ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆଗତ କରିଛନ୍ତି ୨୦୨୫-୨୬ ବଜେଟ୍। ଏହି ସମୟରେ ସେ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ଇନକମ ଟାକ୍ସ ଉପରେ ବହୁ ବଡ଼ ଛାଡ କରିଛନ୍ତି। ନୂଆ ନିୟମ ଅନୁସାରେ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଲାଗିବନି କୌଣସି ଟ୍ୟାକ୍ସ। ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି। ଇନକମ୍ ଟ୍ୟାକ୍ସ ଛାଡକୁ ନେଇ ବିଶେଷ ଭାବରେ ମଧ୍ୟବିତ୍ତ ଖୁବ୍ ଖୁସି। ଏଭଳି ସ୍ଥିତିରେ ଲୋକମାନେ ବିଭିନ୍ନ ଢଙ୍ଗରେ ନିଜର ଖୁସି ପ୍ରକାଶ କରିଛନ୍ତି। ଜଣେ ୟୁଜର ନିର୍ମଳା ସୀତାରମଣ ଓ ତାଙ୍କ ଟିମ୍‌ର ହଲଓ୍ବା ପାର୍ଟି ଫଟୋ ଏକ୍ସରେ ସେୟାର କରିଛନ୍ତି। ଏହାର କ୍ୟାପସନ୍‌ରେ ଲେଖିଛନ୍ତି. ‘ମିଡିଲି କ୍ଲାସ୍‌ରୁ ନିର୍ମଳା ସୀତାରମଣ-ଏବେ ଖୁସି ନା ସମସ୍ତେ।’

ସୋସିଆଲ ମିଡିଆରେ ଲୋକ କିଛି ପପୁଲାର ଫିଲ୍ମର ଡାଇଲଗ୍ସ ଓ ସିନ୍‌ ହିସାବରେ ମିମ୍ସ ମଧ୍ୟ ତିଆରି କରିଛନ୍ତି। ବଜେଟ୍ ଆଗ ଦିନ ନିର୍ମଳାଙ୍କୁ ‘ବସୁଲି ତାଇ’ ବୋଲି କୁହାଯାଉଛି। ତାଙ୍କର ଏହି ନାଁ ଅଜୟ ଦେବଗନଙ୍କ କମେଡି ଫିଲ୍ମ ‘ଗୋଲମାଲ’ର ‘ବସୁଲି ଭାଇ’ ନାଁ ଭଳି ରହିଥିଲା। କାରଣ ସୀତାରମଣଙ୍କ ପୂର୍ବ ସବୁ ବଜେଟ୍‌କୁ ଲୋକ ପସନ୍ଦ କରୁନଥିଲେ। କାରଣ ଟିକସ ପ୍ରସଙ୍ଗରେ ତାଙ୍କର ଥିଲା କଠୋର ମନୋଭାବ। ହେଲେ ଏ‌େ‌ ଇନକମ୍ ଟ୍ୟାକ୍ସରେ ଏତେ ଟଙ୍କା ଛାଡ କରିବା ପରେ ଏବେ ସୋସିଆଲ ମିଡିଆରେ ୟୁଜରଙ୍କ ରିଆକ୍ସନ ବଦଳିଛି। ଏବେ ବହୁ ୟୁଜର ତାଙ୍କୁ ‘ବସୁଲି ତାଇ’ ବଦଳରେ ’ ମା’ ଲକ୍ଷ୍ମୀ’ ବୋଲି କହିବା ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଅର୍ଥମନ୍ତ୍ରୀ ଚଳିତ ବଜେଟରେ ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା କରିଛନ୍ତି। ଯାହା ମଧ୍ୟବିତ୍ତଙ୍କ ପାଇଁ ଏକ ବଡ ଭେଟି ସାବ୍ୟସ୍ତ ହୋଇଛି । କ୍ୟାପିଟାଲ ଗେନ୍ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ୍ ଛାଡ ଘୋଷଣା ହୋଇଛି। ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଯାଏଁ ଟ୍ୟାକ୍ସ ଛାଡ ହୋଇଛି। ୧୨ ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତି ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ୨୦ ପ୍ରତିଶତ ଟ୍ୟାକ୍ସ ଦେବେ। ୨୦ରୁ ୨୪ ଲକ୍ଷ ଆୟ ଥିଲେ ୨୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ୨୪ ଲକ୍ଷରୁ ଅଧିକ ଆୟ ଥିଲେ ୩୦ ପ୍ରତିଶତ ଟ୍ୟାକ୍ସ ଦିଆଯିବ । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ।