କୋଲକାତା, ୦୩/୦୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ବାଂଲାଦେଶୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ବିଏସ୍‌ଏଫ୍‌ ସହାୟତା କରୁଛି । ଏହାଯୋଗୁ ପଶ୍ଚିମବଙ୍ଗରେ ଅଶାନ୍ତି ବ୍ୟାପିବାରେ ଲାଗିଛି । ଏହା କେନ୍ଦ୍ର ସରକାରଙ୍କ ଏଜେଣ୍ଡା । ମମତା ଆହୁରି କହିଛନ୍ତି, ଯଦି ବିଏସ୍‌ଏଫ୍‌ ଏଭଳି କାର୍ଯ୍ୟକଳାପ ଜାରି ରଖେ, ତେବେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସେମାନଙ୍କ ବିରୋଧରେ ଆନ୍ଦୋଳନ କରିବ । ଆମେ ଅନେକ ବାର କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଅବଗତ କରାଇ ଆସିଛୁ । କେନ୍ଦ୍ର ଯାହା ବି ପଦକ୍ଷେପ ନିଏ ଆମେ ମାନିନେବୁ ବୋଲି କହିଥିଲୁ । ଆମେ କେନ୍ଦ୍ରକୁ ଖୁବଶୀଘ୍ର ବିରୋଧ ପତ୍ର ପଠାଇବୁ । 

ତାଙ୍କ କହିବା ମୁତାବକ, ସୀମା ଅଞ୍ଚଳରେ ବେଆଇନ ଅନୁପ୍ରବେଶକୁ ରୋକିବା ପାଇ ବିଏସ୍‌ଏଫ୍‌ ମୁତୟନ ହୋଇଛି । କିନ୍ତୁ ଏହା ଇସ୍‌ଲାମପୁର, ସୀତାଈ ଓ ଚୋପଡ଼ା ସୀମା ମଧ୍ୟଦେଇ ବାଂଲାଦେଶୀଙ୍କୁ ଭାରତରେ ଅନୁପ୍ରବେଶ ଲାଗି ଅନୁମତି ଦେଉଛି । ବିଏସ୍‌ଏଫ୍‌ ମହିଳାମାନଙ୍କ ଉପରେ ମଧ୍ୟ ଅତ୍ୟାଚାର କରୁଛି । ଏହା ସେମାନଙ୍କ ଚାଲ୍‌ । ସେମାନେ ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗରେ ପଶିବା ଲାଗି ଦେବେ ଏବଂ ପର ମୁହୂର୍ତ୍ତରେ ଟିଏମ୍‌ସି ଉପରେ ଦୋଷ ଲଦିବେ । ବିଏସ୍‌ଏଫ୍‌ର କାମ ହେଉଛି ସୀମାର ସୁରକ୍ଷା କରିବା । କେନ୍ଦ୍ର ସରକାର ବେଙ୍ଗଲକୁ ଗୁଣ୍ଡା ପଠାଉଛନ୍ତି । ଗୁଣ୍ଡାମାନେ ଏଠାରେ ଲୋକଙ୍କୁ ହତ୍ୟା କରୁଛନ୍ତି । ଏହା ବିଏସ୍‌ଏଫ୍‌ର କାମ ଏବଂ କେନ୍ଦ୍ର ସରକାରଙ୍କ ଏଜେଣ୍ଡା । 

ମମତାଙ୍କ ଏଭଳି ଟିପ୍ପଣୀ ଉପରେ ମତ ଦେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇ ପଶ୍ଚିମବଙ୍ଗ ନର୍ସରୀ ବନିଯାଇଛି । ବେଙ୍ଗଲ ସରକାର ଆରମ୍ଭରୁ ହିଁ ବାଂଲାଦେଶୀଙ୍କ ପାଇଁ ଲାଲ ଗାଲିଚା ବିଛାଇଛନ୍ତି ଏବଂ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ବାଂଲାଦେଶୀଙ୍କ ନାମରେ ରାଜନୀତି କରିଛନ୍ତି । ଏହା ହାସ୍ୟାସ୍ପଦ ଘଟଣା । ଏହି ଲୋକମାନେ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ । ବିଜେପି ନେତା ଅନିର୍ବାଣ ଗାଙ୍ଗୁଲି କହିଛନ୍ତି, ବିଏସ୍‌ଏଫ୍‌କୁ ସମାଲୋଚନା ଓ ଦୁର୍ବ୍ୟବହାର କରିବାରେ ମମତା ବାନାର୍ଜୀ ଏକା ନୁହନ୍ତି । ପ୍ରକୃତରେ ଡ୍ରଗ୍ସ, ମାନବ ଚୋରା ଚାଲାଣ ଆଦି ଉପରେ କାର୍ଯ୍ୟାନୁଷ୍ଠାନ ନେବା ଯୋଗୁ ଏହାକୁ ନେଇ ମମତା ଓ ଅଭିଷେକ ବାନାର୍ଜୀ ଚିନ୍ତାରେ ପଡ଼ିଛନ୍ତି । 

ବାଂଲାଦେଶରେ ବର୍ତ୍ତମାନ ଲାଗିରହିଥିବା ସ୍ଥିତିକୁ ଦେଖି ସେମାନେ ବିଏସ୍‌ଏଫ୍‌କୁ ସହଯୋଗ କରିବା ଆବଶ୍ୟକ । ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି, ପ୍ରଦେଶ ବିଜେପିର ନେତା ପ୍ରତ୍ୟେକ ମାମଲାରେ ଟିଏମ୍‌ସି ସରକାରଙ୍କୁ ଦୋଷ ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସମୁଦାୟଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୋଦି ସରକାରଙ୍କ ସ୍ୱଳ୍ପ ଜବାବ ଉପରେ କଥା ହେଉନାହାନ୍ତି । ଯଦି ବିଜେପି ନେତା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉତ୍ପୀଡ଼ନ ବାବଦରେ ଚିନ୍ତିତ, ତେବେ ସେମାନେ ଦିଲ୍ଲୀରେ ମୋଦି ସରକାରଙ୍କୁ ଉଚିତ ପଦକ୍ଷେପ ନେବାକୁ କାହିଁକି କହୁନାହାନ୍ତି ।