବର୍ଷର ଏହି ଚର୍ଚ୍ଚ ଓଡ଼ିଶାର ଅନ୍ୟତମ ସର୍ବପୁରାତନ ।

ଏ ନେଇ ଏକ ବହିରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ, ୧୮୨୨ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚକୁ ଇଂରେଜମାନେ ନିର୍ମାଣ କରିଥିଲେ । ସମୂର୍ଣ୍ଣ ଇଂରେଜମାନଙ୍କ ଢାଞ୍ଚାରେ ତିଆରି ହୋଇଥିବା ଏହି ଚର୍ଚ୍ଚ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ଚର୍ଚ୍ଚକୁ ବିଜୁଳି ଏବଂ ଘଡଘଡିରୁ ସୁରକ୍ଷା ଦେବାକୁ ଛାତ ଉପରେ ତୀର ଭଳି ଏକ ଲାଇଟିନିଂ କଣ୍ଡକ୍‌ଟର ତିଆରି ହୋଇଛି । ଏହାସହ ଚର୍ଚ୍ଚର ଚଟାଣରେ ବିଟ୍ରିଶ ଅମଳର ଜିକ୍‌ଜାକ୍‌ ଟାଇଲ୍‌ ଲାଗିଛି । ଚର୍ଚ୍ଚ ଭିତରେ ଇଂରେଜଙ୍କ ଏକ ବଡ ଘଣ୍ଟା ମଧ୍ୟ ରହିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଚର୍ଚ୍ଚରୁ ୫୦୦ ମିଟର ଦୂରରେ ଥିବା ବାରବାଟୀ ଦୁର୍ଗକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଥିବା ଇଂରେଜମାନେ ଚର୍ଚ୍ଚ ପାଖରେ ରହି ଦୁର୍ଗକୁ ଆକ୍ରମଣ କରିଥିବା ଉଲ୍ଲେଖ ରହିଛି । ପରବର୍ତ୍ତୀ ସମୟରେ ପ୍ରଭୁ ଯୀଶୁଙ୍କୁ ରଖି ପ୍ରାର୍ଥନା କରିବାକୁ ଏହି ସ୍ଥାନରେ ଚର୍ଚ୍ଚ ନିର୍ମାଣ କରିଥିଲେ । ଯାହା କଟକର ଏକମାତ୍ର ଆଙ୍ଗଲିକାନ୍‌ ଚର୍ଚ୍ଚ ଭାବେ ପରିଚିତ ।

ଇଂଲଣ୍ଡରେ ଥିବା ଚର୍ଚ୍ଚର ପ୍ରଥା ଅନୁଯାୟୀ ଏବେ ବି ସବୁ ପରମ୍ପରା ରହି ଆସିଛି । ପୂର୍ବରୁ ଏହି ଚର୍ଚ୍ଚ କୋଲକାତାର ଡାଏସିସ୍‌, ଚର୍ଚ୍ଚ ଅଫ୍‌ ନର୍ଥ ଇଣ୍ଡିଆ (ସିଏନ୍‌ଆଇ) ଅଧିନରେ ଥିବା ବେଳେ ଏବେ କଟକରେ ଥିବା ଡାଏସିସ୍‌ ଅଧିନରେ ରହିଛି । ଏହି ସ୍ଥାନରେ କିଛି ଓଡ଼ିଆ ଫିଲ୍ମ ମଧ୍ୟ ସୁଟିଂ କରାଯାଇଛି । ଏବେ ଚର୍ଚ୍ଚରେ ୪୦ଟି ପରିବାର ସଦସ୍ୟ ରହିଛନ୍ତି । କିଛି ସ୍ଥାନରେ ଭାଙ୍ଗି ଯାଇଥିବାରୁ ଏହାର ପୁନରୁଦ୍ଧାର ଆବଶ୍ୟକତା ଥିବା ଚର୍ଚ୍ଚର ସମ୍ପାଦକ ବିକ୍ରମ ଆଡାମ୍ସ କହିଛନ୍ତି ।