ବଜେଟ୍ ଆଗତ କଲେ ପାରିକର

ପାଣାଜୀ,୩୦ ।୧(ଏଜେନ୍ସି): ଏବେ ଗୁରୁତର ଅସୁସ୍ଥ ଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ନିଜର ବିଗୁଡିଥିବା ସ୍ୱାସ୍ଥ୍ୟାବସ୍ଥାକୁ ଖାତିର ନକରି ପୂର୍ବଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ଦେହ ଖରାପ ହେବା ଯୋଗୁ ସେ ଖୁବ୍ ପତଳା ହୋଇଯିବା ସହିତ ତାଙ୍କ ନାକରେ ବି ପାଇପ୍ ଲାଗିଛି । କିନ୍ତୁ ଏପରି ଅବସ୍ଥାରେ ସେ ବୁଧବାର ରାଜ୍ୟ ବିଧାନସଭାରେ ବଜେଟ ପ୍ରସ୍ତାବ ଆଗତ କରିଥିଲେ ।
ସେ ନିଜ ସିଟରେ ବସି ରହି ବଜେଟ ପ୍ରସ୍ତାବଗୁଡିକୁ ପାଠ କରିଥିଲେ । ତାଙ୍କୁ ସହାୟତା କରିବା ପାଇଁ କିଛି କର୍ମଚାରୀ ତାଙ୍କ ନିକଟରେ ଉପସ୍ଥିତ ଥିଲେ । ସେ ମଝିରେ ମଝିରେ କିଛି ସମୟ ଅଟକି ଯାଇ ପାଣି ପିଉଥିଲେ । ବଜେଟ ଆଗତ କରିବା ପୂର୍ବରୁ ଗୋଆବାସୀଙ୍କ ଉଦ୍ଦେଶ୍ୟରେ ପାରିକର କହିଥିଲେ କି ମୋର ଶେଷନିଃଶ୍ୱାସ ଥିବା ଯାଏଁ ମୁଁ ଗୋଆର ଲୋକଙ୍କ ପାଇଁ ଅତି ସମର୍ପିତ ଏବଂ ନିଷ୍ଠାପର ଭାବେ କାର୍ଯ୍ୟ କରିବି । ଏପରି କହି ସେ ପରୋକ୍ଷରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ବୋଲି ସୂଚାଇ ଦେଇଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ କଂଗ୍ରେସ କରୁଥିବା ସମାଲୋଚନାର ଜବାବ ଦେଇ ପାରିକର କହିଥିଲେ ଯେ ଦେୟାର ଇଜ ଏ ଯୋଶ, ଦ୍ୟାଟ୍ ଇଜ୍ ଠୁ ହାଇ ଏଣ୍ଡ ଆଇ ଆମ ଫୁଲି ଇନ ହୋସ ( ମୋର ଯୋଶ ପୂରା ଉଚ୍ଚା ଅଛି ଏବଂ ମୁଁ ମଧ୍ୟ ପୂରା ହୋସରେ ଅଛି) ।
ସୂଚନାଯୋଗ୍ୟ ଯେ, ପାରିକର ଗତ ରବିବାର ଏକ ପୋଲର ଉଦ୍ଘାଟନ ସମୟରେ ସମବେତ ଜନତାଙ୍କୁ ‘ ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍’ ଫିଲ୍ମର ଏକ ସଂଳାପ ଉଦ୍ଧୃତ କରି ପ୍ରଶ୍ନ କରିଥିଲେ କି ହାଓ ଇଜ ଦି ଯୋଶ? ଏହାକୁ ନେଇ କଂଗ୍ରେସ ତାଙ୍କୁ ସମାଲୋଚନା କରିଥିଲା ଏବଂ କହିଥିଲା ପାରିକର ପ୍ରଥମେ କୁହନ୍ତୁ ଯେ ସେ ହୋସରେ ଅଛନ୍ତି ନା ନାହିଁ ।
ସୂଚନାଯୋଗ୍ୟ ଯେ, ପାରିକର ୨୦୧୮ ମସିହା ପ୍ରାରମ୍ଭରୁ ଅସୁସ୍ଥ ଅଛନ୍ତି । ସେ ଭାରତ ଏବଂ ଆମେରିକାର କେତେକ ହସ୍ପିଟାଲରେ ଚିକିତ୍ସିତ ବି ହେଉଛନ୍ତି । କିନ୍ତୁ ଗତ କିଛି ମାସ ହେଲା ତାଙ୍କ ଦେହର ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି । କିନ୍ତୁ ସେ ହାର ମାନୁନାହାନ୍ତି ଏବଂ ସମସ୍ତ କାର୍ଯ୍ୟ ସଂପାଦନ କରିଆସୁଛନ୍ତି ।